ଭୁବନେଶ୍ୱର: ଗଞ୍ଜାମ ବନ୍ୟାଞ୍ଚଳରେ ବିପନ୍ନଙ୍କୁ ଭେଟିଲେ ନବୀନ। ଏହି ଗସ୍ତକୁ ଏବେ ରାଜନୈତିକ ଚର୍ଚ୍ଚା ଜୋର ଧରିଛି। ବିରୋଧୀ ଦଳ ନେତା ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଗଞ୍ଜାମ ଗସ୍ତକୁ ନେଇ ଶାସକ ଦଳ ବିଜେପି ତୀବ୍ର ସମାଲୋଚନା କରିଛି। ‘ବାତ୍ୟା ଅର୍ଣ୍ଣବ’ ଏବଂ ପରବର୍ତ୍ତୀ ବନ୍ୟା ଯୋଗୁଁ ଗଞ୍ଜାମ ଜିଲ୍ଲା ବ୍ୟାପକ କ୍ଷତିଗ୍ରସ୍ତ ହୋଇଥିବା ବେଳେ ପ୍ରାୟ ଏକ ସପ୍ତାହ ପରେ ନବୀନ ପଟ୍ଟନାୟକ ସେଠାକୁ ଗସ୍ତ କରିଥିବାରୁ ବିଜେପି ନେତା ଓ ମନ୍ତ୍ରୀମାନେ ତାଙ୍କୁ ଘେରିଛନ୍ତି।
ବିଜେଡି ସୁପ୍ରିମୋଙ୍କ ଗଞ୍ଜାମ ଗସ୍ତକୁ ନେଇ ବର୍ଷିଲେ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ। ବିପଦ ସମୟରେ ନବୀନ ଗଞ୍ଜାମ ଆସିନଥିବା ଅଭିଯୋଗ କରିବା ସହ ତାଙ୍କ ଗସ୍ତକୁ ନେଇ ଉଠାଇଲେ ପ୍ରଶ୍ନ। ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଏବଂ ଅନ୍ୟାନ୍ୟ ବିଜେପି ନେତା ଚାଣକ୍ୟଙ୍କ ଶ୍ଳୋକ ଉଦ୍ଧାର କରି କହିଛନ୍ତି ଯେ, ଯିଏ ବିପଦ ସମୟରେ ତୁରନ୍ତ ପହଞ୍ଚେ ସିଏ ହିଁ ପ୍ରକୃତ ବନ୍ଧୁ। ବନ୍ୟା ଆସିବାର ୭-୮ ଦିନ ପରେ ନବୀନ ବାବୁ ନିଜ ନିର୍ବାଚନ ମଣ୍ଡଳୀ ହିଞ୍ଜିଳି ଓ ଗଞ୍ଜାମ ଗସ୍ତ କରୁଥିବାରୁ ତାଙ୍କର ଏହି ଗସ୍ତ କେବଳ ରାଜନୈତିକ ବୋଲି ସେମାନେ ଦର୍ଶାଇଛନ୍ତି।
ନବୀନ ପଟ୍ଟନାୟକ ନିଜ ନିର୍ବାଚନ ମଣ୍ଡଳୀର ଲୋକଙ୍କ ସୁଖଦୁଃଖରେ ସାମିଲ ହେଉ ନଥିବାରୁ ନିକଟରେ ହିଞ୍ଜିଳିରେ ବିଜେପି ପକ୍ଷରଉ ‘ନବୀନ ପଟ୍ଟନାୟକ ମିସିଂ’ ବା ନିଖୋଜ ଥିବା ନେଇ ପୋଷ୍ଟର ମରାଯାଇଥିଲା। ଏହି ପୋଷ୍ଟର ରାଜନୀତି ଓ ସମାଲୋଚନା ଭୟରେ ହିଁ ନବୀନ ବାବୁ ଗଞ୍ଜାମ ଯିବାକୁ ବାଧ୍ୟ ହେଲେ ବୋଲି ବିଜେପି ଦାବି କରିଛି। ଅନ୍ୟପଟେ ନବୀନ ପଟ୍ଟନାୟକ ଗଞ୍ଜାମର ହିଞ୍ଜିଳିକାଟୁ, ଶେରଗଡ଼, ଆସିକା ଓ ସୋରଡ଼ା ଅଞ୍ଚଳ ଗସ୍ତ କରୁଥିବା ବେଳେ କେତେକ ସ୍ଥାନରେ ତାଙ୍କ ବିରୋଧରେ ପୋଷ୍ଟର ଦେଖିବାକୁ ମିଳିଛି ଏବଂ ‘ନବୀନ ଗୋ ବ୍ୟାକ୍’ (Naveen Go Back) ନାରା ମଧ୍ୟ ଦିଆଯାଇଛି, ଯାହାକୁ ନେଇ ବିଜେପି କହିଛି ଯେ ଜନସାଧାରଣ ତାଙ୍କୁ ଏବେ ପ୍ରଶ୍ନ ପଚାରିବା ଆରମ୍ଭ କଲେଣି।
ଏହାର ଜବାବରେ ବିଜେଡି ପକ୍ଷରୁ କୁହାଯାଇଛି ଯେ ନବୀନ ପଟ୍ଟନାୟକ କଥାରେ ନୁହେଁ, କାମରେ ବିଶ୍ୱାସ କରନ୍ତି। ସେ ସର୍ବଦା ଗଞ୍ଜାମବାସୀଙ୍କ ସହ ରହିଛନ୍ତି ଏବଂ ବନ୍ୟା ବିପନ୍ନ ଓ କ୍ଷତିଗ୍ରସ୍ତ ଚାଷୀଙ୍କ ସମସ୍ୟା ବୁଝିବା ପାଇଁ ସେ ଗ୍ରାଉଣ୍ଡକୁ ଓହ୍ଲାଇଛନ୍ତି, ଯାହା ଦେଖି ଶାସକ ଦଳ ବିଜେପି ଏବେ ଟେନସନରେ ପଡ଼ିଯାଇଛି। ସୂଚନାଥାଉକି, ଦଳର ସଭାପତି ତଥା ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକ ଗଞ୍ଜାମ ଜିଲ୍ଲାର ବିଭିନ୍ନ ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିଥିଲେ। ସମ୍ପ୍ରତି ବନ୍ୟା ଯୋଗୁଁ ହୋଇଥିବା କ୍ଷୟକ୍ଷତିର ସ୍ଥିତି ଅନୁଧ୍ୟାନ କରିବା ସହ ବନ୍ୟା ବିପନ୍ନ ପରିବାର, ଚାଷୀ ଓ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରିଥିଲେ । ଶେରଗଡ଼, ହିଞ୍ଜିଳିକାଟୁ, ଆସିକା ଓ ସୋରଡ଼ା ବ୍ଲକ ପରିଦର୍ଶନ କରି ବନ୍ୟା ପରବର୍ତ୍ତୀ ସ୍ଥିତିର ସମୀକ୍ଷା କରିବା ସହ ରିଲିଫ୍, ଥଇଥାନ ଓ ପୁନରୁଦ୍ଧାର କାର୍ଯ୍ୟ ତଦାରଖ କରିଥିଲେ ।
ନବୀନ ପଟ୍ଟନାୟକଙ୍କୁ ଭେଟିବାକୁ ବିଭିନ୍ନ ସ୍ଥାନରେ ହଜାର ହଜାର ଲୋକ ଉପସ୍ଥିତ ରହି ସେମାନଙ୍କ ଦୁଃଖ ଜଣାଇଥିଲେ । ଚାଷୀ ମାନେ ନଷ୍ଟ ହୋଇଯାଇଥିବା ଧାନ କେଣ୍ଡା ଓ ଆଖୁ ଗଛ ଧରି ବନ୍ୟା ପରିଚାଳନାରେ ସରକାରୀ ଉଦାସୀନତାକୁ ନେଇ କ୍ଷୋଭ ପ୍ରକାଶ କରିଥିଲେ । ବନ୍ୟାରେ ଘର ଭାଙ୍ଗି ଯାଇଥିବା ଓ ନିଜ ଜୀବିକା ହରାଇଥିବା ଲୋକମାନେ ମଧ୍ୟ ବିରୋଧୀ ଦଳ ନେତାଙ୍କୁ ସେମାନଙ୍କ ଅସୁବିଧା ଜଣାଇଥିଲେ। ୨୪ ବର୍ଷ ଶାସନରେ ଏଭଳି ହଇରାଣ ଗଞ୍ଜାମବାସୀ କେବେ ହୋଇ ନଥିଲେ ବୋଲି ଲୋକମାନେ ଅଶ୍ରୁଳ ନୟନରେ ତାଙ୍କ ଦୁଃଖ ଜଣାଇଥିଲେ ।
ନବୀନ ପଟ୍ଟନାୟକ କହିଥିଲେ ଯେ, ମୋ ନିର୍ବାଚନମଣ୍ଡଳୀ ସମେତ ଗଞ୍ଜାମ ଜିଲ୍ଲାର ୪ଟି ଭିନ୍ନ ଭିନ୍ନ ବନ୍ୟାଞ୍ଚଳ ପରିଦର୍ଶନ କରିବା ପରେ ବନ୍ୟା ବିପନ୍ନ ପରିବାର ଓ ଚାଷୀମାନଙ୍କ ଦୁଃଖ ଓ ଦୁର୍ଦ୍ଦଶାକୁ ଅତି ନିକଟରୁ ଦେଖିଛି । ସେମାନେ ଦୁର୍ଦ୍ଦିନରେ ଦିନ କାଟୁଛନ୍ତି । ଏହି ସମୟରେ ସେମାନଙ୍କୁ ତୁରନ୍ତ ସହାୟତାର ଆବଶ୍ୟକତା ରହିଛି । ମୁଁ ରାଜ୍ୟ ସରକାରଙ୍କୁ ନିବେଦନ କରୁଛି, କ୍ଷତିଗ୍ରସ୍ତ ଚାଷୀ ଓ ବନ୍ୟା ବିପନ୍ନ ପରିବାରଗୁଡ଼ିକୁ ଆବଶ୍ୟକୀୟ କ୍ଷତିପୂରଣ ଓ ରିଲିଫ୍ ସହାୟତା ପ୍ରଦାନ କରନ୍ତୁ । ସେମାନଙ୍କ ଦୁଃଖ ଓ ଯନ୍ତ୍ରଣାକୁ କୌଣସି ପରିସ୍ଥିତିରେ ଅଣଦେଖା କରାଯିବା ଉଚିତ୍ ନୁହେଁ ।
ନବୀନ ପଟ୍ଟନାୟକ ପ୍ରଥମେ ଶେରଗଡ଼ ସହର ଓ ଏହାର ନିକଟବର୍ତ୍ତୀ ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରି ଦୁର୍ଦ୍ଦଶାର ସମ୍ମୁଖୀନ ହେଉଥିବା ଲୋକମାନଙ୍କ ସମସ୍ୟା ଓ ଅଭିଯୋଗ ଶୁଣିଥିଲେ। ବନ୍ୟା ଯୋଗୁଁ ଘରଦ୍ୱାର, ଚାଷଜମି, ରାସ୍ତାଘାଟ ସମ୍ପୂର୍ଣ୍ଣ ନଷ୍ଟ ହୋଇଥିବା ନେଇ ଲୋକମାନେ ତାଙ୍କୁ ଅବଗତ କରାଇଥିଲେ। ଏହାପରେ ହିଞ୍ଜିଳିକାଟୁ ବ୍ଲକ ଅନ୍ତର୍ଗତ ନୂଆ ବୁରୁପଡ଼ା ଗ୍ରାମପଞ୍ଚାୟତ ପରିଦର୍ଶନ କରି ଲୋକମାନଙ୍କ ଜୀବନ ଓ ଜୀବିକା ଉପରେ ପଡ଼ିଥିବା ପ୍ରଭାବର ଆକଳନ କରିଥିଲେ। ଏଥିସହିତ ହିଞ୍ଜିଳିକାଟୁ ନିକଟବର୍ତ୍ତୀ ବନ୍ୟା ପ୍ରଭାବିତ ଅଞ୍ଚଳ ମଧ୍ୟ ପରିଦର୍ଶନ କରି କ୍ଷତିଗ୍ରସ୍ତ ଲୋକଙ୍କ ସମସ୍ୟା ଓ ଦୁର୍ଦ୍ଦଶାର ସ୍ଥିତି ଅନୁଧ୍ୟାନ କରିଥିଲେ। ପରବର୍ତ୍ତୀ ସମୟରେ ଆସିକା ସାଇନ୍ସ କଲେଜ ନିକଟସ୍ଥ କୋଟିନଡ଼ା ଏବଂ ଆସିକା ସହର ଓ ଏହାର ନିକଟବର୍ତ୍ତୀ ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିଥିଲେ। ବନ୍ୟା ବିପନ୍ନ ପରିବାର ଓ ଚାଷୀମାନଙ୍କ ସହ ଆଲୋଚନା କରିବା ସହିତ କ୍ଷତିଗ୍ରସ୍ତ ଚାଷଜମି ଓ ସ୍ଥାନୀୟ ଭିତ୍ତିଭୂମିର କ୍ଷୟକ୍ଷତି ସମ୍ପର୍କରେ ଅନୁଧ୍ୟାନ କରିଥିଲେ।
ସୋରଡ଼ା ବ୍ଲକର ଟାଟାବାଲିସ୍ଥିତ କନ୍ଧୁଣୀ ଦେବୀ ପଡ଼ିଆରେ ପହଞ୍ଚି ବାଲିଗୋଛା ଅଞ୍ଚଳକୁ ଯାଇଥିଲେ ନବୀନ ପଟ୍ଟନାୟକ । ସେଠାରେ ସେ ଚାଷୀ ଓ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରି ବନ୍ୟା ଯୋଗୁଁ ହୋଇଥିବା ଫସଲ କ୍ଷୟକ୍ଷତି ଏବଂ ବନ୍ୟା ପରବର୍ତ୍ତୀ ସମସ୍ୟା ସମ୍ପର୍କରେ ଅବଗତ ହୋଇଥିଲେ। ନବୀନ ପଟ୍ଟନାୟକ ବନ୍ୟା ବିପନ୍ନଙ୍କ ଦୁର୍ଦ୍ଦଶାକୁ ନେଇ ଗଭୀର ଉଦ୍ବେଗ ପ୍ରକାଶ କରିଥିଲେ। ବନ୍ୟା ବିପନ୍ନ ପରିବାର ଗୁଡ଼ିକୁ ପର୍ଯ୍ୟାପ୍ତ ସହାୟତା, କ୍ଷୟକ୍ଷତିର ଆକଳନ, ଚାଷୀମାନଙ୍କୁ କ୍ଷତିପୂରଣ ଏବଂ ଭିତ୍ତିଭୂମିର ପୁନରୁଦ୍ଧାର ଉପରେ ସେ ଗୁରୁତ୍ୱ ଦେଇଥିଲେ ।
ଉଲ୍ଲେଖଯୋଗ୍ୟ ଯେ, ଅକ୍ଟୋବର ୨୩ ତାରିଖରେ ଗଞ୍ଜାମ ଜିଲ୍ଲାରେ ପ୍ରବଳ ବର୍ଷା ପାଇଁ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ରେଡ୍ ୱାର୍ଣ୍ଣିଂ ଜାରି ହେବା ପରେ ଗଞ୍ଜାମ ଓ ଗଜପତି ଜିଲ୍ଲାର ବନ୍ୟା ପରିସ୍ଥିତି ଉପରେ ନବୀନ ପଟ୍ଟନାୟକ ନିରନ୍ତର ନଜର ରଖିଥିଲେ । ସେ ଗଞ୍ଜାମ ଜିଲ୍ଲାପାଳଙ୍କ ସହ ନିରନ୍ତର ଯୋଗାଯୋଗରେ ରହିଥିବା ବେଳେ ନବୀନ ନିବାସ ପକ୍ଷରୁ ମଧ୍ୟ ସ୍ଥିତି ଉପରେ ନଜର ରଖାଯାଇଥିଲା । ବିଶେଷକରି ହିଞ୍ଜିଳିକାଟୁ ଓ ଶେରଗଡ଼ର ପ୍ରଭାବିତ ଅଞ୍ଚଳଗୁଡ଼ିକର ସ୍ଥିତି ଉପରେ ସ୍ୱତନ୍ତ୍ର ଧ୍ୟାନ ଦିଆଯାଇଥିଲା। ନବୀନ ପଟ୍ଟନାୟକଙ୍କ ଏହି ଗସ୍ତ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଓଡ଼ିଶାବାସୀଙ୍କ ପ୍ରତି ଥିବା ତାଙ୍କର ପ୍ରତିବଦ୍ଧତାକୁ ପ୍ରତିଫଳିତ କରିଛି ।

Comments are closed.