ମୁମ୍ବାଇ: ପ୍ରାୟ ସବୁ ବଲିଉଡ୍ ଫିଲ୍ମ କେବଳ ଶୁକ୍ରବାର ଦିନ ହିଁ ରିଲିଜ୍ ହୁଏ ? ଏହା ପଛରେ କୌଣସି ଅନ୍ଧବିଶ୍ୱାସ ରହିଛି ନା ଏହା ଫିଲ୍ମ ମେକରଙ୍କ ସକ୍ସେସ ମନ୍ତ୍ର ? ଆସନ୍ତୁ ଜାଣିବା । ଶୁକ୍ରବାର ଫିଲ୍ମ ରିଲିଜ ହେବା ଟ୍ରେଣ୍ଡ୍ ଆରମ୍ଭ ହୋଇଥିଲା ହଲିଉଡରୁ । ୧୯୩୯ ମସିହା ଡିସେମ୍ବର ୧୫, ଶୁକ୍ରବାର ଦିନ ହଲିଉଡ୍ ଫିଲ୍ମ ‘ଗନ୍ ୱିଥ୍ ଦି ୱିଣ୍ଡ୍’ ପରଦାକୁ ଆସି ବେଶ୍ ସଫଳତା ପାଇଥିଲା ।
ଏହାପରେ ଭାରତରେ ମଧ୍ୟ ଏହି ପ୍ରଥା ଆରମ୍ଭ ହେଲା । ବିଶେଷ କରି ୧୯୬୦ ମସିହା ଅଗଷ୍ଟ ୫ ତାରିଖ, ଶୁକ୍ରବାର ଦିନ ରିଲିଜ୍ ହୋଇଥିବା କ୍ଲାସିକ୍ ଫିଲ୍ମ ‘ମୁଗଲ-ଏ-ଆଜମ’ର ଅପାର ସଫଳତା ପରେ ବଲିଉଡରେ ଶୁକ୍ରବାର ରିଲିଜ୍ ଏକ ପରମ୍ପରାରେ ପରିଣତ ହୋଇଥିଲା ।
ଫିଲ୍ମ ମେକରମାନେ ଶୁକ୍ରବାରକୁ ପସନ୍ଦ କରିବା ପଛରେ ଆହୁରି ୩ଟି ବଡ଼ କାରଣ ରହିଛି:
ମା’ ଲକ୍ଷ୍ମୀଙ୍କ ଆଶୀର୍ବାଦ: ଶୁକ୍ରବାରକୁ ମା’ ଲକ୍ଷ୍ମୀଙ୍କ ବାର ବୋଲି ମାନନ୍ତି ଅନେକ ଚଳଚ୍ଚିତ୍ର ନିର୍ମାତା । ଏହି ଦିନ ଫିଲ୍ମ ରିଲିଜ୍ କଲେ ବକ୍ସ ଅଫିସରେ ଧନ ବର୍ଷା ହେବ ବୋଲି ସେମାନଙ୍କର ବିଶ୍ୱାସ ରହିଛି ।
କମ୍ ସ୍କ୍ରିନିଂ ଚାର୍ଜ: କୁହାଯାଏ ଯେ ସପ୍ତାହର ଅନ୍ୟ ଦିନ ତୁଳନାରେ ଶୁକ୍ରବାର ଦିନ ମଲ୍ଟିପ୍ଲେକ୍ସ ମାଲିକମାନଙ୍କୁ ଦିଆଯାଉଥିବା ସ୍କ୍ରିନିଂ ଫି’ କମ୍ ଥାଏ, ଯାହା ନିର୍ମାତାଙ୍କୁ ଆର୍ଥିକ ସହାୟତା ଦିଏ।
ପୁରୁଣା ପରମ୍ପରା: ୧୯୫୦ ଦଶକରେ ଯେତେବେଳେ ଟିଭି ନଥିଲା, ସେତେବେଳେ କର୍ମଚାରୀଙ୍କୁ ଶୁକ୍ରବାର ଦିନ ହାଫ୍-ଡେ ଛୁଟି ମିଳୁଥିଲା। ତେଣୁ ସେମାନେ ନିଜ ପରିବାର ସହ ସିନେମା ହଲକୁ ଯାଉଥିଲେ । ଏହାକୁ ଦୃଷ୍ଟିରେ ରଖି ଏହି ଶୁକ୍ରବାର ଫିଲ୍ମ ରିଲିଜ କରିବାକୁ ପ୍ରଡ୍ୟୁସର ଚାହାଁନ୍ତି ।
କେବଳ ବଲିଉଡ ନୁହେଁ, ଯଦି ଆମେ ଦକ୍ଷିଣ ଭାରତୀୟ ସିନେମା ଜଗତ ବା ସାଉଥ୍ ଇଣ୍ଡଷ୍ଟ୍ରି କଥା ଦେଖିବା, ସେଠାରେ ଅନେକ ସମୟରେ ଗୁରୁବାର ଦିନ ଫିଲ୍ମ ରିଲିଜ୍ ହୁଏ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଗୁରୁବାର ଭଗବାନ ବିଷ୍ଣୁଙ୍କ ଦିନ ହୋଇଥିବାରୁ ଏହାକୁ ଶୁଭ କାର୍ଯ୍ୟ ପାଇଁ ଅତ୍ୟନ୍ତ ମଙ୍ଗଳମୟ ବୋଲି ବିଚାର କରିଥାନ୍ତି ଦକ୍ଷିଣ ଭାରତୀୟ ।
ତେବେ ଶୁକ୍ରବାର ହେଉ କି ଗୁରୁବାର, ଫିଲ୍ମର ସଫଳତା କେବଳ ଭଲ କାହାଣୀ ଏବଂ ଦର୍ଶକଙ୍କ ଭଲପାଇବା ଉପରେ ହିଁ ନିର୍ଭର କରେ।