ଭୁବନେଶ୍ବର: ଆରମ୍ଭ ହେଲା ବିଶ୍ଵପ୍ରସିଦ୍ଧ ଖଣ୍ଡଗିରି ମାଘସପ୍ତମୀ ମେଳା । ସାଧୁସନ୍ତଙ୍କ ମନ୍ତ୍ରୋଚାରଣ ସାଙ୍ଗକୁ ପୂଜାପାଠରେ ମୁଖରିତ ହେବ ଖଣ୍ଡଗିରି ପାଦଦେଶ । ସାଧୁସନ୍ଥଙ୍କ ଆଗମନ ସହ ତପୋଭୂମି ଖଣ୍ଡଗିରିରେ ଜନସମାଗମ ଦେଖିବାକୁ ମିଳିଛି । ବିଶ୍ବାସ ଅନୁସାରେ ଖଣ୍ଡଗିରିରେ ଏହି ମହାଯଜ୍ଞର ପୂର୍ଣ୍ଣାହୁତି ହେଲେ ପରମପୁଣ୍ଣ୍ୟ ପ୍ରାପ୍ତ ହେବ । ମାଘ ମେଳା ଆଜି ଆରମ୍ଭ ହୋଇଛି, ଫେବୃଆରୀ ୭ ପର୍ଯ୍ୟନ୍ତ ଚାଲିବ ।
ସନ୍ଧ୍ୟାରେ ରାଣୀ ହଂସପୁରରୁ ବାହାରିବେ ପ୍ରଭୁ ଅନନ୍ତ କେଶରୀ । ବାଜାବାଣ ରୋଷଣୀ ନେଇ ଦେବସଭାରେ ବିରାଜମାନ କରିବେ ପ୍ରଭୁ । ପରେ ଆରମ୍ଭ ହେବ ମହାଯଜ୍ଞ । ଦୀର୍ଘ ୯ ଦିନ ପର୍ଯ୍ୟନ୍ତ ନାଗାସାଧୁଙ୍କର ଚାଲିବ ବିଶ୍ବଶାନ୍ତି ମହାଯଜ୍ଞ । ଏହି ସମୟରେ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ଭିଡ ସମାଗମ ହେବ ।
ଯାତ୍ରାରେ ମେଲୋଡି କାର୍ଯ୍ୟକ୍ରମରେ ଶାଳୀନତା ଉପରେ ଗୁରୁତ୍ୱ ଦିଆଯାଇଛି । ଖଣ୍ଡଗିରି ମେଳାରେ ପାର୍କିଂ, ଟ୍ରାଫିକ ବ୍ୟବସ୍ଥା ସହ ସୁରକ୍ଷା ନେଇ ସ୍ଵତନ୍ତ୍ର ରଣନୀତି ପ୍ରସ୍ତୁତ କରିଛି ପ୍ରଶାସନ । ସୁରକ୍ଷା ଦୃଷ୍ଟିରୁ ଖଣ୍ଡଗିରି ମେଳାରେ ମୋଟ ୧୦୦ଟି ସିସିଟିଭି କ୍ୟାମେରା ଲଗାଯାଇଛି । ବିଭିନ୍ନ ସ୍ଥାନରେ ପୋଲିସ ଓ ବିଏମସି ଏନଫୋର୍ସମେଣ୍ଟ ମୁତୟନ ରହିବେ ।
ଗାଡିମଟର ପାର୍କିଂ ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ପୋଲିସ, ଫାୟର, ବିଏମସି, ମେଡିକାଲ କଣ୍ଟ୍ରୋଲ ରୁମ୍, ପାନୀୟ ଜଳ, ଆଲୋକ ଓ ଅନ୍ୟାନ ବ୍ୟବସ୍ଥା ରହିଛି । ଟ୍ରାଫିକ ପୋଲିସକୁ ସହାୟତା କରିବା ପାଇଁ ଟ୍ରାଫିକ ଓ୍ୱାର୍ଡେନ ମୁତୟନ ହେବେ ।