ଭୁବନେଶ୍ୱର: ସରକାରୀ କ୍ୱାଟର୍ସରୁ ଜେଲ ଓ୍ବାର୍ଡରଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତ ଓ୍ବାର୍ଡର ଜଣକ ହେଲେ ନୟାଗଡ଼ ଜେଲରେ କାର୍ଯ୍ୟରତ ସାରଥୀ ପ୍ରଧାନ । ଝାରପଡ଼ା ଜେଲ ପରିସରରେ ଥିବା ସରକାରୀ କ୍ୱାଟର୍ସରୁ ତାଙ୍କର ଝୁଲନ୍ତା ମୃତଦେହ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇଛି ଲକ୍ଷ୍ମୀସାଗର ଥାନା ପୋଲିସ ।
ଖବର ମୁତାବକ, ସାରଥୀ ୨ବର୍ଷ ହେବ ଝାରପଡା ଜେଲ୍ ରୁ ନୟାଗଡ଼ ଜେଲ୍ କୁ ବଦଳି ହୋଇଯାଇଥିଲେ ମଧ୍ୟ ଏଠାରେ ପୂର୍ବରୁ ଥିବା କ୍ୱାଟର୍ସରେ ତାଙ୍କ ପରିବାର ସହ ରହୁଥିଲେ । ପରିବାର ଲୋକ ଗୋଟିଏ ରୁମ୍ରେ ଶୋଇଥିବା ବେଳେ ଅନ୍ୟ ଏକ ରୁମ୍ରେ ସାରଥି ଶୋଇଥିଲେ । ଶୁକ୍ରବାର ସକାଳେ ବିଳମ୍ବିତ ସମୟ ପର୍ଯ୍ୟନ୍ତ ସାରଥୀ ଶୋଇ ରହିଥିବା ଦେଖିବ ପୁଅ ଡାକିଥିଲେ ମଧ୍ୟ ସେ କବାଟ ଖୋଲି ନ ଥିଲେ । ପରିବାର ଲୋକେ ସନ୍ଦେହ କରି ଥାନାକୁ ଖବର ଦେଇଥିଲେ ।
ପୋଲିସ ପହଞ୍ଚି କବାଟ ଭାଙ୍ଗିବା ବେଳକୁ ସାରଥୀଙ୍କ ମୃତଦେହ ଫ୍ୟାନ୍ରେ ଝୁଲୁଥିବା ଦେଖିବାକୁ ପାଇଥିଲା । ପୋଲିସ ପରିବାର ଲୋକଙ୍କ ଉପସ୍ଥିତିରେ ମୃତଦେହ ଜବତ କରି ବ୍ୟବଚ୍ଛେଦ ନିମନ୍ତେ କ୍ୟାପିଟାଲ ହସ୍ପିଟାଲ ପଠାଇଥିଲା । ତେବେ ପାରିବାରିକ କଳହ କାରଣରୁ ସାରଥୀ ଏପରି କରିପାରିଥାନ୍ତି ବୋଲି ସନ୍ଦେହ କରୁଛି ପୋଲିସ ।
ସେପଟେ, ସାରଥୀଙ୍କ ଭାଇ ଏବଂ ସମ୍ପର୍କୀୟମାନେ କହିଛନ୍ତି ଯେ, ସାରଥୀଙ୍କ ମୃତ୍ୟୁର ଠିକ୍ ତଦନ୍ତ କରାଗଲେ ସତ ପଦାକୁ ଆସିବ ।