ନୂଆଦିଲ୍ଲୀ: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଯୁଦ୍ଧ ଏବେ ଏକ ଭୟଙ୍କର ମୋଡ଼ ନେଇଛି । ଇସ୍ରାଏଲ ଏବେ ଇରାନର ପରବର୍ତ୍ତୀ ‘ସୁପ୍ରିମ ଲିଡର’ଙ୍କ ପାଇଁ ଜାରି କରିଛି ଏକ ଖୋଲା ‘କିଲ୍ ଲିଷ୍ଟ’ । ଇସ୍ରାଏଲ ପ୍ରତିରକ୍ଷା ମନ୍ତ୍ରୀ ଇସ୍ରାଏଲ କାଟ୍ଜ୍ ଏକ ବଡ଼ ଚେତାବନୀ ଦେଇଛନ୍ତି। ସେ କହିଛନ୍ତି ଯେ, ଇରାନ ଯାହାକୁ ବି ନିଜର ପରବର୍ତ୍ତୀ ସର୍ବୋଚ୍ଚ ନେତା ବାଛିବ, ସେ ଇସ୍ରାଏଲର ଟାର୍ଗେଟରେ ରହିବେ। ଅର୍ଥାତ୍ ଇସ୍ରାଏଲ କେବଳ ଖାମେନେଇ ନୁହେଁ, ବରଂ ସମ୍ପୂର୍ଣ୍ଣ ଇରାନ ଶାସନକୁ ଶେଷ କରିବାକୁ ରଣନୀତି ପ୍ରସ୍ତୁତ କରିଛି।
ମଙ୍ଗଳବାର ଇସ୍ରାଏଲ ସେହି ବିଲ୍ଡିଂ ଉପରେ ଆକ୍ରମଣ କରିଛି, ଯେଉଁଠାରେ ଇରାନର ନୂଆ ନେତା ବାଛିବା ପାଇଁ ବୈଠକ ଚାଲିଥିଲା। ଲକ୍ଷ୍ୟ ହେଉଛି ଇରାନର ନିଷ୍ପତ୍ତି ନେବା ଶକ୍ତିକୁ ସମ୍ପୂର୍ଣ୍ଣ ପଙ୍ଗୁ କରିଦେବା। ଖାମେନେଇଙ୍କ ମୃତ୍ୟୁ ପରେ ଇରାନରେ ଶୂନ୍ୟତା ସୃଷ୍ଟି ହୋଇଛି। ଯଦିଓ ମୁଜତବା ଖାମେନେଇଙ୍କ ନାଁ ଆଗରେ ଅଛି, କିନ୍ତୁ ବର୍ତ୍ତମାନ ଦେଶର କମାଣ୍ଡ ଏକ ତିନି ଜଣିଆ କାଉନସିଲ୍ ହାତରେ ରହିଛି।
ଆମେରିକା ଏହି ଯୁଦ୍ଧ ଅଭିଯାନକୁ ନାଁ ଦେଇଛି ‘ଏପିକ ଫ୍ୟୁରି’ । ଆମେରିକା ଏବଂ ଇସ୍ରାଏଲ ମିଳିତ ଭାବେ ଇରାନର ସୈନ୍ୟ ଘାଟିକୁ ଧୂଳିସାତ କରୁଛନ୍ତି । ଏହି ଯୁଦ୍ଧରେ ଏବେ ସୁଦ୍ଧା ମୃତ୍ୟୁ ସଂଖ୍ୟା ୭୦୦ ଅତିକ୍ରମ କରିସାରିଲାଣି । ସବୁଠାରୁ ଦୁଃଖଦ ଖବର ହେଉଛି, ଏକ ଗାର୍ଲ୍ସ ସ୍କୁଲ ଉପରେ ହୋଇଥିବା ଆକ୍ରମଣରେ ୧୬୫ ଜଣ ନିଷ୍ପାପ କୁନି ଝିଅଙ୍କ ପ୍ରାଣହାନି ଘଟିଛି । ଏହି ଘଟଣା ସାରା ବିଶ୍ୱକୁ ସ୍ତବ୍ଧ କରିଦେଇଛି ।
ଅନ୍ୟପଟେ ଇରାନ ମଧ୍ୟ ଚୁପ୍ ବସିନାହିଁ । ଇରାନ ପକ୍ଷରୁ ଇସ୍ରାଏଲର ଆବାସିକ ଅଞ୍ଚଳ ସମେତ ଦୁବାଇ, କତାର ଏବଂ ବାହାରିନରେ ଥିବା ଆମେରିକୀୟ ସାମରିକ ଘାଟି ଉପରେ ବାଲିଷ୍ଟିକ ମିସାଇଲ ମାଡ଼ କରାଯାଇଛି। ଫଳରେ ସାରା ପଶ୍ଚିମ ଏସିଆରେ ଯୁଦ୍ଧର ନିଆଁ ବ୍ୟାପିବାରେ ଲାଗିଛି।
ଇରାନର ‘ଆସେମ୍ବଲି ଅଫ୍ ଏକ୍ସପର୍ଟସ’ ଏବେ ଚିନ୍ତାରେ ରହିଛନ୍ତି। ସୁରକ୍ଷା କାରଣରୁ ନୂଆ ନେତା ଚୟନ ପ୍ରକ୍ରିୟା ଅଧାରେ ଅଟକି ରହିଛି। ବିଶ୍ୱ ବଜାରରେ ତେଲ ଯୋଗାଣ ଏବଂ ଆଞ୍ଚଳିକ ସୁରକ୍ଷା ପ୍ରତି ଏବେ ବଡ଼ ବିପଦ ସୃଷ୍ଟି ହୋଇଛି। କେବେ ଥମିବ ଏହି ଯୁଦ୍ଧ, ତାହା ଉପରେ ରହିଛି ସାରା ବିଶ୍ୱର ନଜର।