କଲମ୍ବୋ:ଶ୍ରୀଲଙ୍କାର ଦକ୍ଷିଣ ଉପକୂଳରେ ଏକ ଇରାନୀ ନୌସେନା ଜାହାଜ ଉପରେ ସନ୍ଦିଗ୍ଧ ବୁଡ଼ାଜାହାଜ ଆକ୍ରମଣ ପରେ ଅତି କମରେ ୧୦୧ ଜଣ ନିଖୋଜ ଅଛନ୍ତି ଏବଂ ୭୮ ଜଣ ଆହତ ହୋଇଛନ୍ତି। ଶ୍ରୀଲଙ୍କା ନୌସେନା ଏବଂ ପ୍ରତିରକ୍ଷା ମନ୍ତ୍ରଣାଳୟ ସୂତ୍ରରୁ ବୁଧବାର ରଏଟର୍ସକୁ ସୂଚନା ଦିଆଯାଇଛି। ତେବେ କିଏ ଇରାନର ଶକ୍ତିଶାଳୀ ଜାହାଜ ଉପରେ ଆକ୍ରମଣ କଲା? ତାହା ସ୍ପଷ୍ଟ ହୋଇ ନାହିଁ ।
ରିପୋର୍ଟ ଅନୁଯାୟୀ, ଇରାନୀ ଫ୍ରିଗେଟ୍ ଆଇରିସ୍ ଡେନା ଶ୍ରୀଲଙ୍କାର ଆଞ୍ଚଳିକ ଜଳସୀମା ବାହାରେ ବୁଡ଼ି ଯାଉଥିଲା। ଏଥିରେ ୧୮୦ ଜଣ ଥିଲେ, ଯେଉଁମାନଙ୍କ ମଧ୍ୟରୁ ପ୍ରାୟ ୩୦-୩୫ ଜଣଙ୍କୁ ଉଦ୍ଧାର କରାଯାଇଥିଲା। ଶ୍ରୀଲଙ୍କା ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା ଏବଂ ଆହତମାନଙ୍କୁ ଦକ୍ଷିଣ ହସ୍ପିଟାଲରେ ଭର୍ତ୍ତି କରିଥିଲା।
ଶ୍ରୀଲଙ୍କାର ଅଧିକାରୀମାନେ କହିଛନ୍ତି ଯେ ଏକ ବୁଡ଼ିଯାଉଥିବା ଇରାନୀ ନୌସେନା ଜାହାଜରୁ ଏକ Distress Call ପାଇବା ପରେ ଶ୍ରୀଲଙ୍କା ନୌସେନା ଏକ ଉଦ୍ଧାର ଅଭିଯାନ ଆରମ୍ଭ କରିଛି। ଶ୍ରୀଲଙ୍କାର ବୈଦେଶିକ ମନ୍ତ୍ରୀ ବିଜିତା ହେରାଥ କହିଛନ୍ତି ଯେ ଇରାନୀ ଫ୍ରିଗେଟ୍ ଆଇରିସ୍ ଡେନାରେ ଥିବା ଲୋକମାନଙ୍କୁ ଉଦ୍ଧାର କରିବା ପାଇଁ ଜାହାଜ ଏବଂ ବିମାନ ପଠାଯାଇଛି।