ଭୁବନେଶ୍ଵର: ସାଧାରଣତଃ ନିର୍ମାଣ କାର୍ଯ୍ୟରେ ସ୍ୱଚ୍ଛତା ଆଣିବାକୁ ସରକାର ଟେଣ୍ଡର ପ୍ରକ୍ରିୟାରେ ଠିକା କାମ ପ୍ରଦାନ କରିଥାନ୍ତି। ଏବେ କିନ୍ତୁ ଟେଣ୍ଡର ପ୍ରକ୍ରିୟାରେ ଚଞ୍ଚକତା କରି ନିୟମ ଅଣାଯାଉଛି। ସରକାରଙ୍କ ଏହି ନିୟମକୁ ଓଡ଼ିଶା ଠିକାଦାର ମହାସଂଘ ମିଳିତ ମଞ୍ଚ ବିରୋଧ କରୁଛି।
ଏହାସହିତ ସେମାନଙ୍କର ୮ଦଫା ଦାବି ପୂରଣ ପାଇଁ ମହାସଂଘ ପକ୍ଷରୁ ବିଧାନସଭା ସଭ୍ୟମାନଙ୍କୁ ଚିଠି ଲେଖାଯାଇଛି ବୋଲି ମହାସଂଘର ଆବାହକ ଅନିଲ କୁମାର ମହାଲିକ ଓ ଓଡ଼ିଶା ଠିକାଦାର କଲ୍ୟାଣ ସଂଘର ସଭାପତି ଜଗଦୀଶ ପାତ୍ର ଏକ ପ୍ରେସ୍ ବିବୃତି ଜରିଆରେ ଜଣାଇଛନ୍ତି।
ସେ କହିଛନ୍ତି ଯେ, ବିଧାନସଭାର ସଭ୍ୟମାନେ ସରକାରଙ୍କ ଠାରେ ସେମାନଙ୍କ ଦାବି ଉପସ୍ଥାପନ କରିବାକୁ ମହାସଂଘ ଆଶା ରଖିଛି। ଏହା ସତ୍ତ୍ୱେ ସରକାର ସେମାନଙ୍କ ଦାବି ନଶୁଣିଲେ ଆନ୍ଦୋଳନକୁ ଓହ୍ଲାଇବା ବ୍ୟତୀତ ଅନ୍ୟ ରାସ୍ତା ନାହିଁ। ଆଜିଠାରୁ ଆରମ୍ଭ ହୋଇଥିବା ଏହି ବିକ୍ଷୋଭ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଭୁବନେଶ୍ୱର ରାଜରାସ୍ତାରେ କରାଯିବ। କାର୍ଯ୍ୟ ବନ୍ଦ ଓ ଆନ୍ଦୋଳନ ଯୋଗୁଁ ପ୍ରଭାବିତ ହେବାକୁ ଥିବା ସାଧାରଣ ଜୀବନ ଯାତ୍ରା ଏବଂ ସମସ୍ୟା ପାଇଁ ସରକାର ଦାୟୀ ରହିବେ। ୭୫ ହଜାର ଠିକାଦାରଙ୍କୁ ପ୍ରତିନିଧିତ୍ୱ କରୁଥିବା ଉକ୍ତ ତିନୋଟି ସଂଗଠନ ପକ୍ଷରୁ ଏହି ଦାବି କରାଯାଉଛି ବୋଲି ଦୁହେଁ କହିଛନ୍ତି।
ଅନ୍ୟପକ୍ଷରେ ସରକାର ଯେଉଁ ନିୟମ କରିଛନ୍ତି ସେଥିରେ ପ୍ରକୃତ ଯୋଗ୍ୟ ଠିକାଦାର ନୁହେଁ ବରଂ ଯନ୍ତ୍ରୀଙ୍କ ଜରିଆରେ ନିଜ ଲୋକଙ୍କୁ କାମ ଦେବା ପାଇଁ ମସୁଧା କରାଯାଇଛି, ଏହାକୁ ପରିବର୍ତ୍ତନ କରାଯିବା ନିହାତି ଦରକାର । ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଅଲ ଓଡ଼ିଶା ଇଲେକ୍ଟ୍ରିକାଲ କଣ୍ଟ୍ରାକ୍ଟର ଆସୋସିଏସନର ସଭାପତି ଆଶିଷ କୁମାର ସୋମ, ସାଧାରଣ ସମ୍ପାଦକ ଭଗବାନ ବିଶ୍ୱାଳ, ଅଲ ଓଡ଼ିଶା କଣ୍ଟ୍ରାକ୍ଟର ଆସୋସିଏସନର ସାଧାରଣ ସମ୍ପାଦକ ଦିଲ୍ଲିପ କୁମାର ଜେନା ଏବଂ ବିଭୂତି ଜେନା ପ୍ରମୁଖ ଉପସ୍ଥିତ ଥିଲେ।