ମୁମ୍ବାଇ: ମହାରାଷ୍ଟ୍ରରେ ଶେଷ ହେଲା ମୁସଲିମ ସଂରକ୍ଷଣ। ଶିକ୍ଷା ଏବଂ ଚାକିରି କ୍ଷେତ୍ରରେ ମୁସଲିମ ମାନଙ୍କୁ ମିଳୁଥିବା ୫ ପ୍ରତିଶତ କୋଟାକୁ ସମ୍ପୂର୍ଣ୍ଣ ରୂପେ ରଦ୍ଦ କରିଛନ୍ତି ରାଜ୍ୟ ସରକାର। ସାମାଜିକ ନ୍ୟାୟ ବିଭାଗ ପକ୍ଷରୁ ଏନେଇ ଏକ ସରକାରୀ ସଂକଳ୍ପ ପ୍ରକାଶ ପାଇଛି।
ମହାରାଷ୍ଟ୍ରରେ ମୁସଲିମମାନଙ୍କୁ ସରକାରୀ ଓ ଅର୍ଦ୍ଧ-ସରକାରୀ ଚାକିରି ସମେତ ଶିକ୍ଷାନୁଷ୍ଠାନ ଗୁଡ଼ିକରେ ୫ ପ୍ରତିଶତ ସଂରକ୍ଷଣ ମିଳୁଥିଲା। ତେବେ ମଙ୍ଗଳବାର ଜାରି ହୋଇଥିବା ନୂତନ ଜିଆର୍ ଅନୁଯାୟୀ, ସ୍ପେଶାଲ ବ୍ୟାକୱାର୍ଡ କ୍ୟାଟେଗୋରୀ (A) ଅଧୀନରେ ମୁସଲିମ ମାନଙ୍କୁ ଦିଆଯାଉଥିବା ସମସ୍ତ ପୁରୁଣା ଆଦେଶ ଏବଂ ଅର୍ଡିନାନ୍ସକୁ କ୍ୟାନସେଲ୍ କରାଯାଇଛି।
ଏଥିସହିତ ସରକାର ସ୍ପେଶାଲ ବ୍ୟାକୱାର୍ଡ କ୍ୟାଟେଗୋରୀରେ ମୁସଲିମ ମାନଙ୍କୁ ଜାତିଗତ ପ୍ରମାଣପତ୍ର ଏବଂ ନନ୍-କ୍ରିମିଲେୟର ସାର୍ଟିଫିକେଟ୍ ପ୍ରଦାନ କରିବା ମଧ୍ୟ ବନ୍ଦ କରିଛନ୍ତି।
ତେବେ କାହିଁକି ରଦ୍ଦ ହେଲା ଏହି ସଂରକ୍ଷଣ ? ୨୦୧୪ ମସିହାରେ ତତ୍କାଳୀନ କଂଗ୍ରେସ-NCP ସରକାର ଏକ ଅର୍ଡିନାନ୍ସ ଜରିଆରେ ମରାଠାଙ୍କ ପାଇଁ ୧୬ ପ୍ରତିଶତ ଏବଂ ମୁସଲିମଙ୍କ ପାଇଁ ୫ ପ୍ରତିଶତ କୋଟା ଘୋଷଣା କରିଥିଲେ। ତେବେ ଗତ ୧୦ ବର୍ଷ ହେବ ଏହି ଆଦେଶ ଅବୈଧ ରହିଥିଲା। କାରଣ କଂଗ୍ରେସ ସରକାର ଆଣିଥିବା ଏହି ଅଧ୍ୟାଦେଶ ବିଧାନସଭାରେ ପାସ ହୋଇପାରିନଥିଲା।
୨୦୧୪ ଜୁଲାଇରେ ପୃଥ୍ୱୀରାଜ ଚୌହାନ ସରକାରଙ୍କ ଦ୍ୱାରା ୫% ସଂରକ୍ଷଣ ଘୋଷଣା କରାଯାଇଥିଲା। ସେହିବର୍ଷ ଅକ୍ଟୋବରରେ ବମ୍ବେ ହାଇକୋର୍ଟ ଶିକ୍ଷା କ୍ଷେତ୍ରରେ ସଂରକ୍ଷଣକୁ ଅନୁମତି ଦେଇଥିଲେ ହେଁ ଚାକିରି କ୍ଷେତ୍ରରେ ରୋକ୍ ଲଗାଇଥିଲେ। ୨୦୧୫ରୁ ୨୦୧୮ ଯାଏ ମାମଲା କୋର୍ଟରେ ଚାଲିବାରୁ କୌଣସି ନୂଆ ଆଇନ ପ୍ରଣୟନ ହୋଇପାରିଲା ନାହିଁ।
ଆଉ ଏବେ ବର୍ତ୍ତମାନର ସରକାର ସମସ୍ତ ପୁରୁଣା ଆଦେଶକୁ ରଦ୍ଦ କରି ଏହି ଚାପ୍ଟରକୁ ସମ୍ପୂର୍ଣ୍ଣ ବନ୍ଦ କରିଦେଇଛନ୍ତି।ମହାରାଷ୍ଟ୍ର ସରକାରଙ୍କ ଏହି ନିଷ୍ପତ୍ତି ପରେ ଏବେ ରାଜ୍ୟ ରାଜନୀତିରେ ହଟଚମଟ ସୃଷ୍ଟି ହୋଇଛି। ବିରୋଧୀ ଦଳ ଏହାକୁ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି କହୁଥିବା ବେଳେ ସରକାର ଏହାକୁ ଆଇନଗତ ପ୍ରକ୍ରିୟା ବୋଲି ଦର୍ଶାଇଛନ୍ତି।