ନୂଆଦିଲ୍ଲୀ: ଯଦି ଆପଣ ଜଣେ ଟ୍ୟାକ୍ସପେୟର ବା ଆୟକରଦାତା ଏବଂ ଚଳିତ ବର୍ଷ ଆୟକର ରିଟର୍ଣ୍ଣ ବା ITR ଫାଇଲ୍ କରିବାକୁ ପ୍ରସ୍ତୁତ ହେଉଛନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ନୂଆ ଆୟକର ଆଇନ ଆସିବା ପରେ ଫର୍ମ ବଦଳିବା ନେଇ ଯେଉଁ ଚର୍ଚ୍ଚା ହେଉଥିଲା, ସେଥିରେ ଏବେ ବିରାମ ଲାଗିଛି । ଆସେସମେଣ୍ଟ ଇୟର ୨୦୨୬-୨୭ ପାଇଁ କିଛି ବଡ଼ ଆଶ୍ୱସ୍ତି ଦେଇଛନ୍ତି ସରକାର ।
ଆୟକର ଦାତାଙ୍କ ପାଇଁ ଖୁସି ଖବର। ଆସେସମେଣ୍ଟ ଇୟର ୨୦୨୬-୨୭ ପାଇଁ ITR ଦାଖଲ ପ୍ରକ୍ରିୟାରେ କୌଣସି ବଡ଼ ବୈଷୟିକ ପରିବର୍ତ୍ତନ ହେବ ନାହିଁ। ଯଦିଓ ୧ ଏପ୍ରିଲ ୨୦୨୬ରୁ ନୂଆ ଟ୍ୟାକ୍ସ ଢାଞ୍ଚା ଲାଗୁ ହେବାକୁ ଯାଉଛି, କିନ୍ତୁ CBDT ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଚଳିତ ବର୍ଷ ମଧ୍ୟ ପୁରୁଣା ଫର୍ମରେ ହିଁ ରିଟର୍ଣ୍ଣ ଫାଇଲ୍ କରାଯିବ। ଅର୍ଥାତ୍ ଟ୍ୟାକ୍ସପେୟରଙ୍କୁ କୌଣସି ନୂଆ ଜଟିଳ ପ୍ରକ୍ରିୟାର ସାମ୍ନା କରିବାକୁ ପଡ଼ିବ ନାହିଁ।
ବର୍ତ୍ତମାନ ଦେଶରେ ପ୍ରାୟ ୯ କୋଟି ଲୋକ ITR ଫାଇଲ୍ କରୁଛନ୍ତି। ତେବେ ଟ୍ୟାକ୍ସ ଦେଉଥିବା ଲୋକଙ୍କ ସଂଖ୍ୟା ପ୍ରାୟ ୧୨ କୋଟି। ସରକାରଙ୍କ ଲକ୍ଷ୍ୟ ହେଉଛି ଅଧିକରୁ ଅଧିକ ଲୋକଙ୍କୁ ଟ୍ୟାକ୍ସ ପରିସରଭୁକ୍ତ କରିବା, କିନ୍ତୁ ଏହି ପ୍ରକ୍ରିୟାକୁ ସରଳ ରଖିବା ପାଇଁ ବର୍ତ୍ତମାନ ପୁରୁଣା ଫର୍ମକୁ ହିଁ ଜାରି ରଖାଯାଇଛି।
ତେବେ ୨୦୨୭ରୁ ନୂଆ ବ୍ୟବସ୍ଥା ଲାଗୁ ହେବ, ଡାଟା ସେୟାରିଂ ଏବଂ ଥାର୍ଡ ପାର୍ଟି ରିପୋର୍ଟିଂ ଭଳି ବଡ଼ ପରିବର୍ତ୍ତନ ତୁରନ୍ତ ଲାଗୁ ହେବ ନାହିଁ। ୨୦୨୭ ଆର୍ଥିକ ବର୍ଷରୁ ନୂଆ ସୂଚନା ସେୟାରିଂ ସିଷ୍ଟମ କାମ କରିବା ଆରମ୍ଭ କରିବ। କ୍ରିପ୍ଟୋ ଏକ୍ସଚେଞ୍ଜ ଏବଂ ଅନ୍ୟାନ୍ୟ ମାଧ୍ୟମର କାରବାର ତଥ୍ୟ ୨୦୨୭ରୁ ଆୟକର ବିଭାଗ ନିକଟକୁ ଯିବ।
ସହଜ ଭାଷାରେ କହିବାକୁ ଗଲେ, AY 2026-27 ପାଇଁ ଆପଣଙ୍କୁ ନୂଆ ଫର୍ମ ଖୋଜିବାକୁ ପଡ଼ିବ ନାହିଁ। ପୁରୁଣା ପଦ୍ଧତିରେ ହିଁ ଆପଣ ନିଜର ଟ୍ୟାକ୍ସ ରିଟର୍ଣ୍ଣ ଦାଖଲ କରିପାରିବେ। ଆଗାମୀ ଦିନରେ ବୈଷୟିକ ପରିବର୍ତ୍ତନ ଆସିବ, କିନ୍ତୁ ବର୍ତ୍ତମାନ ପାଇଁ ଆପଣ ନିଶ୍ଚିନ୍ତ ରହିପାରିବେ।