ନୂଆଦିଲ୍ଲୀ: ଗୁରୁବାର ରାଜ୍ୟସଭାରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବର ଉତ୍ତର ଦେଇ ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ ଯେ ବିକଶିତ ଭାରତ ଦିଗରେ ଗତ ବର୍ଷ ଦେଶ ପାଇଁ ଦ୍ରୁତ ବିକାଶର ବର୍ଷ ପାଲଟିଛି। ଏହା ସମାଜର ପ୍ରତ୍ୟେକ ବର୍ଗର ଓ ପ୍ରତ୍ୟେକ କ୍ଷେତ୍ରରେ ପରିବର୍ତ୍ତନ ଆଣିଛି। ଦେଶ ସଠିକ ଦିଗରେ ଦ୍ରୁତ ଗତିରେ ଆଗକୁ ବଢ଼ିବାରେ ଲାଗିଛି।
ତେବେ ପ୍ରଧାନମନ୍ତ୍ରୀ ବିଶ୍ୱ ସ୍ତରରେ ନଅଟି ଦେଶ ସହିତ ବାଣିଜ୍ୟ ଚୁକ୍ତିର ଉଲ୍ଲେଖ କରିବା ସହ ୨୭-ରାଷ୍ଟ୍ରୀୟ EU ସହିତ “ମଦର ଅଫ ଅଲ ଟ୍ରେଡ”ର ମଧ୍ୟ ଉଲ୍ଲେଖ କରିଛନ୍ତି।
ବର୍ତ୍ତମାନ୍ ଭାରତ ଅନେକ ଦେଶ ସହିତ ଏହାର ଭବିଷ୍ୟତ ପାଇଁ ବାଣିଜ୍ୟ ଚୁକ୍ତିରେ ପ୍ରବେଶ କରୁଥିବା ନେଇ ରାଜ୍ୟସଭାକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି। ଏଥିସହିତ ଗତ କିଛି ମାସ ମଧ୍ୟରେ ଭାରତ ବିଶ୍ୱର କିଛି ଗୁରୁତ୍ୱପୂର୍ଣ୍ଣ ଏବଂ ଉନ୍ନତ ଅର୍ଥନୀତି ସହିତ ପ୍ରମୁଖ ବାଣିଜ୍ୟ ଚୁକ୍ତି ସ୍ୱାକ୍ଷର କରିଥିବା ନେଇ ମଧ୍ୟ କୁହାଯାଇଛି। ତେବେ ୨୭ଟି ଦେଶକୁ ନେଇ ୟୁରୋପୀୟ ସଂଘ ସହିତ ଏକ ଐତିହାସିକ ଚୁକ୍ତି ଚୂଡ଼ାନ୍ତ ହୋଇଥିବା ମଧ୍ୟ ପ୍ରଧାନମନ୍ତ୍ରୀ କହିଛନ୍ତି।
ପୂର୍ବରୁ ଭାରତ ଏପରି ପରିସ୍ଥିତିରେ ଥିଲା ଯେ ବିଶ୍ୱର କୌଣସି ଦେଶ ଭାରତ ସହିତ ବାଣିଜ୍ୟ ଚୁକ୍ତି କରିବାକୁ ଇଚ୍ଛୁକ ନଥିଲେ ବୋଲି ମୋଦି କହିଛନ୍ତି। ଏଥିପାଇଁ ସେ ପୂର୍ବରୁ ଥିବା ସରକାରକୁ ଦାୟୀ କରିଛନ୍ତି ଓ ବାରମ୍ବାର ପ୍ରୟାସ ସତ୍ୱେ ମଧ୍ୟ କାହିଁକି ପୁରୁଣା ସରକାର ଏଥିରେ ସଫଳ ହୋଇପାରିନଥିଲା ଏ ନେଇ ମଧ୍ୟ ସେ ପ୍ରଶ୍ନ କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଏହି ଭାଷଣ ସମୟରେ ବିରୋଧୀ ସଦସ୍ୟମାନେ ସ୍ଲୋଗାନ ଦେଇଥିଲେ ଓ “ବିରୋଧୀ ଦଳ ନେତାଙ୍କୁ କହିବାକୁ ଦିଅ” ବୋଲି ଦାବି କରିଥିଲେ। ଏହା ପରେ ବିରୋଧୀ ଦଳ ସଦସ୍ୟମାନେ ବାହାରକୁ ମଧ୍ୟ ଚାଲିଯାଇଥିଲେ। ଯାହାପରେ ପ୍ରଧାନମନ୍ତ୍ରୀ ମୋଦୀ ବିରୋଧୀ ଦଳକୁ କଟାକ୍ଷ କରି କହିଥିଲେ ଯେ ସେମାନେ ହତାଶ ଓ କ୍ଳାନ୍ତ ହୋଇ ଚାଲିଯାଇଛନ୍ତି। ତେବେ କଂଗ୍ରେସର କୌଣସି ଦୃଷ୍ଟିକୋଣ ନାହିଁ ଓ କଂଗ୍ରେସ କେବଳ କଳ୍ପନା କରିପାରେ ବୋଲି ମୋଦି କହିଥିଲେ।