Latest Odisha News

BREAKING NEWS

ଓଡିଶା ସହିତ ଆସାମ ଓ ତେଲେଙ୍ଗାନାକୁ ସଂଯୋଗ କରିବ ନୂଆ ଅମୃତ ଭାରତ ଟ୍ରେନ

ଭୁବନେଶ୍ବର: ଓଡିଶାରେ ରେଳ ସଂଯୋଗୀକରଣକୁ ଅଧିକରୁ ଅଧିକ ଗୁରୁତ୍ବ ଦେଇ କେନ୍ଦ୍ର ସରକାର ଓଡିଶା ସହିତ ଆସାମ ଓ ତେଲେଙ୍ଗାନାକୁ ସଂଯୋଗ କରିବା ପାଇଁ ଏକ ନୂଆ ଅମୃତ ଭାରତ ଟ୍ରେନ ସେବା ଆରମ୍ଭ କରିବାକୁ ଅନୁମୋଦନ ଦେଇଛନ୍ତି । ଏହା ସହିତ ଦୁଇଟି ସ୍ବତନ୍ତ୍ର ରେଳସେବାକୁ ନିୟମିତ ରେଳସେବାରେ ପରିଣତ କରିବା ପାଇଁ ମଧ୍ୟ ଅନୁମୋଦନ ଦିଆଯାଇଛି ।

ପୂର୍ବରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏ ସମ୍ପର୍କରେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ସହ ଆଲୋଚନା କରି ଓଡିଶାର ଜନସାଧାରଣଙ୍କ ପାଇଁ ଅଧିକ ରେଳସେବା ଯୋଗାଇଦେବା ପାଇଁ ଅନୁରୋଧ କରିଥିଲେ । ରେଳମନ୍ତ୍ରୀ ଶ୍ରୀ ବୈଷ୍ଣବ ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ମାଧ୍ୟମରେ ଏ ସମ୍ପର୍କରେ ସୂଚନା ଦେଇଛନ୍ତି ।

ସୂଚନା ଯୋଗ୍ୟ ଯେ, ଏକ ନୂତନ ଅମୃତ ଭାରତ ଟ୍ରେନ୍ ଆସାମର କାମାକ୍ଷା ଏବଂ ତେଲେଙ୍ଗାନାର ଚାରଲାପାଲି (ସିକନ୍ଦରାବାଦ) ମଧ୍ୟରେ ଚାଲିବ । ଏହା ଓଡିଶାର ବାଲେଶ୍ଵର, ଭଦ୍ରକ, ଯାଜପୁର କେଉଁଝର ରୋଡ୍, କଟକ, ଭୁବନେଶ୍ୱର, ଖୋର୍ଦ୍ଧା ରୋଡ୍, ବାଲୁଗାଁ ଏବଂ ବ୍ରହ୍ମପୁର ଦେଇ ଯିବ ।

ଉଲ୍ଲେଖନୀୟ ଯେ, 18403/18404 ଭୁବନେଶ୍ୱର – ଧାନବାଦ୍ ସ୍ପେଶାଲ୍ ଟ୍ରେନ୍ ଧାନବାଦ୍ ପହଞ୍ଚିବା ପୂର୍ବରୁ କଟକ, ଢେଙ୍କାନାଳ, ତାଳଚେର ରୋଡ୍, ଅନୁଗୋଳ, ରେଢାଖୋଲ, ସମ୍ବଲପୁର ସହର, ଝାରସୁଗୁଡା ଏବଂ ରାଉରକେଲା ଷ୍ଟେସନ ଦେଇ ଯିବ। ଏହିଟ୍ରେନକୁ ଏବେ ନିୟମିତ (Regularisation) କରାଯାଇଛି।

ସେହିପରି 08439/08440 ପୁରୀ-ପାଟନା ସ୍ପେଶାଲ୍ ଟ୍ରେନ ପାଟନା ପହଞ୍ଚିବା ପୂର୍ବରୁ ଖୋର୍ଦ୍ଧା ରୋଡ୍, ଭୁବନେଶ୍ୱର, କଟକ, ଯାଜପୁର କେନ୍ଦୁଝର ରୋଡ୍, ଭଦ୍ରକ ଏବଂ ବାଲେଶ୍ବର ଷ୍ଟେସନ୍ ଦେଇ ଯିବ । ଏହାକୁ ମଧ୍ୟ ନିୟମିତ କରାଯାଇଛି ।

ରାଜ୍ୟରେ ରେଳ ସଂଯୋଗକୁ ଉଲ୍ଲେଖନୀୟ ଭାବରେ ବୃଦ୍ଧି କରିବା ପାଇଁ ଏହି ଟ୍ରେନ ସେବା ଅନୁମୋଦନ କରିବା ପାଇଁ ଓଡିଶା ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ କେନ୍ଦ୍ର ରେଳ ମନ୍ତ୍ରୀ ଶ୍ରୀ ବୈଷ୍ଣବଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

Leave A Reply

Your email address will not be published.