ପାଲୀକେଲ: ଚଳିତ ଟି୨୦ ବିଶ୍ୱକପ ଏବେ ଦ୍ୱିତୀୟ ପର୍ଯ୍ୟାୟରେ ପ୍ରବେଶ କରିଛି । ଆୟୋଜକ ଶ୍ରୀଲଙ୍କାକୁ ୫୧ ରନରେ ହରାଇ ଇଂଲଣ୍ଡ ସୁପର ଏଇଟରେ ବିଜୟ ଅଭିଯାନ ଆରମ୍ଭ କରିଛି । ଇଂଲଣ୍ଡ ଟିମ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୯ ୱିକେଟ ହରାଇ ୧୪୬ ରନ କରିଥିଲା । ଓପନର ଫିଲ ସଲ୍ଟ ୪୦ ବଲରେ ଦ୍ରୁତ ୬୨ ରନ ସଂଗ୍ରହ କରିଥିଲେ । ଏଥିରେ ୪ ଚୌକା ଓ ୨ ଛକା ସାମିଲ । ୱିଲ ଜ୍ୟାକ୍ସ ୨୧ ରନ କରିଥିଲେ । ଅନ୍ୟ ବ୍ୟାଟ୍ସମ୍ୟାନମାନେ ୨୦ ଅଙ୍କ ଛୁଇଁ ପାରି ନ ଥିଲେ ।
ଜବାବରେ ଶ୍ରୀଲଙ୍କା ବ୍ୟାଟ୍ସମ୍ୟାନ ନୈରାଶ୍ୟଜନକ ପ୍ରଦର୍ଶନ କରିଥିଲେ । ୧୬.୪ ଓଭରରେ ଘରୋଇ ଦଳ ୯୫ ରନରେ ଅଲଆଉଟ ହୋଇ ଯାଇଥିଲା । ଦାସୁନ ଶାନକା ସର୍ବାଧିକ ୩୦ ରନ କରିଥିଲେ । ଇଂଲଣ୍ଡ ପକ୍ଷରୁ ୱିଲ ଜ୍ୟାକ୍ସ ୩ଟି ୱିକେଟ ନେଇଥିଲେ । ଜୋଫ୍ରା ଆର୍ଚ୍ଚର, ଆଡିଲ ରଶିଦ ଓ ଲ୍ୟାମ ଡସନ ୨ଟି ଲେଖାଏଁ ୱିକେଟ ନେଇଥିଲେ । ଜ୍ୟାକ୍ସ ପ୍ଲେୟାର ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ । ଶ୍ରୀଲଙ୍କା ବିପକ୍ଷରେ ଇଂଲଣ୍ଡର ଏହା କ୍ରମାଗତ ୧୨ତମ ବିଜୟ ।