ଭୁବନେଶ୍ୱର: ଖଣ୍ଡଗିରି ମେଳାକୁ ନଜରରେ ରଖି ଭୁବନେଶ୍ୱର ମ୍ୟୁନିସିପାଲ୍ କର୍ପୋରେସନ୍ (ବିଏମସି) ତରଫରୁ ମଙ୍ଗଳବାର ଦିନ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ତେବେ ଚଳିତ ବର୍ଷ ମହୋତ୍ସବ ସମୟରେ ଶୃଙ୍ଖଳା ଏବଂ ସାଂସ୍କୃତିକ ପବିତ୍ରତା ବଜାୟ ରଖିବା ନେଇ ବିଏମସି ସୂଚନା ଦେଇଛି।
ବିଏମସିର ବରିଷ୍ଠ ଅଧିକାରୀ, ପୋଲିସ ପ୍ରତିନିଧି, କର୍ପୋରେଟର ଏବଂ ସ୍ଥାନୀୟ ଅଂଶୀଦାରମାନ ଙ୍କ ଅଧିନରେ ଅନୁଷ୍ଠିତ ବୈଠକରେ ଦକ୍ଷିଣ-ପୂର୍ବ ଜୋନ୍ କାର୍ଯ୍ୟାଳୟରେ ସମସ୍ତ ଯାତ୍ରା କମିଟି ମାନଙ୍କୁ ଆଜି ନିର୍ଦ୍ଦେଶ ଜାରି କରାଯାଇଛି।ତେବେ ଚଳିତ ବର୍ଷ ଜାନୁଆରୀ ୨୫ ରୁ ୧୦ ଦିନ ଧରି ଅନୁଷ୍ଠିତ ହେବାକୁ ଯାଉଛି ଏହି ପ୍ରସିଦ୍ଧ ଖଣ୍ଡଗିରି ମାଘ ମେଳା। ଏହି ମେଳାକୁ ପ୍ରତିବର୍ଷ ହଜାର ହଜାର ଭକ୍ତ ଏବଂ ଶ୍ରଦ୍ଧାଳୁ ମାନେ ଆସିଥାନ୍ତି।
ମେଳା କେବଳ ଏକ ଧାର୍ମିକ ସମାବେଶ ନୁହେଁ ବରଂ ଏକ ସାଂସ୍କୃତିକ ଐତିହ୍ୟ କାର୍ଯ୍ୟକ୍ରମ ଅଟେ। ତେଣୁ ଏହାକୁ ମର୍ଯ୍ୟାଦାର ସହିତ ପରିଚାଳନା କରାଯିବା ଉଚିତ ବୋଲି ବିଏମସି ତରଫରୁ କୁହାଯାଇଛି। ଏଥିସହିତ ବିଏମସି ଦ୍ୱାରା ଜାରି କରାଯାଇଥିବା SOP ରେ ବିଶେଷ ଭାବରେ ଯାତ୍ରାରେ ଅଶ୍ଳୀଳ ନୃତ୍ୟ ପ୍ରଦର୍ଶନ, ଅଶ୍ଳୀଳ ସଂଳାପ ଏବଂ ଆଇଟମ୍ ନମ୍ବରକୁ ନିଷିଦ୍ଧ କରାଯାଇଥିବା ଜଣାପଡ଼ିଛି। ଏହି ନିୟମ ଗୁଡ଼ିକୁ ଉଲ୍ଲଂଘନ କରୁଥିବା ଦଳ ଉପରେ ତୁରନ୍ତ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଇ ସେମାନଙ୍କର ଶୋ ବାତିଲ କରାଯିବା ସହ ଆଇନଗତ କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହେବେ ବୋଲି ମଧ୍ୟ କୁହାଯାଇଛି।
ତେବେ ପ୍ରଦର୍ଶନ ତଦାରଖ କରିବା ପାଇଁ ପ୍ରତ୍ୟେକ ୭ଟି ଯାତ୍ରା ମଣ୍ଡପରେ ତଦନ୍ତକାରୀ ଦଳ ନିୟୋଜିତ ହେବେ ଓ ନିୟମ ଉଲ୍ଲଂଘନ କରୁଥିବା ଯେକୌଣସି କାର୍ଯ୍ୟକୁ ବନ୍ଦ କରିବାର ଅଧିକାର ମଧ୍ୟ ସେମାନଙ୍କ ପାଖରେ ରହିବ ବୋଲି କୁହାଯାଇଛି।
ଆୟୋଜକମାନଙ୍କୁ ସେମାନଙ୍କର କାର୍ଯ୍ୟକ୍ରମର ବିବରଣୀ ପୂର୍ବରୁ ଦାଖଲ କରିବାକୁ ବିଏମସି ତରଫରୁ ନିର୍ଦ୍ଦେଶ ଦିଆଯାଇଛି। ପ୍ରତିବର୍ଷ ଉତ୍ସବର ଏକ ଅଂଶ ଭାବରେ, ଖଣ୍ଡଗିରି ଏବଂ ଉଦୟଗିରି ପାହାଡ଼ ନିକଟରେ ଥିବା ଅନେକ ମଣ୍ଡପରେ ଯାତ୍ରା ପ୍ରଦର୍ଶିତ ହୋଇଥାଏ। କିନ୍ତୁ କିଛି ପ୍ରଦର୍ଶନରେ ଆଇଟମ୍ ନୃତ୍ୟ, ଉତ୍ତେଜନାମୂଳକ କାର୍ଯ୍ୟ ଏବଂ ଅପମାନଜନକ ଭାଷା ଅନ୍ତର୍ଭୁକ୍ତ ହେବା ଫଳରେ ଏହା ସମାଜକୁ ଭୁଲ୍ ବାର୍ତ୍ତା ଦେଉଥିବା କୁହାଯାଉଛି। ତେବେ ଯାତ୍ରା କମିଟିର ପ୍ରତିନିଧିମାନେ ଏହି ସମସ୍ତ ନିୟମ ପାଳନ କରିବାକୁ ସହମତ ହୋଇଥିବା ଜଣାପଡିଛି।
ଏହା ବ୍ୟତୀତ SOPରେ ଭିଡ଼ ପରିଚାଳନା, ପରିମଳ ଏବଂ ଟ୍ରାଫିକ୍ ନିୟନ୍ତ୍ରଣ ପାଇଁ ପଦକ୍ଷେପ ମଧ୍ୟ ଅନ୍ତର୍ଭୁକ୍ତ ରହିଛି। ମେଳା ପରିସରରେ ସଫାସୁତୁରା ବଜାୟ ରଖିବାକୁ ସଫେଇ କର୍ମୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ଦର୍ଶକଙ୍କ ପ୍ରବଳ ଭିଡ଼କୁ ନଜରରେ ରଖି ଟ୍ରାଫିକ୍ ଡାଇଭର୍ସନ କାର୍ଯ୍ୟକାରୀ କରିବା ପାଇଁ ପୋଲିସ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। କୌଣସି ଅପ୍ରୀତିକର ଘଟଣାର ମୁକାବିଲା ପାଇଁ ମଧ୍ୟ ନିକଟରେ ଜରୁରୀକାଳୀନ ପ୍ରତିକ୍ରିୟା ଦଳ ଏବଂ ଚିକିତ୍ସାର ସୁବିଧା ମଧ୍ୟ ମୁତୟନ କରାଯିବ ବୋଲି ବିଏମସି କହିଛି।