ନୂଆଦିଲ୍ଲୀ: ଆଜିକାଲି ସୋସିଆଲ ମିଡିଆରେ ସେଲିବ୍ରିଟିଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ ଗୁଜବ ସାଧାରଣ ହୋଇଗଲାଣି। ଆଉ ଅନେକ ସମୟରେ ଏହି ଗୁଜବ ଏତେ ବଢିଯାଏ ଯେ ଷ୍ଟାରମାନଙ୍କୁ ନିଜେ ସ୍ପଷ୍ଟ କରିବାକୁ ପଡ଼ିଥାଏ।
ପ୍ରସିଦ୍ଧ ଅଭିନେତ୍ରୀ ସରଗୁନ୍ ମେହେଟ୍ଟାଙ୍କ କ୍ଷେତ୍ରରେ ଏପରି ଘଟିଛି। ସରଗୁନ୍ ଏବଂ ତାଙ୍କ ସ୍ୱାମୀ ରବି ଦୁବେଙ୍କ ଘରକୁ ଖୁସି ଖବର ଆସିବ ବୋଲି ଗଣମାଧ୍ୟମରେ ଚର୍ଚ୍ଚା ଜୋର ଧରିଛି। ପ୍ରଶଂସକମାନେ ଏହି ଖବର ଶୁଣି ଉତ୍ସାହିତ ହୋଇଥିଲା ବେଳେ ଏହାକୁ ନେଇ ସରଗୁନ୍ ଚିନ୍ତା ପ୍ରକଟ କରିଛନ୍ତି।
ସେ ସୋସିଆଲ ମିଡିଆରେ ଲେଖିଛନ୍ତି ଯେ ଗତ ଦୁଇ ବର୍ଷ ଧରି ତାଙ୍କ ଗର୍ଭଧାରଣ ନେଇ ଚର୍ଚ୍ଚା ଚାଲିଛି। ସେ ବ୍ୟଙ୍ଗାତ୍ମକ ଭାବରେ ପଚାରିଛନ୍ତି, “କିଏ ଏତେ ଦିନ ପର୍ଯ୍ୟନ୍ତ ଗର୍ଭଧାରଣ କରିପାରେ। ଅଭିନେତ୍ରୀ ସ୍ପଷ୍ଟ କରିଛନ୍ତି ଯେ ତାଙ୍କୁ ଏବଂ ରବିଙ୍କୁ ଏପରି ଖବର ବିଷୟରେ କୌଣସି ସୂଚନା ନାହିଁ। ସେ ଲୋକମାନଙ୍କୁ ଏପରି ଭିତ୍ତିହୀନ ତଥା ଅପପ୍ରଚାର ବନ୍ଦ କରିବାକୁ ଅନୁରୋଧ କରିଛନ୍ତି। ସରଗୁନ୍ ଏହା ମଧ୍ୟ କହିଛନ୍ତି ଯେ କୌଣସି ଖବର ଭାଇରାଲ କରିବା ପୂର୍ବରୁ ତାଙ୍କୁ କିମ୍ବା ତାଙ୍କ ଟିମଙ୍କୁ ଥରେ ପଚାରିବା ଉଚିତ୍। ଯାହା ଦ୍ୱାରା ଲୋକଙ୍କ ପାଖରେ ସଠିକ୍ ସୂଚନା ପହଞ୍ଚିପାରିବ।