Latest Odisha News

BREAKING NEWS

ରାଜ୍ୟସଭା ନିର୍ବାଚନ ଭୋଟିଂ: ପାରାଦୀପ ଛାଡିଲେ ବିଜେପି ବିଧାୟକ, ବେଙ୍ଗାଲୁରୁରୁ ଫେରିଲେ କଂଗ୍ରେସ ବିଧାୟକ

ଭୁବନେଶ୍ୱର: ଆଉ କିଛି ସମୟ ପରେ ରାଜ୍ୟସଭା ନିର୍ବାଚନ ପାଇଁ ଆରମ୍ଭ ହେବ ଭୋଟିଂ। ଗୋଟିଏ ଆସନକୁ ନେଇ ରାଜ୍ୟ ରାଜନୀତି ସରଗରମ ରହିଛି। ୩ ରାଜନୈତିକ ଦଳର ଶୀର୍ଷ ସ୍ତରରେ ରଣନୀତି ପ୍ରସ୍ତୁତି ଚାଲିଛି । ବିଧାୟକମାନଙ୍କୁ ଏକଜୁଟ୍ କରି ରଖିବା ଦୁଇ ମୁଖ୍ୟ ବିରୋଧୀ ଦଳ ବିଜେଡି ଓ କଂଗ୍ରେସ ପାଇଁ କାଠିକର ପାଠ ହୋଇଗଲାଣି। ଏହାରି ଭିତରେ ପାରାଦୀପ ଛାଡିଲେ ବିଜେପି ବିଧାୟକ। ୩ଟି ବସରେ ଫେରିଲେ ବିଧାୟକ। ଶନିବାର ଠାରୁ ମେ ଫେୟାରରେ ଥିଲେ ୭୦ରୁ ଅଧିକ ବିଜେପିର ବିଧାୟକ। ଭୁବନେଶ୍ବରରେ ପହଂଚିବା ପରେ ସିଧା ବିଧାନସଭା ଯାଇ ଭୋଟ ଦେବେ।  ସେହିପରି ବେଙ୍ଗାଲୁରୁ ଥିବା ୮ କଂଗ୍ରେସ ବିଧାୟକ ଗତକାଲି ବିଳମ୍ବିତ ରାତିରେ ଓଡ଼ିଶା ଫେରିଛନ୍ତି । ପିସିସି ସଭାପତି ଭକ୍ତ ଦାସଙ୍କ ସମେତ ସବୁ ବିଧାୟକ ଫେରିଛନ୍ତି। କଂଗ୍ରେସ ବିଧାୟକ ଦଳ ନେତା ରାମ ଚନ୍ଦ୍ର କାଡାମଙ୍କ ଘରେ ସବୁ ବିଧାୟକ ଥିବା ନେଇ ସୂଚନା ମିଳିଛି।

ରାଜ୍ୟସଭା ନିର୍ବାଚନ ପୂର୍ବରୁ ନିଜ ନିଜ ଦଳର ବିଧାୟକଙ୍କୁ ଏକଜୁଟ କରିବାକୁ ପ୍ରୟାସ ଜାରି ରହିଛି । ଆଜି ସକାଳ ୯ଟାରୁ ଭୋଟିଂ ଆରମ୍ଭ ହୋଇ ଅପରାହ୍ଣ ୪ଟା ପର୍ଯ୍ୟନ୍ତ ଚାଲିବ। ଅପହରାହ୍ଣ ୫ଟାରେ ଗଣତି ହେବ। ମୈଦାନରେ ବିଜେପିର ଦୁଇ ପ୍ରାର୍ଥୀ ମନମୋହନ ସାମଲ ଓ ସୁଜିତ କୁମାର। ବିଜେଡି ପ୍ରାର୍ଥୀ ସଂତୃପ୍ତ ମିଶ୍ର। ସ୍ବାଧୀନ ପ୍ରାର୍ଥୀ ଦିଲ୍ଲୀପ ରାୟଙ୍କୁ ସମର୍ଥନ ଜଣାଇଛି ବିଜେପି। ସେହିଭଳି କମନ ପ୍ରାର୍ଥୀ ହୋଇଛନ୍ତି ଡାକ୍ତର ଦତ୍ତେଶ୍ବର ହୋତା। ତାଙ୍କୁ ବିଜେଡି ଓ କଂଗ୍ରେସ ସମର୍ଥନ ଦେଉଛନ୍ତି। ସିପିଆଇଏମ ମଧ୍ୟ ସମର୍ଥନ ଦେଉଛି। ଚତୁର୍ଥ ଆସନ ପାଇଁ ଏହି ଦୁଇ ଜଣଙ୍କ ମଧ୍ୟରେ ଲଢ଼େଇ ହେଉଛି। ଏହି ଆସନ ପାଇଁ ଛକାପଂଝା ଜାରି ରହିଛି।

ଅନ୍ୟପଟେ ରାଜ୍ୟସଭା ନିର୍ବାଚନରେ କ୍ରସ ଭୋଟିଂ ଭୟ ଯୋଗୁ ବେଙ୍ଗାଲୁରୁ ଯାଇଥିଲେ କଂଗ୍ରେସ ବିଧାୟକ। ପବିତ୍ର ସାଉଁଟା, ସିଏସ ରାଜନ ଏକ୍କା, ପ୍ରଫୁଲ୍ଲ ପ୍ରଧାନ, କ୍ରାଡ଼ାକା ଆପାଲା ସ୍ୱାମୀ, ମଙ୍ଗୁ ଖିଲ ଓ ପିସିସି ସଭାପତି ଭକ୍ତ ଚରଣ ଦାସ ମଧ୍ୟ ବେଙ୍ଗାଲୁରୁ ଯାଇଥିଲେ। କଂଗ୍ରେସ ବିଧାୟକ ଦାଶରଥୀ ଗମାଙ୍ଗୋଙ୍କୁ କଂଗ୍ରେସର କାରଣ ଦର୍ଶାଅ ନୋଟିସ। ଆଜି ସକାଳ ୯ଟା ସୁଦ୍ଧା ଦଳର ନେତୃତ୍ୱଙ୍କ ସହ ଯୋଗାଯୋଗ କରିବାକୁ ନୋଟିସ ଜାରି କରି ଜରୁରୀ ନିର୍ଦ୍ଦେଶ ଦିଆଯାଇଛି। ଆଜି ସକାଳ ୯ଟା ସୁଦ୍ଧା ଯୋଗାଯୋଗ ନକଲେ ଦଳ ତାଙ୍କ ପ୍ରତି କଠୋର ଆଭିମୁଖ୍ୟ ଗ୍ରହଣ କରିବ ବୋଲି ସ୍ପଷ୍ଟ କରିଥିଲେ ପିସିସି ସଭାପତି ଭକ୍ତଚରଣ ଦାସ। ଏହାପରେ କଂଗ୍ରେସ ନୋଟିସର ଜବାବ ଦେଇଛନ୍ତି ବିଧାୟକ ଦାଶରଥୀ ଗମାଙ୍ଗୋ।

Leave A Reply

Your email address will not be published.