ନୂଆଦିଲ୍ଲୀ: ଇରାନ-ଇସ୍ରାଏଲ୍ ଯୁଦ୍ଧ ମଧ୍ୟରେ ଏବେ ସବୁଠାରୁ ବଡ଼ ଧମକ ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଏକ ସାକ୍ଷାତକାରରେ ଟ୍ରମ୍ପ ଯାହା କହିଛନ୍ତି, ତାହା ଇରାନର ସତ୍ତାକୁ ଦୋହଲାଇ ଦେଇଛି। ଟ୍ରମ୍ପଙ୍କ ନଜରରେ ଏବେ ଇରାନ ପାଇଁ ଉପଯୁକ୍ତ ‘ଭେନେଜୁଏଲା ମଡେଲ’। ତେବେ କ’ଣ ଏହି ମଡେଲ ? ଆସନ୍ତୁ ଜାଣିବା ଏହି ରିପୋର୍ଟରେ…
ଡୋନାଲ୍ଡ ଟ୍ରମ୍ପ ସ୍ପଷ୍ଟ କରିଛନ୍ତି ଯେ, ଆମେରିକୀୟ ସେନା ମାତ୍ର ୪ ରୁ ୫ ସପ୍ତାହ ମଧ୍ୟରେ ଇରାନର ଚେହେରା ବଦଳାଇ ଦେଇବେ । ଟ୍ରମ୍ପଙ୍କ କହିବା କଥା, ଆମେରିକା ପାଖରେ ଏତେ ପରିମାଣର ଗୋଳାବାରୁଦ ଅଛି ଯେ ଇରାନକୁ ଆଣ୍ଠେଇବା ପାଇଁ ଅଧିକ ସମୟ ଲାଗିବ ନାହିଁ। କେବଳ ସେତିକି ନୁହେଁ, ଇରାନର ସାମରିକ ଅଧିକାରୀମାନେ ନିଜେ ଜନତାଙ୍କ ଆଗରେ ଆତ୍ମସମର୍ପଣ କରିବେ ବୋଲି ଟ୍ରମ୍ପ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।
ଟ୍ରମ୍ପଙ୍କ ଚାହୁଁଛନ୍ତି ‘ଭେନେଜୁଏଲା ମଡେଲ’। ଏହି ମଡେଲ ଅନୁଯାୟୀ, ଦେଶର ଶୀର୍ଷ ନେତୃତ୍ୱ ବା ‘ଟପ୍ ଲିଡର’ଙ୍କୁ ହଟାଇ ଦିଆଯିବ, କିନ୍ତୁ ବାକି ସରକାରୀ ବ୍ୟବସ୍ଥା ସମାନ ରହିବ। ଟ୍ରମ୍ପ କହିଛନ୍ତି, “ଭେନେଜୁଏଲାରେ ଆମେ ଯାହା କଲୁ, ତାହା ହିଁ ପରଫେକ୍ଟ ସିନେରିଓ। ସେଠାରେ ଦୁଇ ଜଣଙ୍କୁ ଛାଡ଼ି ବାକି ସମସ୍ତଙ୍କ ଚାକିରି ବଞ୍ଚିଗଲା।” ଅର୍ଥାତ୍ ଇରାନରେ ମଧ୍ୟ କେବଳ ଶୀର୍ଷ ନେତାଙ୍କୁ ଟାର୍ଗେଟ୍ କରି ସତ୍ତା ପରିବର୍ତ୍ତନ କରିବାକୁ ଚାହୁଁଛି ୱାଶିଂଟନ।
ଆୟାତୁଲ୍ଲା ଖାମେନେଇଙ୍କ ମୃତ୍ୟୁ ପରେ ଇରାନର ଶାସନ ଗାଦିରେ କିଏ ବସିବ? ଟ୍ରମ୍ପଙ୍କ ପାଖରେ ଏଥିପାଇଁ ୩ ଜଣ ବଡ଼ ନେତାଙ୍କ ନାଁ ରହିଛି। ଯଦିଓ ସେ ଏହି ନାଁଗୁଡ଼ିକୁ ଏବେ ସାର୍ବଜନୀନ କରିନାହାଁନ୍ତି, କିନ୍ତୁ ସେ ସଙ୍କେତ ଦେଇଛନ୍ତି ଯେ ଯଦି ନୂଆ ନେତୃତ୍ୱ ତାଙ୍କ କଥା ଶୁଣନ୍ତି ଇରାନ ଉପରୁ କଟକଣା ହଟାଯାଇପାରେ ।
ଆଉ ଏକ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଟ୍ରମ୍ପ ଅନୁଭବ କରୁଛନ୍ତି ଯେ ଇରାନ ଉପରେ ଆକ୍ରମଣ ପାଇଁ ତାଙ୍କୁ ଆରବ ଦେଶଗୁଡ଼ିକର ସାହାଯ୍ୟ ଦରକାର ନାହିଁ। ଆମେରିକା ନିଜ ଦମରେ ଏହି ଅପରେସନ ଶେଷ କରିବାକୁ ସକ୍ଷମ। ଟ୍ରମ୍ପଙ୍କ କହିବା ଅନୁଯାୟୀ, ଆମେରିକା ନିଜ ସିଡ୍ୟୁଲ୍ ଠାରୁ ବହୁତ ଆଗରେ ଚାଲିଛି ।
ଟ୍ରମ୍ପଙ୍କ ଏହି ବୟାନ ପରେ ମଧ୍ୟ-ପ୍ରାଚ୍ୟରେ ଭୟ ଓ ଆଶଙ୍କାର ବାତାବରଣ ଖେଳିଯାଇଛି। କ’ଣ ଇରାନ ସତରେ ଆମେରିକା ଆଗରେ ଆତ୍ମସମର୍ପଣ କରିବ ? କିମ୍ବା ଏହି ‘ଭେନେଜୁଏଲା ମଡେଲ’ ଇରାନରେ ଏକ ନୂଆ ବିପ୍ଳବର ସୂତ୍ରପାତ କରିବ ? ତାହା ଆଗାମୀ ସମୟ କହିବ।