ନୂଆଦିଲ୍ଲୀ: କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଆସିଛି ବଡ଼ ଖବର। ଅଷ୍ଟମ ବେତନ କମିଶନକୁ ନେଇ ସରକାରୀ ସ୍ତରରେ ପ୍ରସ୍ତୁତି ଆରମ୍ଭ ହୋଇଥିବା ବେଳେ, କାହାକୁ ମିଳିବ ବେତନ ବୃଦ୍ଧିର ଫାଇଦା ଆଉ କାହା ହାତ ଖାଲି ରହିବ ଆସନ୍ତୁ ଜାଣିବା ?
କେନ୍ଦ୍ରୀୟ କର୍ମଚାରୀ ଏବଂ ପେନସନଭୋଗୀମାନେ ଦୀର୍ଘ ଦିନରୁ ଅଷ୍ଟମ ବେତନ କମିଶନ ଗଠନକୁ ଅପେକ୍ଷା କରିଛନ୍ତି। ବଢୁଥିବା ମୁଦ୍ରାସ୍ଫୀତି ଏବଂ ବଜାର ଦରକୁ ଦୃଷ୍ଟିରେ ରଖି ଏହି କମିଶନ ମାଧ୍ୟମରେ ଦରମା ବୃଦ୍ଧି ପାଇଁ ଆଶା ରଖିଛନ୍ତି ଲକ୍ଷ ଲକ୍ଷ କର୍ମଚାରୀ। ସୂଚନା ଅନୁଯାୟୀ, ଅଷ୍ଟମ ବେତନ କମିଶନ ୧ ଜାନୁଆରୀ ୨୦୨୬ ରୁ କାର୍ଯ୍ୟକାରୀ ହେବାର ସମ୍ଭାବନା ରହିଛି।
କାହାକୁ ମିଳିବ ଫାଇଦା ?
କେନ୍ଦ୍ର ସରକାରୀ କର୍ମଚାରୀ ଫାଇଦା ପାଇବେ: ପ୍ରାୟ ୪୮ ଲକ୍ଷରୁ ଅଧିକ କେନ୍ଦ୍ରୀୟ କର୍ମଚାରୀଙ୍କ ମୌଳିକ ଦରମା ବା Basic Pay ଏବଂ ଭତ୍ତା ବୃଦ୍ଧି ପାଇବ।
ପେନସନଭୋଗୀ ପାଇବେ ଫାଇଦା: ଦେଶର ପ୍ରାୟ ୬୭ ଲକ୍ଷରୁ ଅଧିକ ପେନସନଭୋଗୀଙ୍କୁ ବର୍ଦ୍ଧିତ ପେନସନର ଲାଭ ମିଳିବ।
ସାମରିକ ବାହିନୀ ଫାଇଦା ପାଇବେ: ପ୍ରତିରକ୍ଷା କ୍ଷେତ୍ରରେ କାର୍ଯ୍ୟରତ କର୍ମଚାରୀ ଓ ଅବସରପ୍ରାପ୍ତ ସୈନିକମାନେ ମଧ୍ୟ ଏହି ନୂତନ ପେ-ମାଟ୍ରିକ୍ସର ଲାଭ ପାଇବେ।
କାହାକୁ ମିଳିବ ନାହିଁ ଏହାର ଲାଭ ?
୮ମ ବେତନ କମିଶନର ଲାଭ ସମସ୍ତଙ୍କ ପାଇଁ ନୁହେଁ। ଏଥିରୁ ବାଦ୍ ପଡ଼ିପାରନ୍ତି-
ଘରୋଇ ସେକ୍ଟର କର୍ମଚାରୀ: ଏହା କେବଳ ସରକାରୀ କର୍ମଚାରୀଙ୍କ ପାଇଁ ଉଦ୍ଦିଷ୍ଟ।
ଚୁକ୍ତିଭିତ୍ତିକ କର୍ମଚାରୀ: ଯେଉଁମାନେ କେନ୍ଦ୍ର ସରକାରଙ୍କ ଅଧୀନରେ ଆଉଟସୋର୍ସିଂ କିମ୍ବା ଚୁକ୍ତିଭିତ୍ତିକ ଭାବେ କାମ କରୁଛନ୍ତି, ସେମାନଙ୍କ ପାଇଁ ଏହି ନିୟମ ଲାଗୁ ହେବ ନାହିଁ।
ରାଜ୍ୟ ସରକାରୀ କର୍ମଚାରୀ: ରାଜ୍ୟ ସରକାର ଯେପର୍ଯ୍ୟନ୍ତ ନିଜସ୍ୱ ବିଜ୍ଞପ୍ତି ପ୍ରକାଶ କରିନାହାଁନ୍ତି, ସେପର୍ଯ୍ୟନ୍ତ କେନ୍ଦ୍ରୀୟ ବେତନ କମିଶନ ସେମାନଙ୍କ ପାଇଁ ସ୍ୱତଃପ୍ରବୃତ୍ତ ଭାବେ ଲାଗୁ ହୁଏ ନାହିଁ।
୭ମ ବେତନ କମିଶନରେ ସର୍ବନିମ୍ନ ଦରମା ୧୮ ହଜାର ଟଙ୍କା ଥିବା ବେଳେ ୮ମ ବେତନ କମିଶନରେ ଏହା ପ୍ରାୟ ୨୧ ହଜାର ୬୦୦ଟଙ୍କାରୁ ୨୬ ହଜାର ଟଙ୍କା ହୋଇପାରେ | ସେହିପରି ୭ମ ବେତନ କମିଶନରେ ସର୍ବନିମ୍ନ ପେନସନ ୯ ହଜାର ଟଙ୍କା ଥିବା ବେଳେ ଅଷ୍ଟମ ବେତନ କମିଶନରେ ଏହା ପ୍ରାୟ ୧୫ ହଜାର ୫୦୦ ଟଙ୍କାରୁ ୨୦ ହଜାର ଟଙ୍କା ହେବାର ସମ୍ଭାବନା ରହିଛି ।
୮ମ ବେତନ କମିଶନ ଗଠନକୁ ନେଇ ପ୍ରକ୍ରିୟା ଏବେ ଦ୍ରୁତ ଗତିରେ ଆଗକୁ ବଢ଼ୁଛି । ନିକଟରେ କେନ୍ଦ୍ର କ୍ୟାବିନେଟ୍ର ନିଯୁକ୍ତି କମିଟି, ଆୟୋଗରେ ଏକ ନୂଆ ନିର୍ଦ୍ଦେଶକ ପଦ ପାଇଁ ମଞ୍ଜୁରୀ ଦେଇଛନ୍ତି । ୨୦୦୯ ବ୍ୟାଚ୍ର ଭାରତୀୟ ରେଳବାଇ ଆକାଉଣ୍ଟ୍ ସର୍ଭିସ୍ ଅଧିକାରୀ କୃଷ୍ଣ ଭି.ଆର୍.ଙ୍କୁ ୮ମ ବେତନ ଆୟୋଗର ନିର୍ଦ୍ଦେଶକ ଭାବେ ନିଯୁକ୍ତ କରାଯାଇଛି। ଏହି ନିଯୁକ୍ତି ପରେ କର୍ମଚାରୀଙ୍କ ପାଇଁ ନୂଆ ପେ-ମାଟ୍ରିକ୍ସ ଏବଂ ସାଲାରୀ ରିଭିଜନ କାମ ଶୀଘ୍ର ଶେଷ ହେବ ବୋଲି ଆଶା କରାଯାଉଛି ।