ପୁରୀ: ୨୦୨୬ ରଥଯାତ୍ରା ପାଇଁ ପୁରୀ ମ୍ୟୁନିସିପାଲିଟିର ଡ୍ରାଫ୍ଟ ଆକ୍ସନ ପ୍ଲାନ୍ ପ୍ରସ୍ତୁତ ହୋଇଛି । ଚଳିତ ବର୍ଷ ଶ୍ରୀଗୁଣ୍ଡିଚା ଓ ବାହୁଡ଼ା ଯାତ୍ରା ସମୟରେ ବଡ଼ଦାଣ୍ଡରେ ରନ୍ଧା ଖାଦ୍ୟ ନ ବାଣ୍ଟିବାକୁ ନିଆଯାଇଛି ନିଷ୍ପତ୍ତି । ଫଳରେ ବଡ଼ଦାଣ୍ଡରେ ଅଇଁଠା ପତ୍ର, ପାଣି ବୋତଲ ପଡ଼ିବନି। ବଡ଼ଦାଣ୍ଡ ସଂଲଗ୍ନ ଅନ୍ୟ ଗଳିରେ ଅନୁମତି ନେଇ ଖାଦ୍ୟ ବାଣ୍ଟିପାରିବେ ଶ୍ରଦ୍ଧାଳୁ ।
ସହରର ବିଭିନ୍ନ ଗଳି ରାସ୍ତା, ବଡ଼ଦାଣ୍ଡ, ବେଳାଭୂମିକୁ ସ୍ୱଚ୍ଛ ରଖିବା ସହ ବର୍ଜ୍ୟବସ୍ତୁ ପରିଚାଳନା ପାଇଁ ସଚିବଙ୍କ ନିର୍ଦ୍ଦେଶ । ସଫେଇ ପାଇଁ ଅନୁଷ୍ଠାନଗୁଡ଼ିକୁ ନେବାକୁ ପଡ଼ିବ ଅନୁମତି । ନଗର ଉନ୍ନୟନ ପ୍ରମୁଖ ସଚିବଙ୍କ ସମୀକ୍ଷା ପରେ ସ୍ବଚ୍ଛତା ଉପରେ ଫୋକସ୍ ଦିଆଯାଇଛି ।
ଆଗୁଆ ପ୍ରସ୍ତୁତ ରହିବ ପାର୍କିଂ ବ୍ୟବସ୍ଥା । ଡ୍ରାଫ୍ଟ ଆକ୍ସନରେ ରହିଛି ଟଏଲେଟ୍ ବ୍ୟବସ୍ଥା । ଗତଥର ୫୯୪ ଅସ୍ଥାୟୀ ଟଏଲେଟ୍ ହୋଇଥିବା ବେଳେ ଚଳିତ ଥର ହଜାରେ ଟଏଲେଟର ବ୍ୟବସ୍ଥା କରାଯିବାକୁ ନିଷ୍ପତ୍ତି ହୋଇଛି ।
ଅତିରିକ୍ତ ଡିଜି ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ଦିଆଯାଇଛି ପୁଲିସର ଓଭର ଅଲ୍ ଇନ୍ ଚାର୍ଜ ଦାୟିତ୍ଵ । ସୁରକ୍ଷା ଓ ଶାନ୍ତିଶୃଙ୍ଖଳା ପାଇଁ ବିଭିନ୍ନ ଟିମ୍ ଗଠନ କରିବାକୁ ତାଙ୍କୁ ଚିଠି ହୋଇଛି । ରଥଯାତ୍ରା ପାଇଁ ଇଣ୍ଟିଗ୍ରେଟେଡ କମାଣ୍ଡ ଆଣ୍ଡ କଣ୍ଟ୍ରୋଲ ସେଣ୍ଟର୍ ହେବ । ସିସିଟିଭି ନଜରରେ ରହିବ ବଡ଼ଦାଣ୍ଡ, ସମୁଦ୍ରକୂଳ ଅଞ୍ଚଳ। ଉତ୍ତରାଛକ ଠାରୁ ପୁରୀ, ପୁରୀରୁ କୋଣାର୍କ ପର୍ଯ୍ୟନ୍ତ ଲାଗିବ ସିସିଟିଭି ।