ନୂଆଦିଲ୍ଲୀ: ଟି୨୦ ବିଶ୍ୱକପ ୨୦୨୬ରେ ଆଘାତ ସମସ୍ୟା ଅଧିକାଂଶ ଟିମକୁ ଚିନ୍ତାରେ ପକାଇଛି । ଭାରତୀୟ ଟିମର ପେସ ବୋଲର ହର୍ଷିତ ରାଣା ଆଘାତ ସମସ୍ୟା ଯୋଗୁ ଦଳରୁ ଓହରି ଯାଇଛନ୍ତି । ହର୍ଷିତଙ୍କ ସ୍ଥାନରେ ମହମ୍ମଦ ସିରାଜଙ୍କୁ ସୁଯୋଗ ମିଳିଛି । ହର୍ଷିତଙ୍କ ସମେତ ଏବେ ବିଭିନ୍ନ ଦେଶର ୭ଜଣ ଖେଳାଳି ଆଘାତ ସମସ୍ୟାରୁ ଓହରି ଯାଇଛନ୍ତି । ଅଷ୍ଟ୍ରେଲିଆର ପ୍ୟାଟ କୁମିନ୍ସ ଓ ଜୋଶ ହାଜେଲଉଡ ଓହରିଯାଇଛନ୍ତି । ୱେନ ଡର୍ବାଶିୟଶ ଓ ଶନ ଆବୋଟ୍ଟଙ୍କ ଏମାନଙ୍କ ସ୍ଥାନରେ ଖେଳିବା ସୁଯୋଗ ପାଇବେ ।
ସେହିପରି ଦକ୍ଷିଣ ଆଫ୍ରିକାର ବାମହାତୀ ବ୍ୟାଟ୍ସମ୍ୟାନ ଟୋନୀ ଡେ ଜୋରଜୀ ଓ ଡୋନୋବନ ଫରେରା ମଧ୍ୟ ଆଘାତ ସମସ୍ୟାରୁ ଓହରି ଯାଇଛନ୍ତି । ନ୍ୟୁଜିଲାଣ୍ଡର ପେସ ବୋଲର ଆଡାମ ମିଲନ ମଧ୍ୟ ଓହରି ଯାଇଛନ୍ତି । ତାଙ୍କ ସ୍ଥାନରେ କାଇଲ ଜେମୀସନ ଚୂଡାନ୍ତ ଦଳରେ ସାମିଲ ହୋଇଛନ୍ତି । ଆଫଗାନିସ୍ତାନର ପେସ ବୋଲର ନବୀନ ଉଲ ହକ ମଧ୍ୟ ଟି୨୦ ବିଶ୍ୱକପରୁ ଓହରି ଯାଇଛନ୍ତି ।