ରାଉରକେଲା: ସରଣ୍ଡା ଜଙ୍ଗଲରୁ ସମସ୍ତ ନକ୍ସଲଙ୍କୁ ସଫା କରିବାକୁ ଜୋରଦାର ହୋଇଛି ସର୍ଚ୍ଚ ଅପରେସନ୍। ନିୟୋଜିତ ହୋଇଛନ୍ତି ସିଆରପିଏଫ୍, ଝାରଖଣ୍ଡ ଜାଗୁଆର, କୋବ୍ରା ବାହିନୀ ଓ ସ୍ଥାନୀୟ ପୁଲିସ। ଦୁଇଦିନ ହେଲା ସରଣ୍ଡା ଜଙ୍ଗଲରେ ଗୁଳି ବିନିମୟ ଜାରି ରହିଛି। ଗୁରୁବାର ସୁରକ୍ଷା କର୍ମୀଙ୍କ ଏନକାଉଣ୍ଟରରେ ୧୫ ନକ୍ସଲ ନିହତ ହୋଇଥିଲେ। ଶୁକ୍ରବାର ସରଣ୍ଡା ଜଙ୍ଗଲରୁ ଅନ୍ୟ ଦୁଇ ଟପ୍ କ୍ୟାଡର୍ ରାପା ମୁଣ୍ଡା ଓ ସୋମା ନକ୍ସଲଙ୍କ ଶବ ଉଦ୍ଧାର କରାଯିବା ପରେ ମୃତ୍ୟୁ ସଂଖ୍ୟା ୧୭ରେ ପହଞ୍ଚିଛି। ଘଟଣାସ୍ଥଳରୁ ବିପୁଳ ପରିମାଣରେ ମାରଣାସ୍ତ୍ର, ରାଇଫଲ୍, ଇନ୍ସାସ୍ ରାଇଫଲ ସମେତ ଅନ୍ୟାନ୍ୟ ସାମଗ୍ରୀ ଜବତ ହୋଇଛି ।
ଘଞ୍ଚ ଜଙ୍ଗଲ ମଧ୍ୟରେ ନକ୍ସଲଙ୍କୁ ଖୋଜିବାକୁ ହେଲିକେପ୍ଟର ଓ ଡ୍ରୋନ୍ ବ୍ୟବହାର କରାଯାଇଛି। ଆକାଶ ମାର୍ଗରୁ ଜଙ୍ଗଲ ଭିତରେ ନକ୍ସଲଙ୍କ ଗତିବିଧି ଉପରେ କଡ଼ା ନଜର ରଖାଯାଇଛି। ପ୍ରାଥମିକ ତଦନ୍ତରୁ ସରଣ୍ଡା ଜଙ୍ଗଲରେ ଦୁର୍ଦ୍ଦାନ୍ତ ମାଓନେତା ମଛୁ ସମେତ ୬୦ ପାଖାପାଖି ନକ୍ସଲ ଲୁଚି ରହିଥିବା ଜଣାପଡ଼ିଛି। ହେଲିକପ୍ଟର ଓ ଡ୍ରୋନ ସହାୟତାରେ ସେସବୁ ସ୍ଥାନକୁ ଆକାଶ ମାର୍ଗରୁ ଚିହ୍ନଟ କରିବା ପରେ ସେଠାରେ ସର୍ଚ୍ଚ ଅପରେସନ୍କୁ ଆହୁରି ଜୋରଦାର କରାଯିବ ବୋଲି ସିଆରପିଏଫ୍ ଆଇଜି ସାକେତ କୁମାର ସି କହିଛନ୍ତି।
ନକ୍ସଲଙ୍କୁ ଆତ୍ମସମର୍ପଣ କରି ରାଜ୍ୟ ସରକାରଙ୍କ ଆତ୍ମସମର୍ପଣ ଓ ପୁନର୍ବାସ ନୀତି ଲାଭ ନେବାକୁ ଝାଡ଼ଖଣ୍ଡ ପୁଲିସ ପକ୍ଷରୁ ଆହ୍ବାନ କରାଯାଇଛି । ଏହା ପୂର୍ବରୁ ଗତ ଜାନୁଆରି ୧୭ ଓ ୧୮ ତାରିଖ ଏନକାଉଣ୍ଟରରେ ୬ ନକ୍ସଲ ନିହତ ହୋଇଥିଲେ । ନିହତ ନକ୍ସଲମାନଙ୍କ ମୁଣ୍ଡ ଉପରେ ସରକାର ୨୭ ଲକ୍ଷ ପୁରସ୍କାର ଘୋଷଣା କରିଥିଲେ। ଘଟଣାସ୍ଥଳରୁ ଦୁଇଟି ଏକେ -୪୭, ଗୋଟିଏ ଇନ୍ସାସ୍ ରାଇପଲ, ଦୁଇଟି ୩୦୩ ରାଇଫଲ, ଗୋଟିଏ ବିଜିଏଲ୍ ଲଞ୍ଚର ଜବତ ହୋଇଥିଲା । ଏରିଆ କମାଣ୍ଡର ଅନଲ ଦାଙ୍କ ନିହତ ପରେ ଓଡ଼ିଶା ସୀମାନ୍ତ ସରଣ୍ଡା ଜଙ୍ଗଲରେ ନକ୍ସଲ ସଙ୍ଗଠନକୁ ଶକ୍ତ ଧକ୍କା ଲାଗିଛି ।