Latest Odisha News

BREAKING NEWS

ବଜେଟରେ ନିର୍ମଳା ସୀତାରମଣଙ୍କ ଶାଢ଼ି ସ୍ୱାଗ୍, ପ୍ରତ୍ୟେକ ଥର ଏକ ଭିନ୍ନ ଶୈଳୀ ଆସନ୍ତି ନଜର…

ନୂଆଦିଲ୍ଲୀ: ଚଳିତ ବର୍ଷ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କ୍ରମାଗତ ଭାବେ ନବମ ଥର ପାଇଁ କେନ୍ଦ୍ରୀୟ ବଜେଟ୍ ଉପସ୍ଥାପନ କରି ଏକ ମାଇଲଖୁଣ୍ଟ ସ୍ଥାପନ କରିଛନ୍ତି । ପ୍ରତିବର୍ଷ ବଜେଟ୍ ଉପସ୍ଥାପନ ଦିନ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଶାଢ଼ି ଚର୍ଚ୍ଚାରେ ରୁହେ । ଏହି ପ୍ରରିପେକ୍ଷିରେ ଆଜି ମଧ୍ୟ ତାଙ୍କର ଶାଢ଼ି ଚୟନ ଏକ ଚର୍ଚ୍ଚାର ବିଷୟ ପାଲଟିଛି । ପ୍ରତିଥର ଭଳି, ସେ ଦେଶର କାରିଗରମାନଙ୍କୁ ସମ୍ମାନ ଜଣାଇବା ସହ ଭାରତୀୟ ହେରିଟେଜ୍‌କୁ ବିଶ୍ୱ ଦରବାରରେ ପହଞ୍ଚାଇବାକୁ ପ୍ରୟାସ କରିଛନ୍ତି ।

ଏହି ବର୍ଷ ବଜେଟ୍ ପାଇଁ ଅର୍ଥମନ୍ତ୍ରୀ ଏକ ବାଇଗଣୀ ରଙ୍ଗର ହାତବୁଣା ‘କାଞ୍ଚିଭରମ୍ ସିଲ୍କ’ ଶାଢ଼ି ପରିଧାନ କରିଛନ୍ତି । ଏହି ଶାଢ଼ି ତାମିଲନାଡୁର ପାରମ୍ପରିକ ବୁଣାକାରୀ କଳାର ଏକ ଅନନ୍ୟ ନିଦର୍ଶନ । ଏଥିରେ ହାଲୁକା ସୁବର୍ଣ୍ଣ-ବାଦାମୀ ରଙ୍ଗର ଚେକ୍ସ ରହିଛି । ଏହାର ଧାରରେ କଫି ବାଦାମୀ ରଙ୍ଗର ବର୍ଡର ଶୋଭା ପାଉଛି । ଯାହାକୁ ସ୍ଥାନୀୟ ଭାଷାରେ ‘କଟ୍ଟମ୍’ କୁହାଯାଏ । ଏହା ସହିତ ସେ ଏକ ମ୍ୟାଚିଂ ବାଇଗଣୀ ଶାଲ୍ ମଧ୍ୟ ପରିଧାନ କରିଥିବା ନଜର ଆସିଛନ୍ତି ।

ନିର୍ମଳା ସୀତାରମଣ ନିଜେ ଜଣେ ତାମିଲ ହୋଇଥିବାରୁ, ସେ ନିଜ ରାଜ୍ୟର ଐତିହ୍ୟକୁ ଏହି ଜାତୀୟ ମଞ୍ଚରେ ପ୍ରତିଫଳିତ କରିଛନ୍ତି । ଏହି ଶାଢ଼ୀ କେବଳ ଶୈଳୀ ମଧ୍ୟରେ ସୀମିତ ନୁହେଁ। ଏହା ହସ୍ତତନ୍ତ ଶିଳ୍ପ ଏବଂ ଗ୍ରାମୀଣ ଜୀବିକାକୁ ପ୍ରୋତ୍ସାହନ ଦେବା ପାଇଁ ଏକ ନିରବ ସାଂସ୍କୃତିକ ବାର୍ତ୍ତା ।

ଏହା ପୂର୍ବରୁ ୮ଟି ବଜେଟ୍ ରେ ମଧ୍ୟ ସେ ବିଭିନ୍ନ ଶାଢ଼ି ପିନ୍ଧି ଭାରତୀୟ ହସ୍ତତନ୍ତ, ପାରମ୍ପରିକ କଳା ଏବଂ ସରଳତାର ବାର୍ତ୍ତା ଦେଇଛନ୍ତି । ୨୦୨୫ ବଜେଟ୍‌ରେ ସେ ଏକ ‘ଅଫ୍-ହ୍ୱାଇଟ୍’ ହ୍ୟାଣ୍ଡଲୁମ୍ ସିଲ୍କ ଶାଢ଼ି ପିନ୍ଧିଥିଲେ । ଏଥିରେ ମାଛ ଥିମ୍‌ର ସୂକ୍ଷ୍ମ କାରିଗରୀ ଏବଂ ସୁନେଲି ବର୍ଡର ଥିଲା । ବିଶେଷ କଥା ହେଉଛି, ଏହି ଶାଢ଼ିଟି ପଦ୍ମ ପୁରସ୍କାର ବିଜେତା ଦୁଲାରୀ ଦେବୀଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇଥିଲା ।

୨୦୨୪-୨୫ ପୂର୍ଣ୍ଣାଙ୍ଗ ବଜେଟ୍ ସମୟରେ ସେ ଧଳା ରଙ୍ଗର ସିଲ୍କ ଶାଢ଼ି ସହ ବାଇଗଣୀ ଏବଂ ସୁନେଲି ବର୍ଡର ଥିବା ଏକ ପରମ୍ପାରିକ ଶୈଳୀର ଶାଢି ପିନ୍ଧିଥିଲେ । ଯାହା ଭାରତୀୟ ସିଲ୍କ ଶିଳ୍ପ ପ୍ରତି ତାଙ୍କର ସମ୍ମାନକୁ ଦର୍ଶାଉଥିଲା ।

ନିର୍ବାଚନ ପୂର୍ବରୁ ଅନ୍ତରୀଣ ବଜେଟ୍ ବେଳେ ସେ ନୀଳ ରଙ୍ଗର ‘ଟସର ସିଲ୍କ’ ଶାଢ଼ି ପିନ୍ଧିଥିଲେ । ଏଥିରେ ପାରମ୍ପରିକ ‘କାନ୍ଥା’ କାରିଗରୀର ସୂକ୍ଷ୍ମ କାମ ହୋଇଥିଲା, ଯାହା ଦେଶୀ କାରିଗରଙ୍କ ଦକ୍ଷତାକୁ ପ୍ରତିପାଦିତ କରୁଥିଲା ।

୨୦୨୩ରେ ସେ ଲାଲ୍ ଏବଂ କଳା ରଙ୍ଗର ଏକ ଶାଢ଼ି ପିନ୍ଧିଥିଲେ, ଯେଉଁଥିରେ ‘ଟେମ୍ପଲ ବର୍ଡର’ ଏବଂ କର୍ଣ୍ଣାଟକର ପ୍ରସିଦ୍ଧ ‘କସୁତୀ’ ଧାଗାର କାମ ଥିଲା । ୨୦୨୨ ବଜେଟ୍ ବେଳେ ସେ ଓଡ଼ିଶାର ପ୍ରସିଦ୍ଧ ‘ବମ୍‌କାଇ ସିଲ୍କ’ ଶାଢ଼ି ପିନ୍ଧିଥିଲେ । ବ୍ରାଉନ୍ ରଙ୍ଗର ଏହି ଶାଢ଼ିରେ ଧଳା ରଙ୍ଗର ବର୍ଡର ଥିଲା, ଯାହା ଓଡ଼ିଶାର ପାରମ୍ପରିକ ହସ୍ତତନ୍ତ କଳାକୁ ଜାତୀୟ ସ୍ତରରେ ଗୌରବାନ୍ୱିତ କରିଥିଲା । ୨୦୨୧ରେ ଅର୍ଥମନ୍ତ୍ରୀ ଲାଲ୍ ଏବଂ ଅଫ୍-ହ୍ୱାଇଟ୍ ରଙ୍ଗର ‘ପୋଚମ୍ପଲ୍ଲୀ ସିଲ୍କ’ ଶାଢ଼ି ପିନ୍ଧିଥିଲେ । ତେଲେଙ୍ଗାନାର ଏହି ସୂକ୍ଷ୍ମ ବୁଣାକାରୀ ଶୈଳୀ ତାଙ୍କ ବ୍ୟକ୍ତିତ୍ୱକୁ ଅଧିକ ପ୍ରଭାବଶାଳୀ କରିଥିଲା । ୨୦୨୦ରେ ସେ ଏକ ହଳଦିଆ ରଙ୍ଗର ସିଲ୍କ ଶାଢ଼ି ପିନ୍ଧିଥିଲେ, ଯେଉଁଥିରେ ସବୁଜ ରଙ୍ଗର ବର୍ଡର ଥିଲା ।

୨୦୧୯ରେ ନିର୍ମଳା ତାଙ୍କ ପ୍ରଥମ ବଜେଟ୍ ଉପସ୍ଥାପନ ବେଳେ ଗୋଲାପି ରଙ୍ଗର ‘ମଙ୍ଗଳଗିରି’ ଶାଢ଼ି ପିନ୍ଧିଥିଲେ । ସୁନେଲି ଜରି କାମ ଥିବା ଏହି ଶାଢ଼ି ବେଶ ଆକର୍ଷଣୀୟ ଥିଲା ।

Leave A Reply

Your email address will not be published.