ହୁବୁଳି: ଚଳିତ ରଣଜୀ ଟ୍ରଫି କ୍ରିକେଟର ଫାଇନାଲରେ ତୃତୀୟ ଦିବସ ଖେଳ ଶେଷ ସୁଦ୍ଧା କର୍ଣ୍ଣାଟକ ବିପକ୍ଷରେ ଜମ୍ମୁ-କଶ୍ମୀର ଦୃଢ଼ ସ୍ଥିତିରେ ରହିଛି । ଜମ୍ମୁ-କଶ୍ମୀରର ପ୍ରଥମ ଇନିଂସ ସ୍କୋର ୫୮୪ ରନ ଜବାବରେ ଷ୍ଟମ୍ପସ ଅପସାରଣ ବେଳକୁ କର୍ଣ୍ଣାଟକ ୫ ୱିକେଟ ବିନିମୟରେ ୨୨୦ ରନ ସଂଗ୍ରହ କରିଛି । ମୟଙ୍କ ଅଗୱାଲ ୧୩୦ ଓ କୃତିକା କ୍ରିଷ୍ଣା ୨୭ ରନ କରି ଅପରାଜିତ ଅଛନ୍ତି । ଆକ୍ୱିବ ନାବି ୩ଟି ୱିକେଟ ନେଇଛନ୍ତି । କର୍ଣ୍ଣାଟକ ଏବେ ବି ଜମ୍ମ-କଶ୍ମୀର ସ୍କୋରଠାରୁ ୩୬୪ ରନ ପଛରେ ରହିଛି ।
ପ୍ରଥମ ଇନିଂସରେ ଜମ୍ମୁ କଶ୍ମୀର ଦଳଗତ ଭାବେ ଭଲ ପ୍ରଦର୍ଶନ କରିଥିଲା । ଶୁଭମ ପୁନ୍ଦିର ଆକର୍ଷଣୀୟ ଶତକ ହାସଲ କରିଥିଲେ । ସେ ୧୨୧ ରନ ସଂଗ୍ରହ କରିଥିବା ବେଳେ ଅନ୍ୟ ୫ଜଣ ବ୍ୟାଟ୍ସମ୍ୟାନ ଅର୍ଦ୍ଧଶତକ ମାରିଥିଲେ । ସେମାନେ ହେଲେ ୟେୱେର ହାସନ(୮୮), ପାରସ ଡୋଗ୍ରା(୭୦), ଅବଦୁଲ ସମଦ(୬୧), କହ୍ନେୟା ୱାଧବାନ(୭୦) ଓ ସାହିଲ ଲୋତ୍ରା(୭୨) । କର୍ଣ୍ଣାଟକ ପକ୍ଷରୁ ପ୍ରସିଦ୍ଧ କ୍ରିଷ୍ଣା ସର୍ବାଧିକ ୫ଟି ୱିକେଟ ନେଇଥିଲେ । ହାତରେ ଆଉ ୨ ଦିନ ଖେଳ ବାକି ଥିବାରୁ ଜମ୍ମୁ-କଶ୍ମୀର ନିକଟରେ ବିଜୟ ସୁଯୋଗ ରହିଛି ।