ଭୁବନେଶ୍ୱର: ବିଜେଡିରୁ ଇସ୍ତଫା ଦେଇଥିବା ରବୀନ୍ଦ୍ର ଜେନା ଆଜି ଭାଜପାରେ ମିଶିଛନ୍ତି । ଶହ ଶହ ସମର୍ଥକଙ୍କ ସହ ବିଜେପିରେ ମିଶିଲେ ବାଲେଶ୍ୱରର ଟାଣୁଆ ନେତା ରବୀନ୍ଦ୍ର ଜେନା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱ ଓ ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀଙ୍କ ବିକାଶମୂଳକ କାର୍ଯ୍ୟରେ ଅନୁପ୍ରାଣିତ ହୋଇ ବାଲେଶ୍ୱର ନିର୍ବାଚନମଣ୍ଡଳୀର ପୂର୍ବତନ ସାଂସଦ ତଥା ବିଜେଡି ଜିଲ୍ଲା ସଭାପତି ରବୀନ୍ଦ୍ର କୁମାର ଜେନା ବିଜେଡି ଛାଡ଼ି ଆଜି ଆନୁଷ୍ଠାନିକ ଭାବେ ବିଜେପିରେ ଯୋଗଦେଇଛନ୍ତି ।
ବିଜେପିରେ ମିଶିବା ପରେ ରବୀନ୍ଦ୍ର ଜେନାଙ୍କ ବିସ୍ଫୋରକ ବୟାନ ଦେଇଛନ୍ତି । ସେ କହିଛନ୍ତି, ‘ବିଜେପିରେ ସାମିଲ ହେବା ପଛରେ ଗୋଟିଏ ଲକ୍ଷ୍ୟ, ଆଞ୍ଚଳିକ ବିକାଶ । ଗୋଟିଏ ଦଳ ଛାଡ଼ି ଆଉ ଗୋଟିଏ ଦଳରେ ମିଶିବା ଏକ ବଡ଼ ନିଷ୍ପତ୍ତି । ବିଜେଡ଼ି ଆଗାମୀ ଦିନରେ ଓଡିଶାବାସୀଙ୍କୁ ସୁଶାସନ ଦେବା ପାଇଁ ସମର୍ଥ ହୋଇପାରିବ ନାହିଁ ।ଭାରତର ଯେକୌଣସି ଆଞ୍ଚଳିକ ଦଳ ସେତେବେଳେ ସଫଳ ହୋଇଛି, ଯେତେବେଳେ ଜଣେ ଉତ୍ତରାଧିକାରୀ ଘୋଷଣା କରିଛି । ଯେଉଁ ଦଳ ଉତ୍ତରାଧିକାରୀ ଦେବାରେ ସମର୍ଥ ହୋଇପାରିନାହିଁ, ସେ ଦଳ ରସାତଳକୁ ଯାଇଛି । ବିଜେଡିରେ ଏବେ ଦିଶା ନାହିଁ, ଆଶା ଓ ଆଲୋକ ବିଜେଡ଼ିରେ ଦେଖିବାକୁ ମିଳିଲା ନାହିଁ ।’
ସେହିପରି ବାଲେଶ୍ୱର ଜିଲ୍ଲାର ବହୁ ନିର୍ବାଚିତ ଜନପ୍ରତିନିଧି ତଥା ପଂଚାୟତ ସମିତି ଅଧ୍ୟକ୍ଷ, ଜିଲ୍ଲା ପରିଷଦ ସଭ୍ୟ, ସରପଂଚ, ନାଏବ ସରପଂଚ, କାଉନ୍ସିଲର, ୱାର୍ଡସଭ୍ୟ, ବିଭିନ୍ନ ସମବାୟ ବ୍ୟାଙ୍କ ସଭାପତି, ବରିଷ୍ଠ ନେତା ବିଜେଡି ପରିତ୍ୟାଗ କରି ବିଜେପିରେ ସାମିଲ ହୋଇଛନ୍ତି । ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ଏହି ମିଶ୍ରଣ ପର୍ବରେ ରାଜ୍ୟ ସଭାପତି ମନମୋହନ ସାମଲ ସମସ୍ତଙ୍କୁ ଦଳୀୟ ଟୋପି ଓ ଉତରୀୟ ପିନ୍ଧାଇ ଦଳକୁ ସ୍ୱାଗତ କରିଛନ୍ତି ।
ଏହି ଅବସରରେ ରାଜ୍ୟ ସଭାପତି ସାମଲ କହିଛନ୍ତି ଯେ, ଏହି ମିଶ୍ରଣ ଦ୍ୱାରା ଭାରତୀୟ ଜନତା ପାର୍ଟି କେବଳ ବାଲେଶ୍ୱରରେ ନୁହେଁ, ଓଡ଼ିଶାରେ ଓ ଦେଶରେ ଆହୁରି ଶକ୍ତିଶାଳୀ ହୋଇପାରିଛି । ୨୦୪୭ ସୁଦ୍ଧା ବିକଶିତ ଭାରତ ଗଠନ କରିବା ପାଇଁ ଯେଉଁ ସ୍ୱପ୍ନ ପ୍ରଧାନମନ୍ତ୍ରୀ ଦେଖିଛନ୍ତି ଏବଂ ୨୦୩୬ ସୁଦ୍ଧା ସମୃଦ୍ଧ ଓଡ଼ିଶା ଗଢ଼ିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯେଉଁ ଲକ୍ଷ୍ୟ ରଖିଛନ୍ତି, ତାହାକୁ ପୂରଣ କରିବା ପାଇଁ ଆମ ସମସ୍ତଙ୍କୁ ସହଯୋଗ କରିବାକୁ ପଡ଼ିବ । ଲୋକଙ୍କ ମୌଳିକ ସମସ୍ୟାର ସମାଧାନ କରିବାକୁ ପଡ଼ିବ । ବିଜେପି ହେଉଛି ବିଶ୍ୱର ସବୁଠାରୁ ବଡ଼ ରାଜନୈତିକ ଦଳ । ଏହି ଦଳ ହେଉଛି ରାଷ୍ଟ୍ରବାଦୀ ବିଚାରାଧାରାର ଦଳ, ଏହା ହେଉଛି ଏକ କାର୍ଯ୍ୟକର୍ତା ଆଧାରିତ ଦଳ ।
ସୂଚନାଯୋଗ୍ୟ, ଗତକାଲି ନବୀନ ପଟ୍ଟନାୟକଙ୍କୁ ରବୀନ୍ଦ୍ର ଜେନା ନିଜ ଇସ୍ତଫା ପତ୍ରରେ ଲେଖିଥିଲେ, ବିଜୁ ଜନତା ଦଳର ପ୍ରାଥମିକ ସଦସ୍ୟରୁ ମୋର ଇସ୍ତଫା ପତ୍ର ପ୍ରଦାନ କରୁଛି। ମୁଁ ଦୀର୍ଘ ବର୍ଷ ଧରି ବିଜୁ ଜନତା ଦଳର ଜଣେ ଶୃଙ୍ଖଳିତ ସଦସ୍ୟ ଭାବେ ରହି ଦଳର ସଂଗଠନକୁ ସୁଦୃଢ଼ କରିବା ସହ ବାଲେଶ୍ବରବାସୀଙ୍କ ସେବା କରି ଆସିଛି। କିନ୍ତୁ କେତେକ ବ୍ୟକ୍ତିଗତ କାରଣରୁ ଏବଂ ପରିସ୍ଥିତି ନିମନ୍ତେ ମୁଁ ଦଳରୁ ଅଲଗା ହେବାକୁ କଠିନ ନିଷ୍ପତ୍ତି ନେଇଛି। ଦଳ ସହିତ ମୋର ଦୀର୍ଘ ଦିନର ସଂପର୍କ ମୋ ପାଇଁ ଏକ ସ୍ମରଣୀୟ ଯାତ୍ରା ହୋଇ ରହିବ। ଏହି ସମୟ ମଧ୍ୟରେ ମୋତେ ମିଳିଥିବା ସମସ୍ତ ସହଯୋଗ, ସମ୍ମାନ ଏବଂ ସୁଯୋଗ ପାଇଁ ମୁଁ ରାଜ୍ୟ ନେତୃବୃନ୍ଦ, ମୋର ସକର୍ମୀ ଏବଂ ବାଲେଶ୍ବର ଜିଲ୍ଲାର ସମସ୍ତ ଦଳୀୟ କର୍ମକର୍ତ୍ତାଙ୍କ ନିକଟରେ ମୋର ଗଭୀର କୃତଜ୍ଞତା ପ୍ରକାଶ କରୁଛି।