ମୁମ୍ବାଇ: ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନ ଏବଂ ତାଙ୍କ ପତ୍ନୀ ବ୍ରିଜିଟ୍ ମାକ୍ରୋନ ତିନି ଦିନିଆ ଭାରତ ଗସ୍ତରେ ଆସିଛନ୍ତି। ମାକ୍ରୋନ ଆଜି ମୁମ୍ବାଇ ଯାତ୍ରା କରୁଛନ୍ତି, ଯେଉଁଠାରେ ସେ ଦିଲ୍ଲୀରେ ଚାଲିଥିବା ଏଆଇ ସମ୍ମିଳନୀରେ ଯୋଗଦେବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଆଜି ମୁମ୍ବାଇ ଯାତ୍ରା କରୁଛନ୍ତି, ଯେଉଁଠାରେ ସେ ମାକ୍ରୋନଙ୍କ ସହ ସାକ୍ଷାତ କରିବେ।
ସରକାରୀ ସୂତ୍ର ଅନୁଯାୟୀ, ଦୁଇ ନେତାଙ୍କ ମଧ୍ୟରେ ବୈଠକ ପରେ ପ୍ରତିରକ୍ଷା, ବାଣିଜ୍ୟ, ଦକ୍ଷତା ବିକାଶ, ସ୍ୱାସ୍ଥ୍ୟ ଏବଂ ଯୋଗାଣ ଶୃଙ୍ଖଳା ଭଳି କ୍ଷେତ୍ର ଉପରେ ଆଲୋଚନୀ କରିବେ। ଏହା ସହ ପ୍ରାୟ ୧୨ଟି ଚୁକ୍ତି ସ୍ୱାକ୍ଷରିତ ହେବାର ଆଶା କରାଯାଉଛି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଅନୁଯାୟୀ, ମୁମ୍ବାଇରେ, ଦୁଇ ନେତା ମିଳିତ ଭାବରେ “ଭାରତ-ଫ୍ରାନ୍ସ ନବସୃଜନ ବର୍ଷ” ଆରମ୍ଭ କରିବେ, ଯାହା ୨୦୨୬ ପର୍ଯ୍ୟନ୍ତ ଉଭୟ ଦେଶରେ ପାଳନ କରାଯିବ। ଏହି କାର୍ଯ୍ୟକ୍ରମ ମଙ୍ଗଳବାର ସନ୍ଧ୍ୟାରେ ଗେଟୱେ ଅଫ୍ ଇଣ୍ଡିଆରେ ଅନୁଷ୍ଠିତ ହେବ।
ପ୍ରଧାନମନ୍ତ୍ରୀ ମୋଦିଙ୍କ ନିମନ୍ତ୍ରଣରେ, ମାକ୍ରୋନ ୨୦୨୬ ଫେବ୍ରୁଆରି ୧୯ ପର୍ଯ୍ୟନ୍ତ ଭାରତ ସରକାରୀ ଗସ୍ତରେ ଅଛନ୍ତି। ସେ ଭାରତରେ ଅନୁଷ୍ଠିତ ହେଉଥିବା ଏଆଇ ପ୍ରଭାବ ସମ୍ମିଳନୀରେ ଅଂଶଗ୍ରହଣ କରିବେ। ଏହା ରାଷ୍ଟ୍ରପତି ମାକ୍ରୋନଙ୍କ ଚତୁର୍ଥ ଭାରତ ଗସ୍ତ ଏବଂ ମୁମ୍ବାଇକୁ ତାଙ୍କର ପ୍ରଥମ ଗସ୍ତ। ପ୍ରଧାନମନ୍ତ୍ରୀ ମୋଦି ଏବଂ ଇମାନୁଏଲ ମାକ୍ରୋନ ଆଜି ଅପରାହ୍ନ ୩ଟା ୧୫ରେ ମୁମ୍ବାଇର ଲୋକଭବନରେ ଏକ ଦ୍ୱିପାକ୍ଷିକ ବୈଠକ କରିବେ।
ଏହି ବୈଠକରେ ଭାରତ-ଫ୍ରାନ୍ସ ରଣନୈତିକ ସହଭାଗୀତାର ବିକାଶ ସମୀକ୍ଷା କରାଯିବ। ସେମାନଙ୍କର ଆଲୋଚନା ରଣନୈତିକ ସହଭାଗୀତାକୁ ମଜବୁତ କରିବା ଏବଂ ଏହାକୁ ନୂତନ ଏବଂ ଉଦୀୟମାନ କ୍ଷେତ୍ରରେ ଆହୁରି ବିବିଧ କରିବା ଉପରେ ଧ୍ୟାନ ଦିଆଯିବ। ପ୍ରଧାନମନ୍ତ୍ରୀ ମୋଦି ଏବଂ ରାଷ୍ଟ୍ରପତି ମାକ୍ରୋନ ଆଞ୍ଚଳିକ ଏବଂ ବିଶ୍ୱସ୍ତରୀୟ ଗୁରୁତ୍ୱର ପ୍ରସଙ୍ଗ ଉପରେ ମଧ୍ୟ ମତ ବିନିମୟ କରିବେ।