ରାୟଗଡା: ଆତ୍ମସମର୍ପଣ କରିବା ନେଇ ଓଡିଶା ସରକାର ଓ ଗୃହ ବିଭାଗକୁ ଚିଠି ଲେଖି ୪ଟି ସର୍ତ୍ତ ରଖିଲେ ଟପ ମାଓ ନେତା ନିଖିଲ ଓରଫ୍ ନିରଞ୍ଜନ ରାଉତ ଓ ଇନ୍ଦୁ ଓରଫ୍ ଅଙ୍କିତା, ରଶ୍ମିତା ଲେଙ୍କା । ସର୍ତ୍ତ ପୂରଣ କଲେ ଓଡ଼ିଶା ପୋଲିସ ପାଖରେ ଆମେ ଆତ୍ମସମର୍ପଣ କରିବୁ ବୋଲି ଲିଖିତ ମାଓପତ୍ର ହସ୍ତଗତ ହୋଇଛି ।
ନିଖିଲ ଓ ଇନ୍ଦୁ ରଖିଥିବା ୪ଟି ଦାବି ଗୁଡିକ ହେଲା.. ଗଣତାନ୍ତ୍ରିକ ଓ ଆଇନଗତ ସୀମା ମଧ୍ୟରେ ଦେଶର ଶୋଷିତ ଉତ୍ପୀଡ଼ିତ ଶ୍ରେଣୀ, ଶ୍ରମିକ, କୃଷକ, ହକ ଅଧିକାର ସହିତ ଜଳ -ଜମି- ଜଙ୍ଗଲ – ଅଧିକାର ଲାଗି କାର୍ଯ୍ୟ କରିବାକୁ ଚାହୁଁ, ତେଣୁ ଏହା ଉପରେ ପ୍ରତିବନ୍ଧକ ନ ଲଗାଇ କାର୍ଯ୍ୟ କରିବା ପାଇଁ ଆମକୁ ସୁଯୋଗ ଦିଆଯିବ। ଦ୍ୱିତୀୟଟି ଆତ୍ମସମର୍ପଣ ପରେ କୌଣସି ପ୍ରକାର ମାଓବାଦୀ ବିରୋଧୀ ସଶସ୍ତ୍ର ଅଭିଯାନ ଓ ଜନ ବିରୋଧୀ କାର୍ଯ୍ୟରେ ଆମକୁ ନିୟୋଜିତ କରାନଯାଉ। ତୃତୀୟ ମାଓବାଦୀ ସଂଗଠନ ଛାଡି ଆତ୍ମସମର୍ପଣ କରିଥିବା ଆଜାଦ, ସବ୍ୟସାଚି ପଣ୍ଡାଙ୍କୁ ବହୁବର୍ଷ ହେବ ଜେଲରେ ବନ୍ଦି କରି ରଖାଯାଇଛି। ତେଣୁ ରାଜ୍ୟ ସରକାର ଯେଉଁ ଆତ୍ମସମର୍ପଣ ନୀତି ବନାଇଛନ୍ତି ଓ ଯେଉଁ ପ୍ରତିଶ୍ରୁତି ଦେଇଛନ୍ତି ଆତ୍ମସମର୍ପଣକାରି ମାଓବାଦୀଙ୍କ କ୍ଷେତ୍ରରେ ତାହାକୁ ପୂର୍ଣ୍ଣମାତ୍ରାରେ କାର୍ଯ୍ୟକାରି କରନ୍ତୁ । ଚିଠିରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟି ଓଡିଶା ରାଜ୍ୟ କମିଟି ସଦସ୍ୟ ସି. ପି. ଆଇ (ମାଓବାଦୀ)ନିଖିଲ (ନିରଞ୍ଜନ ରାଉତ ), ଇନ୍ଦୁ (ଅଙ୍କିତା, ରଶ୍ମିତା ଲେଙ୍କା )ବୋଲି ଉଲ୍ଲେଖ ରହିଛି ।

ଆମେ ଦୁଇ ଜଣ ଓଡିଶା ପୋଲିସ ସମ୍ମୁଖରେ ଆତ୍ମସମର୍ପଣ କରିବୁ । ଆଉ ଅନ୍ୟ ସାଥୀମାନଙ୍କୁ ସାମ୍ବିଧାନିକ ରାସ୍ତାରେ ଫେରିଆସିବା ଲାଗି ଆତ୍ମସମର୍ପଣ କରିଦେବା ପାଇଁ ଆହ୍ୱାନ କରିବୁ ବୋଲି କହିଛନ୍ତି ।