ଝାରସୁଗୁଡ଼ା: ଝାରସୁଗୁଡ଼ା ସଦର ଥାନା ନିକଟରେ ଦୁର୍ଘଟଣାରେ ୫ ଜଣ କର୍ତ୍ତବ୍ୟରତ ପୋଲିସ କର୍ମଚାରୀ ପ୍ରାଣ ହରାଇଥିବା ଘଟଣା । ପରିବାରବର୍ଗଙ୍କୁ ଓଡ଼ିଶା ପୋଲିସ ପକ୍ଷରୁ ତୁରନ୍ତ ସହାୟତା ରାଶି ପ୍ରଦାନ କରାଯାଇଛି । ଦୁର୍ଘଟଣାର ମାତ୍ର ୩ ଦିନ ମଧ୍ୟରେ ରେକର୍ଡ ସମୟରେ ୪ ଜଣ ପୋଲିସ କର୍ମଚାରୀଙ୍କ ପରିବାରକୁ ୧.୧୦ କୋଟି ଟଙ୍କା ଲେଖାଏଁ ଏବଂ ଜଣେ ହୋମଗାର୍ଡଙ୍କ ପରିବାରକୁ ୩୦ ଲକ୍ଷ ଟଙ୍କାର ବୀମା ଅର୍ଥରାଶି ପ୍ରଦାନ କରାଯାଇଛି ।
ଉତ୍ତରାଞ୍ଚଳ ଆଇ.ଜି ହିମାଂଶୁ ଲାଲ, ଝାରସୁଗୁଡ଼ା ଜିଲ୍ଲାପାଳ କୁଣାଲ ମୋତିରାମ ଚହ୍ବାନ ଏବଂ ଏସ.ପି ଶ୍ରୀ ଗୁଣ୍ଡଲା ରାଘବେନ୍ଦ୍ର ରେଡ୍ଡୀ (ଆଇପିଏସ)ଙ୍କ ଉପସ୍ଥିତିରେ ଏହି ସହାୟତା ଚେକ୍ ପ୍ରଦାନ କରାଯାଇଛି ।
ସ୍ବର୍ଗତ ଡ୍ରିଲ ସବ୍-ଇନ୍ସପେକ୍ଟର ଶ୍ରୀ ନିରଞ୍ଜନ କୁଜୁର, କନେଷ୍ଟବଳ କାଶୀରାମ ଭୋଇ, କନେଷ୍ଟବଳ ଦେବଦତ୍ତ ସା ଏବଂ ହାବିଲଦାର ଲିଙ୍ଗରାଜ ଧୁରୁଆଙ୍କ ପରିବାରବର୍ଗଙ୍କୁ ଭାରତୀୟ ଷ୍ଟେଟ ବ୍ୟାଙ୍କ (SBI) ଜୀବନ ବୀମା ପକ୍ଷରୁ ପ୍ରତ୍ୟେକଙ୍କୁ ୧.୧୦ କୋଟି ଟଙ୍କାର ସହାୟତା ପ୍ରଦାନ କରାଯାଇଛି । ସେହିପରି ଦୁର୍ଘଟଣାରେ ପ୍ରାଣ ହରାଇଥିବା ହୋମଗାର୍ଡ ଭକ୍ତବନ୍ଧୁ ମିର୍ଦ୍ଧାଙ୍କ ପରିବାରବର୍ଗଙ୍କୁ HDFC ବ୍ୟାଙ୍କ ପକ୍ଷରୁ ୩୦ ଲକ୍ଷ ଟଙ୍କାର ଜୀବନ ବୀମା ଅର୍ଥରାଶି ପ୍ରଦାନ କରାଯାଇଛି ।
ରିସର୍ଭ ପୋଲିସ କାର୍ଯ୍ୟାଳୟ ପରିସରରେ ଆୟୋଜିତ ଏହି ସଭା କାର୍ଯ୍ୟକ୍ରମକୁ ଅତିରିକ୍ତ ଏସ.ପି ସୁଶ୍ରୀ ମଧୁସିକ୍ତା ମିଶ୍ର ପରିଚାଳନା କରିଥିଲେ । ଏହି ଅବସରରେ ଭାରତୀୟ ଷ୍ଟେଟ ବ୍ୟାଙ୍କ (SBI) ର କୌଶଲ କିଶୋର ସିଂ, ଜେନେରାଲ ମ୍ୟାନେଜର, ଭୁବନେଶ୍ୱର ସର୍କଲ, ସଞ୍ଜୟ କୁମାର ଝା, ଡେପୁଟି ଜେନେରାଲ ମ୍ୟାନେଜର, ଆଡମିନିଷ୍ଟ୍ରେଟିଭ ଅଫିସ, ସମ୍ବଲପୁର, ଏବଂ ଭବାନୀ ଶଙ୍କର ମହାକୁଡ, ରିଜିଓନାଲ ମ୍ୟାନେଜର, ଝାରସୁଗୁଡ଼ା, HDFC ବ୍ୟାଙ୍କ ପକ୍ଷରୁ ସୂର୍ଯ୍ୟ ମହାପାତ୍ର ଉପସ୍ଥିତ ରହିଥିଲେ ।
ସୂଚନାଯୋଗ୍ୟ ଯେ, ଗତ ୨୨ ଫେବୃଆରୀରେ ଝାରସୁଗୁଡ଼ା ସଦର ଥାନା ସମ୍ମୁଖ ଜାତୀୟ ରାଜପଥ-୪୯ରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୫ ଜଣ କର୍ତ୍ତବ୍ୟରତ ପୋଲିସ କର୍ମଚାରୀଙ୍କ ଅକାଳ ବିୟୋଗ ଘଟିଥିବା ବେଳେ ୩ ଜଣ ଗୁରୁତର ହୋଇଥିଲେ । ମାନ୍ୟବର ମୁଖ୍ୟମନ୍ତ୍ରୀ ଏହି ଘଟଣାରେ ଗଭୀର ଶୋକ ପ୍ରକାଶ କରିବା ସହ ଆହତଙ୍କ ଉପଯୁକ୍ତ ଚିକିତ୍ସା ଓ ମୃତକଙ୍କ ପରିବାରକୁ ତୁରନ୍ତ ଆବଶ୍ୟକୀୟ ସହାୟତା ପ୍ରଦାନ କରିବାକୁ ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ ।