ଭୁବନେଶ୍ୱର: ଆଦିତ୍ୟ ବିର୍ଲା ଗ୍ରୁପ୍ କମ୍ପାନୀ ହିଣ୍ଡାଲ୍କୋ ଇଣ୍ଡଷ୍ଟ୍ରିଜ ଲିମିଟେଡ ମହାଶକ୍ତି ଫାଉଣ୍ଡେସନକୁ ଏହାର ଅଗ୍ରଣୀ ମହିଳା ସଶକ୍ତିକରଣ ଏବଂ ଜୀବିକା ପ୍ରୟାସ ‘ପ୍ରୋଜେକ୍ଟ ଶକ୍ତି’ ଜରିଆରେ ସମର୍ଥନ ଯୋଗାଇଦେଇ ସମ୍ବଲପୁରର ହୀରାକୁଦ ପୌରପାଳିକାରେ ମହିଳାମାନଙ୍କୁ ଉଦ୍ୟୋଗୀ, କାରିଗର ଏବଂ ସେବା ଯୋଗାଣକାରୀ ହେବାକୁ ସମର୍ଥ କରାଇଛି।

ଏ ସମ୍ପର୍କରେ କୈଳାସ ପାଣ୍ଡେ, ମାଇନିଂ ବିଜିନେସ୍ ହେଡ୍ ଏବଂ କ୍ଲଷ୍ଟର ହେଡ୍, ହିଣ୍ଡାଲ୍କୋ କହିଛନ୍ତି, “ଦୀର୍ଘସ୍ଥାୟୀ ଜୀବିକା ଉପାର୍ଜନ ପ୍ରକୃତ ସଶକ୍ତିକରଣର ମୂଳଦୁଆ ବୋଲି ମଜଭୁତ ବିଶ୍ୱାସ ରଖୁଥିବା ପ୍ରୋଜେକ୍ଟ ଶକ୍ତି ଅଣଆନୁଷ୍ଠାନିକ ଜୀବିକାକୁ ଆନୁଷ୍ଠାନିକରେ ପରିଣତ କରି ମହିଳା ନେତୃତ୍ୱରେ ଅଣ-କୃଷି ଉଦ୍ୟୋଗଗୁଡିକୁ ମଜଭୁତ କରିବା ଉପରେ ଦୃଷ୍ଟିନିବଦ୍ଧ କରୁଛି। ଏହି ପ୍ରୟାସରେ କୌଶଳ ବିକାଶ, ବୈଧାନିକ ଅନୁପାଳନ, ଭିତ୍ତିଭୂମିର ସୁଯୋଗ ଯୋଗାଣ ଏବଂ ମହିଳାମାନଙ୍କୁ ଜୀବନ ଧାରଣ କାର୍ଯ୍ୟକଳାପରୁ ସମ୍ଭବପର, ଆୟ ସୃଷ୍ଟିକାରୀ ବ୍ୟବସାୟୀକୁ ପରିବର୍ତ୍ତିତ ହେବାରେ ସହାୟତା କରିବା ନିମନ୍ତେ ଦୃଢ ବଜାର ସଂଯୋଗୀକରଣ ଆଦିର ସମ୍ମିଶ୍ରଣ ଘଟିଛି। ଗତ ୨୦୨୫ ଡିସେମ୍ବରରେ ଶୁଭାରମ୍ଭ କରାଯାଇଥିବା ପ୍ରୋଜେକ୍ଟ ଶକ୍ତି ଦ୍ୱାରା ଆଜି ସୁଦ୍ଧା ହୀରାକୁଦ ପୌରପାଳିକା ଅନ୍ତର୍ଗତ ୧୧ଟି ଗ୍ରାମର ୫୫ ଜଣ ମହିଳା ପ୍ରତ୍ୟକ୍ଷ ଭାବରେ ଉପକୃତ ହୋଇଛନ୍ତି ଏବଂ ତାହାସହିତ ୧୨୦ଟି ଏସଏଚ୍ଜି ପରିବାରକୁ ନେଇ ଏସଏଚ୍ଜି ନେଟୱର୍କକୁ ସୁଦୃଢ କରିଛି ଏବଂ ପ୍ରାୟ ୧୨୦୦ ଜଣ ମହିଳା ନେତୃତ୍ୱାଧୀନ ଜୀବିକା ଉପାର୍ଜନକାରୀ କାର୍ଯ୍ୟକଳାପକୁ ସକାରାତ୍ମକ ଭାବରେ ପ୍ରଭାବିତ କରିଛି । ଏହି ମୂଳଦୁଆ ଉପରେ ପ୍ରତିଷ୍ଠିତ ପ୍ରୋଜେକ୍ଟ ଉଦ୍ୟୋଗ ବିକାଶ, କୌଶଳରେ ପରିବର୍ଦ୍ଧନ ଏବଂ ସଂସ୍ଥାନଗତ ଏକତ୍ରୀକରଣ ଜରିଆରେ ୫୦୦୦ ମହିଳା ହିତାଧିକାରୀଙ୍କ ନିକଟରେ ପହଞ୍ଚିବାକୁ ଭବିଷ୍ୟତର ଆକାଂକ୍ଷୀ ଲକ୍ଷ୍ୟ ଧାର୍ଯ୍ୟ କରିଛି।
ଏହି ପ୍ରୋଜେକ୍ଟ ଅଧୀନରେ ଅନ୍ୟତମ ସବୁଠାରୁ ଉଲ୍ଲେଖନୀୟ ସଫଳତା ହେଉଛି ମହିଳାଙ୍କ ନେତୃତ୍ୱରେ ପରିଚାଳିତ ହୀରାକୁଦର ନିୟୁ ମାର୍କେଟ ଅଞ୍ଚଳରେ ଥିବା ‘ଓମ୍ ଶାନ୍ତି ଡିଲାଇଟ୍- କ୍ୟାଟରିଂ ସର୍ଭିସେସ୍’। ଗୋଲାପ ସ୍ୱାଇଁ ଏବଂ ସୁଷମା ସ୍ୱାଇଁଙ୍କ ଦ୍ୱାରା ଦିନ ମଜୁରିଆଙ୍କ ନିମନ୍ତେ ଏକ ଛୋଟ ଅଣଆନୁଷ୍ଠାନିକ ଭୋଜନ ସେବା ଭାବରେ ଆରମ୍ଭ ହୋଇଥିବା ଏହି ବ୍ୟବସାୟ ଏକ ପୂର୍ଣ୍ଣାଙ୍ଗ ଲାଇସେନ୍ସପ୍ରାପ୍ତ କ୍ୟାଟରିଂ ଉଦ୍ୟୋଗକୁ ରୂପାନ୍ତରିତ ହୋଇଛି ଏବଂ ୨୦ ଜଣ ସ୍ୱୟଂ ସହାୟକ ଗୋଷ୍ଠୀ (ଏସଏଚ୍ଜି) ମହିଳାଙ୍କୁ ନିୟୋଜିତ କରିଛି।
ଖାଦ୍ୟ ନିରାପତ୍ତା, ସ୍ୱାସ୍ଥ୍ୟରକ୍ଷା, ମୂଲ୍ୟ ନିର୍ଦ୍ଧାରଣ, ଅଂଶ ନିୟନ୍ତ୍ରଣ ଏବଂ ସେବାରେ ପେଶାଦାର ଭାବ କ୍ଷେତ୍ରରେ ସଂଗଠିତ ପରାମର୍ଶ ଏବଂ ତାହାସହିତ ଏଫଏସ୍ଏସ୍ଆଇ, ଜିଏସ୍ଟି ଏବଂ ଦୋକାନ ତଥା ପ୍ରତିଷ୍ଠାନ ପଞ୍ଜୀକରଣ ଆଦି ସୁଗମକରଣ ଦ୍ୱାରା ଏହି ଉଦ୍ୟୋଗ ତାହାର ପାକଶାଳା ଏବଂ କ୍ୟାଟରିଂ ଉପକରଣ ପାଇଁ ୭୦ ପ୍ରତିଶତ ପାଣ୍ଠି ସଂଗ୍ରହ ସହିତ ଉଲ୍ଲେଖନୀୟ ସମର୍ଥନ ହାସଲ କରିପାରିଛି।
ପ୍ରୋଜେକ୍ଟ ଶକ୍ତି ମଧ୍ୟ ନିମପାଲି ଗ୍ରାମରେ ସାଂସ୍କୃତିକ ଐତିହ୍ୟକୁ ଏକ ଦୀର୍ଘସ୍ଥାୟୀ ଜୀବିକା ଉପାର୍ଜନରେ ରୂପାନ୍ତରିତ କରି ସଉରା ଆଦିବାସୀ କଳାର ପୁନରୁଦ୍ଧାର କ୍ଷେତ୍ରରେ ଏକ ମୁଖ୍ୟ ଭୂମିକା ନିର୍ବାହ କରିଛି। ଆଗ୍ରହୀ ଏସଏଚ୍ଜି ମହିଳାମାନଙ୍କୁ ଏଥିପାଇଁ ପ୍ରବର୍ତ୍ତାଯାଇ କଳାହାଣ୍ଡିକୁ କ୍ଷେତ୍ରସ୍ତରୀୟ ଗସ୍ତ ଓ ତାଲିମ ଯୋଗାଇ ଦିଆଯିବା ସହିତ ପରବର୍ତ୍ତୀ ସମୟରେ ନିରନ୍ତର ସମର୍ଥନ ଯୋଗାଣ, କଞ୍ଚାମାଲଗତ ସମର୍ଥନ ଏବଂ କମ୍ୟୁନିଟି ହଲ୍ରେ ନିୟମିତ ଅଭ୍ୟାସ କାର୍ଯ୍ୟକ୍ରମଗୁଡିକ ଆୟୋଜନ କରାଯାଇଥିଲା। ଝାରସୁଗୁଡାରେ ଏକ ସିଏସ୍ଆର କାର୍ଯ୍ୟକ୍ରମରେ ସେମାନଙ୍କର ଲାଇଭ୍ ପ୍ରଦର୍ଶନ ବିପୁଳ ପ୍ରଶଂସା ଏବଂ ବଜାରରୁ ଆଗ୍ରହ ଲାଭ କରିଥିଲା। ପରବର୍ତ୍ତୀ ପର୍ଯ୍ୟାୟରେ ପେଶାଦାର ବିଶାରଦମାନଙ୍କୁ ନେଇ ତିନିମାସିଆ ଉନ୍ନତ ତାଲିମ କାର୍ଯ୍ୟକ୍ରମ ଆୟୋଜନ, ଏକ ଉତ୍ସର୍ଗୀକୃତ ଉତ୍ପାଦକ ଗୋଷ୍ଠୀ ଗଠନ ଏବଂ ଦୀର୍ଘସୂତ୍ରୀ ଦୀର୍ଘସ୍ଥାୟୀତା ସୁନିଶ୍ଚିତ କରିବାକୁ ସରକାରୀ ଯୋଜନାଗୁଡିକ ସହିତ ସେମାନଙ୍କର ସଂଯୋଗୀକରଣ କରାଯାଇଥିଲା।
ଏହି ପ୍ରୟାସର ପ୍ରଭାବକୁ ପ୍ରଶଂସା କରି ଜିଲ୍ଲା ଶିଳ୍ପ କେନ୍ଦ୍ରର ଜଣେ ଅଧିକାରୀ କହିଥିଲେ, “ଦୀର୍ଘସ୍ଥାୟୀ ଉଦ୍ୟୋଗ ସ୍ଥାପନ ଜରିଆରେ ପ୍ରୋଜେକ୍ଟ ଶକ୍ତିର ମହିଳାମାନଙ୍କର ସଶକ୍ତିକରଣ କାର୍ଯ୍ୟକୁ ଜିଲ୍ଲା ଶିଳ୍ପ କେନ୍ଦ୍ର (ଡିଆଇସି) ପ୍ରଶଂସା କରିଛି ଏବଂ ଏହି ପ୍ରୟାସଗୁଡିକର ପରିମାଣାତ୍ମକ ଅଭିବୃଦ୍ଧି ତଥା ଏଗୁଡିକର ଆନୁଷ୍ଠାନିକ ରୂପ ଦେବା ନିମନ୍ତେ ପ୍ରତ୍ୟେକ ସୋପାନରେ ପୂର୍ଣ୍ଣ ସମର୍ଥନ ଯୋଗାଇଦେବାକୁ ପ୍ରତିଶ୍ରୁତି ଦେଇଛି।” ଆଦିତ୍ୟ ବିର୍ଲା ଗ୍ରୁପ୍ ଓଡ଼ିଶାରେ ୫ ଲକ୍ଷରୁ ଅଧିକ ଲୋକଙ୍କ ନିକଟରେ ପହଞ୍ଚୁଛି ଏବଂ ୧୨୮ଟି ଗ୍ରାମରେ ୨ ଲକ୍ଷରୁ ଅଧିକ ଜୀବନକୁ
ସ୍ପର୍ଶ କରୁଛି। ଗ୍ରୁପ୍ର ସିଏସ୍ଆର କାର୍ଯ୍ୟକ୍ରମ ଆଦିତ୍ୟ ବିର୍ଲା ସେଣ୍ଟର ଫର୍ କମ୍ୟୁନିଟି ଇନିସିଏଟିଭ୍ସ୍ ଆଣ୍ଡ ରୁରାଲ ଡେଭେଲପମେଣ୍ଟ ଅଧୀନରେ ରାଜଶ୍ରୀ ବିର୍ଲାଙ୍କ ଅଧ୍ୟକ୍ଷତାରେ କାର୍ଯ୍ୟକାରୀ କରାଯାଉଛି।