President Droupadi Murmu: ୬ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ; ବିମାନ ବନ୍ଦରରେ ଭବ୍ୟ ସ୍ୱାଗତ
ଭୁବନେଶ୍ୱର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୬ଦିନିଆ ଓଡ଼ିଶା ଗସ୍ତରେ ଆସି ଆଜି ସନ୍ଧ୍ୟାରେ ଭୁବନେଶ୍ୱରରେ ପହଞ୍ଚିଛନ୍ତି। ସେ ବାୟୁସେନାର ଏକ ସ୍ବତନ୍ତ୍ର ବିମାନରେ ଆସି ଭୁବନେଶ୍ବରସ୍ଥିତ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛନ୍ତି। ଅବତରଣ କରିବା ପରେ ତାଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି।
ବିମାନ ବନ୍ଦରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ରାଜ୍ୟପାଳ, ପୋଲିସ ଡିଜି, ପୋଲିସ କମିଶନର, ଜିଲ୍ଲାପାଳ, ମେୟର ଏବଂ ଭୁବନେଶ୍ବର ଡିସିପି ରାଷ୍ଟ୍ରପତିଙ୍କୁ ସ୍ଵାଗତ କରିଛନ୍ତି। ରାଜ୍ୟପାଳ ହରି ବାବୁ କମ୍ଭମପାଟି ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉପସ୍ଥିତ ରହି ରାଷ୍ଟ୍ରପତିଙ୍କୁ ପୁଷ୍ପଗୁଚ୍ଛ ଦେଇ ଅଭିନନ୍ଦନ ଜଣାଇଥିଲେ। ବିମାନ ବନ୍ଦରରୁ ସିଧା ଲୋକଭବନକୁ ଯାଇଛନ୍ତି ରାଷ୍ଟ୍ରପତି। ମହାମହିମ ଆଜି ଲୋକଭବନରେ ରାତ୍ରିଯାପନ କରିବେ।
ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁଯାୟୀ, ୩ ତାରିଖ ସକାଳେ ବିଜୁ ପଟ୍ଟନାୟକ ବିମାନବନ୍ଦରରୁ ବାୟୁସେନା ହେଲିକପ୍ଟର ଯୋଗେ ଯାଜପୁର ନୂଆ ପ୍ରଶାସନିକ ଭବନ ଗ୍ରାଉଣ୍ଡ ହେଲିପ୍ୟାଡ୍ରେ ଅବତରଣ କରିବେ। ସେଠାରୁ ମା’ ବିରଜାଙ୍କ ଦର୍ଶନ ପାଇଁ ଯିବେ। ପ୍ରାୟ ଦେଢ଼ ଘଣ୍ଟା ଧରି ମନ୍ଦିରରେ ପୂଜାର୍ଚ୍ଚନା କରିବେ। ସେଠାରୁ ବାଲେଶ୍ବର ଯାଇ ଫକୀରମୋହନ ବିଶ୍ବବିଦ୍ୟାଳୟ ସମାବର୍ତ୍ତନ ଉତ୍ସବରେ ଯୋଗଦେବେ। କାର୍ଯ୍ୟକ୍ରମ ଶେଷ ପରେ ଅପରାହ୍ଣ ପ୍ରାୟ ୩ଟା ୫୦ରେ ପୁରୀ ଅଭିମୁଖେ ବାହାରିବେ। ସନ୍ଧ୍ୟାରେ ପୁରୀରେ ପହଞ୍ଚି ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଆଳତି ଦର୍ଶନ ସହ ପିଣ୍ଡଦାନ କରିବେ। ପୁରୀ ଲୋକଭବନରେ ରାତ୍ରିଯାପନ କରିବାର କାର୍ଯ୍ୟକ୍ରମ ରହିଛି।