ବରଗଡ଼: ନକଲି ପୋଲିସକୁ ଗିରଫ କଲା ଅସଲି ପୋଲିସ । ଏଭଳି ଘଟଣା ଦେଖିବାକୁ ମିଳିଛି ବରଗଡ଼ ଜିଲ୍ଲା ଅତାବିରା ଥାନା ଅନ୍ତର୍ଗତ ହୀରାକୁଦ ଜଳଭଣ୍ଡାର ଅଞ୍ଚଳରେ । ଗିରଫ ନକଲି ପୋଲିସର ପରିଚୟ ବିକ୍ରମ ବେହେରା (୩୩) ବୋଲି ଜଣା ପଡିଛି । ତାର ଘର ବରଗଡ ଟାଉନ ଥାନା ଅଧିନ ଘୁଲିପାଲିରେ ।
ହୀରାକୁଦ ଜଳଭଣ୍ଡାର ସଂଲଗ୍ନ ଢୁରୁକୁଶୁମ୍ ଠାରେ ନକଲି ପୋଲିସ ଓଡ଼ିଶା ପୋଲିସ ଲେଖାଥିବା ଡ୍ରେସ୍ ପିନ୍ଧି ଲୋକଙ୍କୁ ଆତଙ୍କିତ କରୁଥିବା ଗ୍ରାମବାସୀ ଅତାବିରା ପୋଲିସକୁ ଖବର ଦେଇଥିଲେ । ଏହା ପରେ ଘଟଣାସ୍ଥଳକୁ ଅତାବିରା ପୋଲିସ ପହଞ୍ଚି ଉକ୍ତ ବ୍ୟକ୍ତିଙ୍କୁ ଗିରଫ କରି ଅତାବିରା ଥାନାକୁ ଆଣି ଅଧିକ ପଚରା ଉଚରା ଜାରି ରଖିଛି ।
ତାଙ୍କ ବିରୋଧରେ ଅତାବିରା ଥାନା କେଶ ନମ୍ବର ୧୦୬/୨୦୨୬ ରେ ଏକ ମାମଲା ରୁଜୁ କରାଯାଇ ତାକୁ ଥାନା ହାଜତରେ ରଖାଯାଇଛି । ଏହା ପୂର୍ବରୁ ୨୦୨୧ ମସିହାରେ ମଧ୍ୟ ବିକ୍ରମ ନକଲି ଆରଟିଓ ସାଜି ବରଗଡ଼ ପୋଲିସ ହାତରେ ଗିରଫ ହୋଇଥିଲା ।