ମୟୂରଭଞ୍ଜ: ଶିମିଳିପାଳ ଟାଇଗର ରିଜର୍ଭରେ ଶିକାରୀଙ୍କୁ ଧରାଇଦେଲା ଏଆଇ କ୍ୟାମେରା । ଶିକାର କରିବା ସମୟରେ ଟାଇଗର ରିଜର୍ଭରେ ଧରାପଡ଼ିଲେ ୪ ଶିକାରୀ । ତାଙ୍କ ଠାରୁ ଦୁଇଟି ଦେଶୀ ବନ୍ଧୁକ ଜବତ କରାଯାଇଛି ।
ଅଭିଯୁକ୍ତମାନେ ବନ୍ୟପ୍ରାଣୀ ସୁରକ୍ଷା ଆଇନ ୧୯୭୨ ର ବିଭିନ୍ନ ଧାରା ଉଲଂଘନ କରିଥିବା ପ୍ରାଥମିକ ତଦନ୍ତରୁ ସ୍ପଷ୍ଟ ହୋଇଛି । ଏହି ଘଟଣାରେ ଅଭିଯୁକ୍ତମାନଙ୍କୁ ବାରିପଦା ସିଜେଏମ୍ ଅଦାଲତରେ ହାଜର କରାଯାଇ ନ୍ୟାୟିକ ହାଜତକୁ ପଠାଯାଇଛି । ଘଟଣାରେ ବନବିଭାଗ ପକ୍ଷରୁ ଆହୁରି ତଦନ୍ତ ଚାଲିଛି ।
ଶିମିଳିପାଳ ଦକ୍ଷିଣ ବନ୍ୟଜନ୍ତୁ ବିଭାଗ ପକ୍ଷରୁ ଶିକାରୀଙ୍କ ଚଳପ୍ରଚଳ ଉପରେ ନଜର ରଖିବା ପାଇଁ ବିଭିନ୍ନ ସ୍ଥାନରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) କ୍ୟାମେରା ଓ ଇନ୍ଫ୍ରାରେଡ୍ ଟ୍ରାପ୍ କ୍ୟାମେରା ସ୍ଥାପନ କରାଯାଇଛି । ଏହି କ୍ୟାମେରା ମାଧ୍ୟମରେ ଶିମିଳିପାଳ ବନ୍ୟପ୍ରାଣୀ ଅଭୟାରଣ୍ୟ ମଧ୍ୟରେ ଅବୈଧ ଭାବେ ପ୍ରବେଶ କରୁଥିବା ଶିକାରୀଙ୍କୁ ଟ୍ରାକ୍ କରାଯାଉଛି ।