ନୂଆଦିଲ୍ଲୀ: ଆମେରିକାରେ ଚାକିରି କରିବାକୁ ସ୍ୱପ୍ନ ଦେଖୁଥିବା ଏବଂ ଚାକିରି କରୁଥିବା ଭାରତୀୟ ଆଇଟି ପ୍ରୋଫେସନାଲ୍ଙ୍କୁ ବଡ଼ ଝଟକା ଲାଗିଛି । ଆମେରିକା ସଂସଦରେ ଆଗତ ହୋଇଛି ‘ଏକ୍ସାଇଲ୍ ଆକ୍ଟ’ । ଫ୍ଲୋରିଡାର ରିପବ୍ଲିକାନ୍ ସାଂସଦ ଗ୍ରେଗ୍ ଷ୍ଟ୍ୟୁବି ଏହି ବିଲ୍ ଆଣିଛନ୍ତି । ଏହି ବିଲ୍ର ମୂଳ ଲକ୍ଷ୍ୟ ହେଉଛି H-1B ଭିସା କାର୍ଯ୍ୟକ୍ରମକୁ ସମ୍ପୂର୍ଣ୍ଣ ରୂପେ ଶେଷ କରିବା ।
ଷ୍ଟ୍ୟୁବିଙ୍କ ଯୁକ୍ତି ହେଉଛି ଯେ, ବିଦେଶୀ କର୍ମଚାରୀଙ୍କୁ ଗୁରୁତ୍ୱ ଦେବା ଦ୍ୱାରା ଆମେରିକୀୟ ଯୁବକମାନଙ୍କ ରୋଜଗାର ଉପରେ ଚଡ଼କ ପଡ଼ୁଛି । କମ୍ ଦରମାରେ ବିଦେଶୀଙ୍କୁ ନିଯୁକ୍ତି ଦେଇ ବଡ଼ ବଡ଼ କମ୍ପାନୀମାନେ ଆମେରିକୀୟଙ୍କ ସ୍ୱାର୍ଥ ସହ ଖେଳୁଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି । ଡିଜନି, ମାଇକ୍ରୋସଫ୍ଟ ଏବଂ ଫେଡେକ୍ସ ପରି ବଡ଼ କମ୍ପାନୀଗୁଡିକ H-1B ଭିସା କର୍ମଚାରୀଙ୍କୁ ଚାକିରି ଦେବା ଯୋଗୁଁ ସ୍ଥାନୀୟ ଯୁବକଙ୍କୁ ବାହାର କରିଥିବା ଏହି ବିଲ୍ରେ ଦର୍ଶାଯାଇଛି ।
ଗ୍ରେଗ୍ ଷ୍ଟ୍ୟୁବିଙ୍କ କହିବା ଅନୁଯାୟୀ, ଆମେରିକୀୟ ନାଗରିକଙ୍କ ସ୍ୱାର୍ଥ ଅପେକ୍ଷା ବିଦେଶୀ କର୍ମଚାରୀଙ୍କୁ ପ୍ରାଥମିକତା ଦେବା ଦେଶର ହିତ ବିରୋଧୀ। ସେ ଅଭିଯୋଗ କରିଛନ୍ତି ଯେ, ବଡ଼ ବଡ଼ କମ୍ପାନୀଗୁଡ଼ିକ କମ୍ ଦରମାରେ ବିଦେଶୀ କର୍ମଚାରୀଙ୍କୁ ନିଯୁକ୍ତି ଦେଇ ଆମେରିକୀୟ ଯୁବକମାନଙ୍କ ରୋଜଗାର ସୁଯୋଗ ଛଡ଼ାଇ ନେଉଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ‘ଆମେରିକାନ୍ ଡ୍ରିମ୍’ କୁ ବଞ୍ଚାଇବା ପାଇଁ ଏହି ବ୍ୟବସ୍ଥା ଉପରେ ରୋକ୍ ଲଗାଇବା ଜରୁରୀ ।
ଯଦି ଏହି ବିଲ୍ ଆଇନରେ ପରିଣତ ହୁଏ, ତେବେ ଆମେରିକାରେ ବସବାସ କରିବାର ସ୍ୱପ୍ନ ଦେଖୁଥିବା ଲକ୍ଷ ଲକ୍ଷ ଭାରତୀୟଙ୍କ ଉପରେ ଏହାର ସିଧାସଳଖ ପ୍ରଭାବ ପଡ଼ିବ। ବର୍ତ୍ତମାନ H-1B ଭିସାଧାରୀଙ୍କ ମଧ୍ୟରେ ୮୦ ପ୍ରତିଶତରୁ ଅଧିକ ଭାରତୀୟ ଏବଂ ଚୀନ୍ ନାଗରିକ ଅଛନ୍ତି। ଏହାପୂର୍ବରୁ ଟ୍ରମ୍ପ ସରକାର ମଧ୍ୟ ଏହି ଭିସା ସମ୍ବନ୍ଧୀୟ ନିୟମକୁ କଡ଼ାକଡ଼ି କରିସାରିଛନ୍ତି। ନୂଆ H-1B ଭିସା ଉପରେ ୧ ଲକ୍ଷ ଡଲାର ପର୍ଯ୍ୟନ୍ତ ଫିସ୍ ଲଗାଇବା ଏବଂ ଲଟେରୀ ସିଷ୍ଟମ ପରିବର୍ତ୍ତେ ଅଧିକ ଦରମା ଥିବା ଚାକିରିକୁ ପ୍ରାଥମିକତା ଦେବା ପାଇଁ ନିଷ୍ପତ୍ତି ନିଆଯାଇଛି ।
କମ୍ ଦରମା କିମ୍ବା ଏଣ୍ଟ୍ରି-ଲେଭଲ୍ ଚାକିରି ପାଇଁ ଭିସା ମିଳିବା ଏଣିକି ଆହୁରି କଷ୍ଟକର ହୋଇଯିବ। ଏହି ନିୟମ ଫେବୃଆରୀ ୨୭ ରୁ ଲାଗୁ ହେବାକୁ ଯାଉଛି। ଏଭଳି ପରିସ୍ଥିତିରେ H-1B ଭିସା ଶେଷ କରୁଥିବା ଏହି ନୂଆ ବିଲ୍ ଭାରତୀୟ ଆଇଟି ପ୍ରୋଫେସନାଲ୍ଙ୍କ ଚିନ୍ତା ବଢ଼ାଇ ଦେଇଛି। ଏହା ବ୍ୟତୀତ, ଗତ ଡିସେମ୍ବର ୧୫ରୁ ସୋସିଆଲ ମିଡିଆ ପ୍ରୋଫାଇଲ୍ ଯାଞ୍ଚ ପରି କଡ଼ା ନିୟମ ଯୋଗୁଁ ଅନେକ ଭାରତୀୟ ପ୍ରଫେସନାଲ ଏବେ ଚିନ୍ତାରେ ଅଛନ୍ତି। ଆଉ ଯଦି ଏହି ନୂଆ ବିଲ୍ ପାସ୍ ହୁଏ, ତେବେ ଭାରତର ଆଇଟି ସେକ୍ଟର ଏବଂ ଆମେରିକାରେ ରହୁଥିବା ଲକ୍ଷ ଲକ୍ଷ ଭାରତୀୟଙ୍କ ପାଇଁ ଏକ ବଡ଼ ଧକ୍କା ହେବ ।