Latest Odisha News

BREAKING NEWS

ଏଣିକି ମହାପ୍ରୟାଣ ପରିବର୍ତ୍ତେ ‘୧୦୯ ନମ୍ବର’ ଗାଡି ବ୍ୟବହାର କରାଯିବ: ସ୍ବାସ୍ଥ୍ୟମନ୍ତ୍ରୀ

ଗଜପତି: ରାଜ୍ୟରେ ଅନେକ ସମୟରେ ସରକାରୀ ଡାକ୍ତରଖାନାରୁ ମୃତଦେହକୁ ନେବାକୁ ମହାପ୍ରୟାଣ ଗାଡ଼ି ଉପଲବ୍ଧ ହୋଇପାରୁନି । ଯାହାକୁ ନେଇ ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହୋଇ ନିଜ ଆତ୍ମୀୟ ସ୍ବଜନଙ୍କ ମୃତଦେହକୁ କାନ୍ଧରେ କିମ୍ବା ସାଇକେଲରେ ବୋହି ନେବାର ଦେଖିବାକୁ ମିଳୁଛି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ନୂଆ ସୁବିଧା ଆଣିଛନ୍ତି ।

ଆଗାମୀ ୨ ମାସ ମଧ୍ୟରେ ମୃତଦେହକୁ ନେବାକୁ ମହାପ୍ରୟାଣ ପରିବର୍ତ୍ତେ ‘୧୦୯ ନମ୍ବର ଯାନ’ର ବ୍ୟବସ୍ଥା କରାଯିବ ବୋଲି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ କହିଛନ୍ତି । ଆଜି ଗଜପତି ଗସ୍ତ‌ରେ ଯାଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣମନ୍ତ୍ରୀ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ଓ ସ୍ବାସ୍ଥ୍ୟସେବା ସଂପର୍କିତ ଯୋଜନା ସମୀକ୍ଷା କରିଛନ୍ତି । ଏହି ସମୟରେ ସେ ଏହି ଘୋଷଣା କରିଛନ୍ତି ।

ମନ୍ତ୍ରୀ ଆହୁରି କହିଛନ୍ତି ଯେ, ରାଜ୍ୟରେ ସ୍ବାସ୍ଥ୍ୟସେବାରେ ଉନ୍ନତି ଆଣିବାକୁ ଡାକ୍ତର ଓ ପାରାମେଡିକାଲ ଷ୍ଟାଫ୍‌ ଅଭାବ ପୂରଣ ପାଇଁ ବ୍ୟାପକ ପଦକ୍ଷେପ ନିଆଯାଉଛି । ଆଗାମୀ ଦିନରେ ସରକାର ନୂଆ କରି ସବୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୫ରୁ ୬ ଜଣ ପିଜି ଡିପ୍ଲୋମା ଡାକ୍ତରୀ ଛାତ୍ରଛାତ୍ରୀଙ୍କୁ ନିୟୋଜିତ କରିବାକୁ ଯୋଜନା କରୁଛନ୍ତି । ଫଳରେ ପିଏଚସି ଓ ସିଏଚସିସ୍ତରରେ ବିଶେଷଜ୍ଞ ଡାକ୍ତରଙ୍କ ଅଭାବ ଦୂର ହୋଇପାରିବ । ଏହାସହ ଖୁବଶୀଘ୍ର ଗଜପତି ଜିଲ୍ଲାର ସମସ୍ତ ୧୪୯ଟି ପଞ୍ଚାୟତରେ ଆୟୁ ଆରୋଗ୍ୟ ମନ୍ଦିର ପ୍ରତିଷ୍ଠା ସହ ସ୍ବତନ୍ତ୍ର କୋଠା ନିର୍ମାଣ କରାଯିବ ।

ଏହା ବ୍ୟତୀତ ଗଜପତି ଜିଲ୍ଲାର ୮ଟି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ମଧ୍ୟରୁ ୬ଟିକୁ ଉନ୍ନୀତ କରାଯିବ ଓ ୨୧ଟି ପ୍ରାଥମିକ ଚିକିତ୍ସାକେନ୍ଦ୍ରକୁ ମଧ୍ୟ ଉନ୍ନୀତ କରାଯିବା ସହ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ୩୫୦ ଶଯ୍ୟା ବିଶିଷ୍ଟ କରାଯିବ ବୋଲି ସେ କହିଛନ୍ତି ।

Leave A Reply

Your email address will not be published.