ଅହମ୍ମଦାବାଦ: ଆଇସିସି ପୁରୁଷ ଟି୨୦ ବିଶ୍ୱକପ ୨୦୨୬ ଫାଇନାଲ ମ୍ୟାଚ ପୂର୍ବରୁ ଭବ୍ୟ ଉଦଯାପନୀ ସମାରୋହ ଆୟୋଜିତ ହେବ । ରବିବାର ଭାରତୀୟ ସମୟ ଅନୁସାରେ ସନ୍ଧ୍ୟା ୫ଟା ୩୦ରୁ ଏହି ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଆୟୋଜିତ ହେବ । ଆନ୍ତର୍ଜାତୀୟ ପପ ଷ୍ଟାର ରିକି ମାର୍ଟିନ, ବଲିଉଡ ଏବଂ ପଞ୍ଜାବୀ ଗାୟକ ସୁଖବୀର ଏବଂ ଗୁଜରାଟର ଲୋକପ୍ରିୟ କଳାକାର ଫାଲଗୁନୀ ପାଠକ କାର୍ଯ୍ୟକ୍ରମ ପରିବେଷଣ କରିବେ । କ୍ରିକେଟର ରୋମାଂଚ ପୂର୍ବରୁ ଦର୍ଶକମାନେ ମନୋରଞ୍ଜନ ତଡକା ଉପଭୋଗ କରିବେ । ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ୱରେ ଭାରତ ୭ ରନରେ ଇଂଲଣ୍ଡକୁ ହରାଇ ଫାଇନାଲରେ ପ୍ରବେଶ କରିଛି ।
ଫାଇନାଲରେ ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ମୁକାବିଲା ହେବ । ନ୍ୟୁଜିଲାଣ୍ଡ ୯ ୱିକେଟରେ ଦକ୍ଷିଣ ଆଫ୍ରିକାକୁ ପରାଜିତ କରି ଟାଇଟଲ ମୁକାବିଲାରେ ଅବତୀର୍ଣ୍ଣ ହୋଇଛି । ଚାମ୍ପିୟନ ଭାରତ ଘରୋଇ ପରିବେଶରେ ଫାଇନାଲ ଖେଳୁଥିବାରୁ ଦଳର ମନୋବଳ ଉଚ୍ଚରେ ରହିଛି । ଏଠାରେ ଦିନିକିଆ ବିଶ୍ୱକପ ଫାଇନାଲରେ ଅଷ୍ଟ୍ରେଲିଆ ନିକଟରୁ ଭାରତ ପରାଜିତ ହୋଇଥିଲା । ଏଠାରେ ଚାମ୍ପିୟନ ହୋଇ କ୍ରମାଗତ ଦ୍ୱିତୀୟ ଥର ପାଇଁ ଟାଇଟଲ ହାସଲ ଲକ୍ଷ୍ୟରେ ଭାରତ ରହିବ ।