Latest Odisha News

BREAKING NEWS

Socialism vs Nepotism In Bihar Politics: ବିହାର ରାଜନୀତିରେ ‘ପରିବାରବାଦ’

ପାଟନା: ବିହାର ରାଜନୀତିରୁ ଏବେ ଏକ ବଡ଼ ଖବର ସାମ୍ନାକୁ ଆସୁଛି । ବିହାର ମୁଖ୍ୟମନ୍ତ୍ରୀ ନିତୀଶ କୁମାରଙ୍କ ପୁଅ ନିଶାନ୍ତ କୁମାର ରାଜନୀତିକୁ ଆସିବା ନେଇ ଚର୍ଚ୍ଚା ଏବେ ଶୀର୍ଷରେ । ଯଦିଓ ନିତୀଶ କୁମାର ସବୁବେଳେ ପରିବାରବାଦ ବିରୋଧରେ ସ୍ୱର ଉତ୍ତୋଳନ କରିଛନ୍ତି, କିନ୍ତୁ ବିହାର ଇତିହାସ କହୁଛି ଯେ ଏଠାରେ ମୁଖ୍ୟମନ୍ତ୍ରୀଙ୍କ ଚୌକିରୁ ପୁଅର ରାଜନୈତିକ କ୍ୟାରିୟର ଗଢ଼ିବା କୌଣସି ନୂଆ କଥା ନୁହେଁ ।

ନିତୀଶଙ୍କ ପୂର୍ବରୁ ୭ ଜଣ ଏମିତି ମୁଖ୍ୟମନ୍ତ୍ରୀ ରହିଛନ୍ତି, ଯେଉଁମାନେ ନିଜ ପୁଅଙ୍କୁ ରାଜନୀତିର ମଇଦାନକୁ ଓହ୍ଲାଇଛନ୍ତି । ଆସନ୍ତୁ ନଜର ପକାଇବା ବିହାରର ଏହି ରାଜନୈତିକ ପରିବାରବାଦ ଉପରେ ।

ବିହାରରୁ ଦିଲ୍ଲୀ ପର୍ଯ୍ୟନ୍ତ ଏବେ ଗୋଟିଏ ଆଲୋଚନା – ନିଶାନ୍ତ କୁମାର କଣ ହେବେ ନିତୀଶଙ୍କ ଉତ୍ତରାଧିକାରୀ ? ଯଦି ନିଶାନ୍ତ ରାଜନୀତିକୁ ଆସନ୍ତି, ତେବେ ସେ ହେବେ ବିହାରର ଅଷ୍ଟମ ମୁଖ୍ୟମନ୍ତ୍ରୀଙ୍କ ପୁତ୍ର ଯିଏ ରାଜନୈତିକ ମଇଦାନରେ ପାଦ ଥାପିବେ ।

ସବୁଠୁ ବଡ଼ ନାମ ହେଉଛି ଲାଲୁ ପ୍ରସାଦ ଯାଦବ ଏବଂ ରାବ୍ରୀ ଦେବୀଙ୍କ ପରିବାର । ସେମାନଙ୍କ ଦୁଇ ପୁଅ ତେଜସ୍ୱୀ ଯାଦବ ଏବଂ ତେଜ୍ ପ୍ରତାପ ଯାଦବ ଏବେ ବିହାର ରାଜନୀତିର ପ୍ରମୁଖ ଚେହେରା । ବିଶେଷ କରି ତେଜସ୍ୱୀ ଏବେ ବିରୋଧୀ ଦଳର ନେତା ଭାବେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ।

କେବଳ ଲାଲୁ ନୁହଁନ୍ତି, ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗନ୍ନାଥ ମିଶ୍ରଙ୍କ ପୁଅ ନୀତିଶ ମିଶ୍ର ଏବେ ବିଜେପିର ଜଣେ ବଡ଼ ନେତା ତଥା ମନ୍ତ୍ରୀ । ସେହିପରି ଜିତନ ରାମ ମାଝୀଙ୍କ ପୁଅ ସନ୍ତୋଷ କୁମାର ସୁମନ ମଧ୍ୟ ମନ୍ତ୍ରୀ ପଦ ସମ୍ଭାଳି ସାରିଛନ୍ତି । ପୂର୍ବତନ ମୁଖ୍ୟମନ୍ତ୍ରୀ ଭାଗବତ ଝା ଆଜାଦଙ୍କ ପୁଅ କୀର୍ତ୍ତି ଆଜାଦ୍ କ୍ରିକେଟରୁ ରାଜନୀତିକୁ ଆସି ସାଂସଦ ହୋଇଥିବା ବେଳେ, କର୍ପୁରୀ ଠାକୁରଙ୍କ ପୁଅ ରାମନାଥ ଠାକୁର ରାଜ୍ୟସଭା ସଦସ୍ୟ ଭାବେ ନିଜର ପରିଚୟ ରଖିଛନ୍ତି ।

ସତ୍ୟେନ୍ଦ୍ର ନାରାୟଣ ସିଂଙ୍କ ପୁଅ ନିଖିଲ କୁମାର ମଧ୍ୟ ରାଜନୀତିର ଏହି ପରମ୍ପରାକୁ ଆଗକୁ ବଢ଼ାଇଥିଲେ । ଏବେ ସମସ୍ତଙ୍କ ନଜର ନିଶାନ୍ତଙ୍କ ଉପରେ । ସେ କଣ ତାଙ୍କ ପିତାଙ୍କ ଆଦର୍ଶରେ ଚାଲିବେ ନା ପରିବାରବାଦର ଏହି ଲମ୍ବା ତାଲିକାରେ ନିଜ ନାମ ଯୋଡ଼ିବେ ତା ଉପରେ ରହିଛି ସମସ୍ତଙ୍କ ନଜର ?

ରାଜନୀତିରେ ଉତ୍ତରାଧିକାରୀ ମିଳିବା ସହଜ ହୋଇପାରେ, କିନ୍ତୁ ଜନତାଙ୍କ ହୃଦୟ ଜିତିବା ଏକ ବଡ଼ ଚ୍ୟାଲେଞ୍ଜ । ନିଶାନ୍ତ କୁମାରଙ୍କ ଆଗମନ ବିହାର ରାଜନୀତିରେ କେତେ ପ୍ରଭାବ ପକାଇବ, ତାହା ସମୟ କହିବ । କିନ୍ତୁ ଏତିକି ସ୍ପଷ୍ଟ ଯେ, ବିହାରରେ ‘ରାଜାଙ୍କ ପୁଅ ରାଜା’ ହେବା ପରମ୍ପରା ଆଜି ବି ଜାରି ରହିଛି ।

 

Leave A Reply

Your email address will not be published.