ଭୁବନେଶ୍ୱର: ଚିନ୍ତା ବଢାଇଛି ରାଜ୍ୟରେ ହାତୀ ମୃତ୍ୟୁ ସଂଖ୍ୟା । ହାତୀ ମୃତ୍ୟୁ ନେଇ ବିଧାନସଭାରେ ଉତ୍ତର ରଖିଲେ ଜଙ୍ଗଲ ଓ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶ ରାମ ସିଂଖୁଣ୍ଟିଆ । ମନ୍ତ୍ରୀ ଦେଇଥିବା ତଥ୍ୟ ଅନୁସାରେ, ଗତ ଦେଢ଼ ବର୍ଷରେ ୧୧୪ ହାତୀଙ୍କର ଜୀବନ ଯାଇଛି । ସେଥିମଧ୍ୟରୁ ସର୍ବାଧିକ ୪୨ ଗୋଟି ହାତୀ ବିଦ୍ୟୁତ ଆଘାତରେ ମୃତ୍ୟୁବରଣ କରିଛନ୍ତି ।
ପ୍ରାକୃତିକ କାରଣ ଦ୍ୱାରା ୧୭ ଗୋଟି ହାତୀ ମୃତ୍ୟୁବରଣ କରିଥିବା ବେଳେ ପାହାଡ଼ରୁ ପଡ଼ି, ନଦୀ ନାଳରେ ପଡ଼ି, ନିଜ ଭିତରେ କଳହ ହୋଇ ୧୩ ଗୋଟି ହାତୀ ମୃତ୍ୟୁବରଣ କରିଛନ୍ତି । ସେହିପରି ଶିକାରୀଙ୍କ ଦ୍ଵାରା ୬ ଗୋଟି ହତ୍ୟା କରାଯାଇଥିବା ବେଳେ, ଲୋକଙ୍କ ପ୍ରତିଶୋଧ ପରାୟଣ ପାଇଁ ୩ ଗୋଟି ହାତୀ ଓ ରେଳ ଦୁର୍ଘଟଣାରେ ୪ ଗୋଟି ହାତୀ ମୃତ୍ୟୁବରଣ କରିଛନ୍ତି ।
ଅପ୍ରାକୃତିକ ହାତୀ ମୃତ୍ୟୁ ପାଇଁ ୯୩ ଜଣ ଲୋକଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି ବୋଲି ବିଧାନସଭାରେ ଲିଖିତ ଉତ୍ତର ରଖିଛନ୍ତି ଜଙ୍ଗଲ ଓ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶ ରାମ ସିଂଖୁଣ୍ଟିଆ ।