କନ୍ଧମାଳ: ଜିଲ୍ଲାର ବିଭିନ୍ନ ଥାନା ତରଫରୁ ଅପରେସନ ନୀଳଜହର ଅଭିଯାନ ଜାରି ରହିଛି । କନ୍ଧମାଳ ଜିଲ୍ଲା ଏସପିଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲାର ଫିରିଙ୍ଗିଆ ଥାନା ତରଫରୁ ମଧ୍ୟ ଦୁଇଦିନ ହେଲା ଲଗାତାର ଭାବରେ ବଣ ପାହାଡ଼ ଘେରା ଜଙ୍ଗଲମାନଙ୍କରେ ଚଢ଼ାଉ କରାଯାଉଛି । ତେବେ ଏହି କ୍ରମରେ ଗଚ୍ଛିତ ରଖାଯାଇଥିବା ପ୍ରାୟ ଷୋହଳ କୁଇଣ୍ଟାଲ ଗଞ୍ଜେଇକୁ ଜବତ କରାଯାଇଥିବ ସୂଚନା ରହିଛି ।
ପ୍ରଥମ ଦିନରେ ଥାନା ଅଧୀନରେ ଥିବା କାଶିନୀପଦର ପଂଚାୟତ ମାଝିପଡ଼ା ଗାଁ ନିକଟରେ ଥିବା ଜଙ୍ଗଲରେ ଚଢ଼ାଉ କରାଯାଇଥିଲା । ନଅ କୁଇଣ୍ଟାଲରୁ ଅଧିକ ଗଞ୍ଜେଇ ଜବତ ହୋଇଥିଲା । ଦ୍ଵିତୀୟ ଦିନରେ ପୁଣି ଏହି ଥାନା ଅଧୀନରେ ଥିବା ବନ୍ଧଗଡ଼ ଗାଁ ନିକଟରେ ଥିବା ଜଙ୍ଗଲରେ ଚଢ଼ାଉ କରାଯାଇଥିଲା । ସେଠାରୁ ସାତ କୁଇଣ୍ଟାଲରୁ ଅଧିକ ଗଞ୍ଜେଇ ଜବତ କରାଯାଇଛି।
ଏହି ଗଞ୍ଜେଇ ଚଢ଼ାଉକୁ ନେଇ ଫିରିଙ୍ଗିଆ ଥାନାରେ ୦୩/୨୦୨୬ ଓ ୨୯/୨୦୨୬ ରେ ପୃଥକ ପୃଥକ ଦୁଇଟି ମାମଲା ରୁଜୁ କରାଯାଇଛି ।
ତେବେ ଜବତ ଗଞ୍ଜେଇକୁ କୋର୍ଟ ଚାଲାଣ କରାଯାଇଥିବା ସୂଚନା ଦେଇଛନ୍ତି ଥାନା ଅଧିକାରୀ ମୁରଲିଧର ସାହୁ।