ଚେନ୍ନାଇ: ଚଳିତ ଟି୨୦ ବିଶ୍ୱକପ କ୍ରିକେଟରେ ରବିବାରୀ ନ୍ୟୁଜିଲାଣ୍ଡ ଓ ଇଂଲଣ୍ଡ ବିଜୟ ହାସଲ କରିଛନ୍ତି । ଅବଶ୍ୟ ବିଜୟ ହାସଲ କରିବା ପାଇଁ ଉଭୟ ଟିମକୁ ନାକେଦମ ହେବାକୁ ପଡିଥିଲା । ପ୍ରଥମ ମ୍ୟାଚରେ ନ୍ୟୁଜିଲାଣ୍ଡ ଚମତ୍କାର ବ୍ୟାଟିଂ ପ୍ରଦର୍ଶନ କରି ଆଫଗାନିସ୍ତାନକୁ ପରାସ୍ତ କରିଛି । ପ୍ରଥମେ ବ୍ୟାଟିଂ କରି ଆଫଗାନିସ୍ତାନ ଗୁଲବଦିନ ନଇବଙ୍କ ୬୩ ରନ ସହାୟତାରେ ୨୦ ଓଭରରେ ୬ ୱିକେଟ ହରାଇ ୧୮୨ ରନ କରିଥିଲା । ୧୮୩ ରନର ବିଜୟ ଲକ୍ଷ୍ୟକୁ ନ୍ୟୁଜିଲାଣ୍ଡ ୧୭.୫ ଓଭରରେ ୫ ୱିକେଟ ହରାଇ ହାସଲ କରି ନେଇଥିଲେ । ଟିମ ସିଫର୍ଟ୬୫ ଓ ଗ୍ଲେନ ଫିଲିପ୍ସ ୪୨ ରନର ଇନିଂସ ଖେଳିଥିଲେ ।
ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟ ପରେ ସିଫର୍ଟ ଓ ଫିଲିପ୍ସ ତୃତୀୟ ୱିକେଟରେ ୪୭ ବଲରେ ୭୪ ରନ କରି ଦଳକୁ ସୁବିଧାଜନକ ସ୍ଥିତିରେ ପଂହଚାଇଥିଲେ । ମୁଜୀବ ଉର ରହେମାନ ଦୁଇଟି ୱିକେଟ ନେଇଥିଲେ । ସିଫର୍ଟ ପ୍ଲେୟାର ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ । ଦ୍ୱିତୀୟ ମୁକାବିଲାରେ ଇଂଲଣ୍ଡ ଅଳ୍ପକେ ନେପାଳ ହାତରୁ ପରାଜିତ ହେବାରୁ ବଂଚିଯାଇଛି । ଇଂଲଣ୍ଡ ୪ ରନରେ ବିଜୟ ହାସଲ କରିଥିଲା । ଜାକବ ବେଥେଲ(୫୫) ଓ ହ୍ୟାରୀ ବ୍ରୁକ(୫୩)ଙ୍କ ଅର୍ଦ୍ଧଶତକ ସହାୟତାରେ ୭ ୱିକେଟ ବିନିମୟରେ ୧୮୪ ରନ କରିଥିଲା । ନେପାଳ ୨୦ ଓଭରରେ ୬ ୱିକେଟ ବିନିମୟରେ ୧୮୦ ରନ କରିବାକୁ ସକ୍ଷମ ହୋଇଥିଲା । ଦୀପେନ୍ଦ୍ର ସିଂ ୪୪ ରନ କରିଥିଲେ ।