ଭୁବନେଶ୍ୱର: ରାଜସ୍ୱ ବିଭାଗ ପକ୍ଷରୁ ଆଜି ଶୁକ୍ରବାର ଦିନ ହସ୍ତତନ୍ତ ବସ୍ତ୍ର ପରିଧାନ ଉଦ୍ୟମକୁ ଉତ୍ସାହର ସହିତ ପାଳନ କରାଯାଇଛି । ଏହି ଅବସରରେ ବିଭାଗର ସମସ୍ତ ଅଧିକାରୀ ଓ କର୍ମଚାରୀ ଓଡ଼ିଶାର ସମୃଦ୍ଧ ଓ ପାରମ୍ପରିକ ହସ୍ତତନ୍ତ ପୋଷାକ ପରିଧାନ କରି କାର୍ଯ୍ୟାଳୟକୁ ଆସିଥିଲେ । ଏହା ମାଧ୍ୟମରେ ରାଜ୍ୟର ପାରମ୍ପରିକ ବୟନ ଓ ହସ୍ତତନ୍ତ ଶିଳ୍ପ ପ୍ରତି ସମ୍ମାନ ଓ ସମର୍ଥନ ପ୍ରକାଶ ପାଇଛି ।
ଏହି ଅବସରକୁ ସ୍ମରଣୀୟ କରିବା ପାଇଁ ଆଜି ଲୋକସେବା ଭବନ ସମ୍ମୁଖରେ ସମସ୍ତଙ୍କର ଏକ ଗ୍ରୁପ୍ ଫଟୋ ମଧ୍ୟ ଉଠାଯାଇଥିଲା, ଯାହା ମାଧ୍ୟମରେ ଓଡ଼ିଶାର ହସ୍ତତନ୍ତ ଏବଂ ଐତିହ୍ୟର ପ୍ରଚାର ପ୍ରତି ବିଭାଗର ସମୂହ ଅଙ୍ଗୀକାରବଦ୍ଧତା ପ୍ରକାଶ ପାଇଛି ।
ଏହି ଅବସରରେ ରାଜସ୍ୱ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ. ଅରବିନ୍ଦ ପାଢୀ କହିଥିଲେ,ଏହି ପ୍ରୟାସ ମାଧ୍ୟମରେ ରାଜ୍ୟର ସ୍ୱଦେଶୀ ହସ୍ତତନ୍ତ ପଦାର୍ଥ ବ୍ୟବହାରକୁ ଉତ୍ସାହିତ କରିବା ସହିତ ସ୍ଥାନୀୟ ବୁଣାକାରମାନଙ୍କ ଜୀବିକାକୁ ସମର୍ଥନ ଦେବା ଲକ୍ଷ୍ୟ ରହିଛି । ସେହିପରି ଏହା ମାଧ୍ୟମରେ ସରକାରୀ କର୍ମଚାରୀ ଓ ସାଧାରଣ ଲୋକଙ୍କ ମଧ୍ୟରେ ଓଡ଼ିଶାର ବିଶିଷ୍ଟ ହସ୍ତତନ୍ତ ପରମ୍ପରା ପ୍ରତି ଅଧିକ ସଚେତନତା ଓ ସ୍ୱୀକୃତି ମଧ୍ୟ ବୃଦ୍ଧି ପାଇବ ।
ଏହି ପରିପ୍ରେକ୍ଷୀରେ ରାଜସ୍ୱ ସଚିବ ଶ୍ରୀ ପାଢ଼ୀ ଏହି ଉଦ୍ୟମରେ ଅଧିକାରୀ ଓ କର୍ମଚାରୀମାନଙ୍କ ଆଗ୍ରହ ସହକାରେ ଅଂଶଗ୍ରହଣକୁ ପ୍ରଶଂସା କରିଥିଲେ l ସୂଚନାଯୋଗ୍ୟ ଯେ, ପୂର୍ବରୁ ରାଜସ୍ୱ ସଚିବ ବିଭାଗର ସମସ୍ତ କାର୍ଯ୍ୟାଳୟର ଅଧିକାରୀ ଏବଂ କର୍ମଚାରୀଙ୍କୁ ଚିଠି ଲେଖି ପ୍ରତ୍ୟେକ ଶୁକ୍ରବାର ହସ୍ତତନ୍ତ ପୋଷାକ ପରିଧାନ ସହ ଓଡ଼ିଶାର ପାରମ୍ପରିକ ହସ୍ତତନ୍ତ ସଂସ୍କୃତିକୁ ପ୍ରଚାର କରିବାର ଆବଶ୍ୟକତା ଉପରେ ଗୁରୁତ୍ଵ ଦେଇଥିଲେ ।