Latest Odisha News

BREAKING NEWS

ବିଶ୍ୱ ଅର୍ଥନୀତିର ସବୁଠାରୁ ବଡ଼ ଡିଲ୍‌: ଭାରତ ଓ EU ମଧ୍ୟରେ ଐତିହାସିକ ବୁଝାମଣା

ନୂଆଦିଲ୍ଲୀ: ଭାରତ ଏବଂ ୟୁରୋପୀୟ ସଂଘ, EU ମଧ୍ୟରେ ବହୁ ପ୍ରତିକ୍ଷିତ ଦୁନିଆର ସବୁଠାରୁ ବଡ଼ ବାଣିଜ୍ୟିକ ଚୁକ୍ତି ହେବାକୁ ଯାଉଛି । ଏହି ଚୁକ୍ତି ନେଇ ନିଜେ ୟୁରୋପୀୟ କମିଶନ ଅଧ୍ୟକ୍ଷା ଉର୍ସୁଲା ଭନ୍ ଡେର୍ ଲେୟେନ୍ ବଡ଼ ସଙ୍କେତ ଦେଇଛନ୍ତି । ସେ କହିଛନ୍ତି ଯେ, ଆମେ ଏକ ଐତିହାସିକ ଚୁକ୍ତିର ଅତି ନିକଟତର ହୋଇସାରିଛୁ । ଦାଭୋସ୍‌ରେ ଆୟୋଜିତ ବିଶ୍ୱ ଅର୍ଥନୈତିକ ଫୋରମ୍‌, WEFରେ ୟୁରୋପୀୟ କମିଶନ ଅଧ୍ୟକ୍ଷା ଭାରତ ସହ ହେବାକୁ ଥିବା ଫ୍ରି ଟ୍ରେଡ୍ ଏଗ୍ରିମେଣ୍ଟ ବା FTA ନେଇ ବଡ଼ ବୟାନ ଦେଇଛନ୍ତି । ଏହି ଚୁକ୍ତିକୁ ‘ମଦର୍ ଅଫ୍ ଅଲ୍ ଡିଲ୍‌ସ’ କୁହାଯାଉଛି ।

ଏହି ଐତିହାସିକ ଚୁକ୍ତି ଦ୍ୱାରା ବିଶ୍ୱରେ ପ୍ରାୟ ୨୦୦ କୋଟି ଲୋକଙ୍କର ଏକ ବିଶାଳ ବଜାର ସୃଷ୍ଟି ହେବ । ଏହି ଚୁକ୍ତିରେ ସାମିଲ ହେବାକୁ ଥିବା ଦେଶଗୁଡ଼ିକର ମୋଟ୍ ଭାଗ ବିଶ୍ୱ ଜିଡିପିର ପ୍ରାୟ ୨୫ ପ୍ରତିଶତ ବା ଏକ ଚତୁର୍ଥାଂଶ ହେବ ।

୨୦୦୭ ମସିହାରୁ ଏହି ରାଜିନାମା ନେଇ ଆଲୋଚନା ଚାଲିଥିଲେ ମଧ୍ୟ ଏହା ତାହା ଅଟକି ରହିଥିଲା । କିନ୍ତୁ ୨୦୨୨ ପରଠାରୁ ଏଥିରେ ଅଗ୍ରଗତି ହୋଇଥିଲା । ଚୀନ୍ ଉପରେ ନିର୍ଭରଶୀଳତା କମାଇବା ପାଇଁ ୟୁରୋପ ଏବେ ଭାରତକୁ ଏକ ବିଶ୍ୱାସଯୋଗ୍ୟ ବାଣିଜ୍ୟିକ ସହଯୋଗୀ ଭାବେ ଦେଖୁଛି ।

ଅନ୍ୟପଟେ ଭାରତ ପାଇଁ ଏହା ଏକ ବଡ଼ ସୁଯୋଗ ସୃଷ୍ଟି କରିଛି । ଏହି ଚୁକ୍ତି ଦ୍ୱାରା ଭାରତୀୟ ରପ୍ତାନି ବୃଦ୍ଧି ପାଇବା ସହ ଔଷଧ ଶିଳ୍ପ, ସ୍ୱଚ୍ଛ ଶକ୍ତି, ଆଡଭାନ୍ସ ମାନୁଫାକ୍ଚରିଂ ଏବଂ ଡିଜିଟାଲ୍ ସେବା କ୍ଷେତ୍ରରେ ନୂଆ ସମ୍ଭାବନା ସୃଷ୍ଟି କରିବ । ବିଶ୍ୱ ସପ୍ଲାଇ ଚେନ୍‌ରେ ଭାରତର ସ୍ଥିତି ଏହା ଦ୍ୱାରା ଆହୁରି ମଜବୁତ ହେବ ।

ଯଦିଓ ଏହି ଚୁକ୍ତିର ଅନ୍ତିମ ରୂପରେଖ ପାଇଁ ଆଉ କିଛି କାମ ବାକି ରହିଛି, କିନ୍ତୁ ଏହା ସ୍ପଷ୍ଟ ଯେ ଭାରତ ଓ EU ର ଏହି ମିଳନ ବିଶ୍ୱ ଅର୍ଥନୀତିର ମାନଚିତ୍ରକୁ ବଦଳାଇବାକୁ ଯାଉଛି। ୟୁରୋପୀୟ ନେତାଙ୍କ ଏହି ସଙ୍କେତ ଭାରତୀୟ ବଜାର ପାଇଁ ଏକ ଶୁଭ ସୂଚନା ।

Leave A Reply

Your email address will not be published.