ଭୁବନେଶ୍ୱର: ଆଉ ରହିବନି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହଜିବାର ଚିନ୍ତା। ପ୍ରାଥମିକ କୃଷି ସମବାୟ ସମିତି(ପାକ୍ସ) ଗୁଡ଼ିକରେ କମିବ କାଗଜପତ୍ରରେ କାରବାର। କମିବ ଦୁର୍ନୀତି, ଆସିବ ସ୍ୱଚ୍ଛତା। କାରଣ ରାଜ୍ୟର ସମସ୍ତ ପାକ୍ସଗୁଡ଼ିକ ହେବ ଡିଜିଟାଇଜେସନ୍। ଅନଲାଇନ୍ରେ ତଥ୍ୟ ରହିବା ସହିତ ପରିଚାଳିତ ହେବ। ମାନୁଆଲି ନ ହୋଇ ସମ୍ପୂର୍ଣ୍ଣ ଭାବେ ଇ-ଗଭର୍ଣ୍ଣାନ୍ସ ବ୍ୟବସ୍ଥାରେ କାର୍ଯ୍ୟକାରୀ ହେବ। ସମସ୍ତ ପାକ୍ସ ସେମାନଙ୍କର ବାର୍ଷିକ ରିଟର୍ଣ୍ଣ ଓ ରିପୋର୍ଟଗୁଡ଼ିକର ଇ-ଫାଇଲିଂ କରିବେ।
ଇ-ତଦନ୍ତ ଓ ଇ-ଅଡିଟ୍ କରାଯିବ। ଚାଷୀ ଓ ଉପଭୋକ୍ତାମାନଙ୍କର ସମବାୟ ସମିତି ସମ୍ପର୍କରେ କିଛି ଅଭିଯୋଗ ଥିଲେ ତାହା ସେମାନେ ଅନଲାଇନ୍ରେ ଦାଖଲ କରିବେ। ତାହା ଅନଲାଇନ୍ରେ ସମାଧାନ ହେବ। ସମସ୍ତ ପାକ୍ସଗୁଡ଼ିକର ପଞ୍ଜୀକରଣ ବି ଅନଲାଇନ୍ରେ ହେବ। ସମବାୟ ନିବନ୍ଧକ ଏହାର ତଦାରଖ କରିବେ। ସମବାୟ ସମିତି ସମୂହ ଅଡିଟ୍ର ନିର୍ଦ୍ଦେଶାଳୟ ମଧ୍ୟ ଏହାର କାର୍ଯ୍ୟକାରିତା ଉପରେ ନଜର ରଖିବେ।
ଉପ ସମବାୟ ନିବନ୍ଧକ, ବରିଷ୍ଠ ସହକାରୀ ସମବାୟ ଉପ ନିବନ୍ଧକ ପ୍ରମୁଖ ଏହାର କାର୍ଯ୍ୟାନ୍ୱୟନ ଦାୟିତ୍ୱ ବହନ କରିବେ। ଅପରପକ୍ଷେ ସାରା ରାଜ୍ୟରେ ଏକ ସମବାୟ ତଥ୍ୟ ଡାଟାବେସ୍ ରହିବ। ଯାହା ଜାତୀୟ ସମବାୟ ତଥ୍ୟ ଡାଟାବେସ୍ ଭଳି ହେବ। ଏହି ତଥ୍ୟ ମଧ୍ୟରେ ସଦସ୍ୟତା, ଆର୍ଥିକ ସ୍ଥିତି, ସମବାୟ ଅନୁଷ୍ଠାନର କାର୍ଯ୍ୟକାରିତା ଉପଲବ୍ଧ ହେବ। ଫଳରେ ରାଜ୍ୟରେ ହେଉ କିମ୍ବା ସାରା ଦେଶରେ ଆବଶ୍ୟକ ମୁତାବକ ତଥ୍ୟ ଉପଲବ୍ଧ ହେବା ସହିତ ବିଭିନ୍ନ କ୍ଷେତ୍ରରେ ଯେଉଁ ସମବାୟ ସଂସ୍ଥା ପଛରେ ପଡ଼ିଥିବ, ତାହାକୁ ପ୍ରୋତ୍ସାହନ ଦେଇ ପରିଚାଳନା କରିହେବ।
ରାଜ୍ୟରେ ଏବେ ପାଖାପାଖି ୮ହଜାର ସମବାୟ ସଂସ୍ଥା ରହିଛି । ସେଥିମଧ୍ୟରୁ କୃଷି ସମବାୟ, ଗୋ ସମବାୟ, ମତ୍ସ୍ୟ ସମବାୟ, କୁକୁଡ଼ା ସମବାୟ, ହସ୍ତତନ୍ତ ସମବାୟ, ହସ୍ତଶିଳ୍ପ ସମବାୟ, ବୟନ ସମବାୟ, ଆଦିବାସୀ ଉନ୍ନୟନ ସମବାୟ, ଉପଭୋକ୍ତା ସମବାୟ ଓ କର୍ମଚାରୀ କଲ୍ୟାଣ ସମବାୟ ସଂସ୍ଥା ଆଗ ଧାଡ଼ିରେ ରହିଛି । ଏ ସମସ୍ତ ସମବାୟର ସଦସ୍ୟ ସଂଖ୍ୟା ମିଶିଲେ ୧ କୋଟିରୁ ଅଧିକ ହେବ । ଏହି ସମବାୟ ସଂସ୍ଥାଗୁଡ଼ିକ ମଧ୍ୟରୁ ସର୍ବାଧିକ ୪୨୫୨ ପାକ୍ସ ଓ ଲାମ୍ପ୍ସ ରହିଛି । ୧୭ଟି ଜିଲ୍ଳାସ୍ତରୀୟ କେନ୍ଦ୍ରୀୟ ସମବାୟ ବ୍ୟାଙ୍କ ରହିଛି । ଏସବୁକୁ ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କ ପରିଚାଳନା କରୁଛି । ଆଗାମୀ ଦିନରେ ସବୁ ଜିଲ୍ଲାରେ କେନ୍ଦ୍ରୀୟ ସମବାୟ ବ୍ୟାଙ୍କ କରାଯିବାର ଯୋଜନା ରହିଛି । ଏହା ସହିତ ୨୦୩୦ ସୁଦ୍ଧା ସବୁ ପଞ୍ଚାୟତରେ ପାକ୍ସ ହେବ ।