ଭୁବନେଶ୍ଵର: ରାଜ୍ୟ ବିଧାନସଭାରେ LPG ତାତି । ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ। ଚାଲି ପାରୁନି ଗୃହ। ରାଜ୍ୟରେ ରନ୍ଧନ ଗ୍ୟାସ ଅଭାବ ଅଭିଯୋଗ ଆଣି ଡବଲ ଇଞ୍ଜିନ ସରକାରଙ୍କୁ ଘେରିଲେ ବିରୋଧୀ । ଗୃହ ଆରମ୍ଭରୁ ଉଭୟ ବିଜେଡି ଏବଂ କଂଗ୍ରେସ ବିଧାୟକମାନେ ହଟ୍ଟଗୋଳ କରିଥିବା ବେଳେ ବାଚସ୍ପତି ସୁରମା ପାଢ଼ୀ ପ୍ରଥମେ ପୂର୍ବାହ୍ନ ୧୧:୩୦ ପର୍ଯ୍ୟନ୍ତ, ତା’ପରେ ପୁଣି ୧୨:୧୦ ପର୍ଯ୍ୟନ୍ତ ଏବଂ ଶେଷରେ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଗୃହକୁ ମୁଲତବୀ ରଖିଛନ୍ତି।
ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଲାଗି ରହିଥିବା କାରଣରୁ କେବଳ ଓଡ଼ିଶା ନୁହେଁ ସାରା ଦେଶରେ ଗ୍ୟାସ୍ ସଙ୍କଟ ଦେଖିବାକୁ ମିଳିଛି । ଯାହାକୁ ନେଇ ଡବଲ ଇଞ୍ଜିନ ଡବଲ ଧୋକା’ ଅଭିଯୋଗ ଆଣି ବିଧାନସଭା ଭିତରେ ହୋହଲ୍ଲା ପ୍ରଦର୍ଶନ କରିଛି କଂଗ୍ରେସ । ଦଳର ସଦସ୍ୟମାନେ ଗୃହ ଆରମ୍ଭରୁ ହିଁ ଗ୍ୟାସ ସଙ୍କଟକୁ ନେଇ ପ୍ରତିବାଦ କରିଥିଲେ । କଂଗ୍ରେସ ବିଧାୟକମାନେ ହାତରେ ପ୍ଲାକାର୍ଡ ଧରି ବାଚସ୍ପତିଙ୍କ ପୋଡିୟମ ତଳେ ସରକାରଙ୍କ ବିରୋଧ ନାରାବାଜି କରିଥିଲେ । କଂଗ୍ରେସର ଏହି ପ୍ରଦିବାଦକୁ ସମର୍ଥନ ଜଣାଇଥିଲା ବିଜେଡି । ବିଜୁ ଜନତା ଦଳର ବିଧାୟକମାନେ ନିଜ ନିଜ ସ୍ଥାନରେ ଛିଡା ହୋଇ ପ୍ରତିବାଦ କରିଥିଲେ । ଫଳରେ ଆରମ୍ଭରୁ ଗୃହ ମାତ୍ର ୧୦ ମିନିଟ ପାଇଁ ଚାଲିଥିଲା । ଗ୍ୟାସ ଯୋଗାଣ ପ୍ରସଙ୍ଗରେ ବିରୋଧୀ ବିଧାୟକମାନେ ହଟ୍ଟଗୋଳ କରିବାରୁ ଆଜି ବିଧାନସଭା ବାରମ୍ବାର ମୁଲତବୀର ସମ୍ମୁଖୀନ ହୋଇଥିଲା।
ବିରୋଧୀ ସଦସ୍ୟମାନେ ଗୃହର ୱେଲ୍ ଭିତରକୁ ପଶି ସ୍ଲୋଗାନ ଦେଇ କାର୍ଯ୍ୟ ବାଧାପ୍ରାପ୍ତ କରିଥିଲେ। ସେମାନେ ଗ୍ୟାସ୍ ଉପଲବ୍ଧତା ଉପରେ ସ୍ପଷ୍ଟତା ଦାବି କରିଥିଲେ ଏବଂ ସରକାର ସଙ୍କଟର ସମାଧାନ କରିବାରେ ବିଫଳ ହୋଇଥିବା ଅଭିଯୋଗ କରିଥିଲେ। ସେମାନଙ୍କ ପ୍ରତିବାଦ ବାଚସ୍ପତିଙ୍କୁ ପ୍ରଶ୍ନକାଳ ଏବଂ ଅନ୍ୟାନ୍ୟ ନିର୍ଦ୍ଧାରିତ ଆଲୋଚନା ସବୁଥିରେ ପାଣି ପଶିଥିଲା।
ସେପଟେ ବିଜେପି ବିଧାୟକ ଇରାସିସ୍ ଆଚାର୍ଯ୍ୟ ବିରୋଧୀ ଦଳକୁ ସମାଲୋଚନା କରି ଅଭିଯୋଗ କରିଛନ୍ତି ଯେ ବିଧାନସଭାକୁ ଅଚଳ କରିବା ପାଇଁ ନିର୍ଦ୍ଦେଶ ଦିଲ୍ଲୀରୁ ଆସିଛି। ସେ ଯୁକ୍ତି ଦେଇଥିଲେ ଯେ ଶୂନ୍ୟ କାଳରେ ରାଜ୍ୟ ଏବଂ ଜାତୀୟ ପ୍ରସଙ୍ଗ ଉପରେ ଆଲୋଚନା ହୋଇପାରେ ଏବଂ ଗୃହ ବନ୍ଦକୁ “ଦୁଃଖଦ ଏବଂ ନିନ୍ଦନୀୟ” ବୋଲି କହିଥିଲେ। ସେ କଂଗ୍ରେସ ବିଧାୟକମାନଙ୍କ ଉଦ୍ଦେଶ୍ୟ ଉପରେ ପ୍ରଶ୍ନ ଉଠାଇଥିଲେ ଏବଂ ବିଜେଡି ଏହି ବାଧାକୁ ସମର୍ଥନ କରୁଥିବାର ଅଭିଯୋଗ କରିଥିଲେ।
ବିଜେପି ବିଧାୟକ ଅଶୋକ ମହାନ୍ତି ମଧ୍ୟ ବିରୋଧୀ ଦଳ ଉପରେ ଆକ୍ରମଣ କରିଥିଲେ, କହିଥିଲେ ଯେ ଓଡ଼ିଶାରେ ଗ୍ୟାସର କୌଣସି ଅଭାବ ନାହିଁ। ସେ ଜୋର ଦେଇଥିଲେ ଯେ ବିରୋଧୀ ଦଳ ଲୋକଙ୍କୁ ଭ୍ରମିତ କରିବା କିମ୍ବା ଏହି ପ୍ରସଙ୍ଗକୁ ରାଜନୀତିକରଣ କରିବା ଉଚିତ୍ ନୁହେଁ। ସେ ଗୁରୁତ୍ୱାରୋପ କରିଥିଲେ ଯେ ପର୍ଯ୍ୟାପ୍ତ ଗ୍ୟାସ ଯୋଗାଣ ଅଛି ଏବଂ ବିରୋଧୀ ଦଳଗୁଡ଼ିକ ଅନାବଶ୍ୟକ ଦ୍ୱନ୍ଦ୍ୱ ସୃଷ୍ଟି କରୁଥିବା ଅଭିଯୋଗ କରିଥିଲେ।
ମଧ୍ୟପ୍ରାଚ୍ୟରେ ଯୁଦ୍ଧର ପ୍ରତିକୂଳ ସ୍ଥିତି ଯୋଗୁଁ LPG ଗ୍ୟାସ, ଖାଇବା ତେଲ, ପେଟ୍ରୋଲ, ଡିଜେଲର ଦର ବୃଦ୍ଧି ଘଟିଛି । ଘୋର ଅଭାବ ମଧ୍ୟ ପରିଲକ୍ଷିତ ହେଉଛି । ଏନେଇ ମୁଖ୍ୟ ଶାସନ ସଚିବ ଗତକାଲି (ବୁଧବାର) ରାଜ୍ୟର ସମସ୍ତ ଜିଲ୍ଲାପାଳମାନଙ୍କ ସହ ଆଭାସି ମାଧ୍ୟମରେ ଆଲୋଚନା କରିଛନ୍ତି । ସ୍ଥିତିକୁ ନିୟନ୍ତ୍ରଣରେ ଆଣିବା ପାଇଁ ମୁଖ୍ୟ ଶାସନ ସଚିବ ସମସ୍ତ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।