ଭୁବନେଶ୍ବର: କଂଗ୍ରେସ ବିଧାୟକଙ୍କୁ ଏକାଠି ରଖିବାକୁ ୮ ଜଣ ବିଧାୟକଙ୍କୁ ପିସିସି ସଭାପତି ବେଙ୍ଗାଲୁରୁ ନେଇଥିଲେ। ସେଠାରେ ବିଧାୟକଙ୍କୁ କିଣିବା ପାଇଁ ବିଜେପି ଉଦ୍ୟମ କରିଥିବା କଂଗ୍ରେସ ଅଭିଯୋଗ କରିଛି। ରାଜ୍ୟସଭା ଭୋଟ୍ ପୂର୍ବରୁ ବେଙ୍ଗାଲୁରୁରେ କଂଗ୍ରେସ ବିଧାୟକଙ୍କୁ ଟଙ୍କା ମାଧ୍ୟମରେ ପ୍ରଲୋଭିତ କରୁଥିବା ସମସ୍ତ ୪ ଜଣଙ୍କୁ ବେଙ୍ଗାଲୁରୁ ପୋଲିସ ଗିରଫ କରିଛି l ଗିରଫ ହୋଇଥିବା ବ୍ୟକ୍ତି ଗୁଡିକ ହେଲେ କର୍ଣ୍ଣାଟକର ଜଣେ ପ୍ରଭାବଶାଳୀ ବିଜେପି ନେତାଙ୍କ ପାଖଲୋକ ସୁରେଶ, ଓଡ଼ିଶାର ଅଜିତ ସାହୁ, ରାଉରକେଲା ବାସିନ୍ଦା ବୀରେନ୍ଦ୍ର ପ୍ରସାଦ ଏବଂ ସିମାଞ୍ଚଳ ମହାକୁଡ଼।
ଅନ୍ୟପଟେ କଂଗ୍ରେସର ୮ ବିଧାୟକ ବେଙ୍ଗାଲୁରୁରୁ ଦିଲ୍ଲୀ ଯାଇ ଏଆଇସିସି ସଭାପତି ମଲିକାର୍ଜୁନ୍ ଖଡଗେଙ୍କୁ ଭେଟିଛନ୍ତି। କଂଗ୍ରେସ ସାଂସଦ ସପ୍ତଗିରି ଉଲାକା ଅଭିଯୋଗ କରିଛନ୍ତି, ଆମର ବିଧାୟକଙ୍କୁ ଟ୍ରାପ୍ କରିବାକୁ ୫ କୋଟି ଲେଖାଏଁ ଅଫର୍ କରାଯାଇଛି। ଓଡ଼ିଶାରୁ ୪ ଜଣ ଶନିବାର ରାତିରୁ ଆସି ବିଧାୟକ ରହୁଥିବା ହୋଟେଲରେ ଥିଲେ। ସେମାନେ ଆମ ବିଧାୟକଙ୍କ ପଛପଛେ ବୁଲିବା ସହ ଆଜି ସକାଳେ ଲିଫ୍ଟରେ ଏକାଠି ଯିବାବେଳେ ଏବଂ ଜଳଖିଆ କରିବାବେଳେ ଟଙ୍କା ଅଫର୍ କରିଛନ୍ତି। ଦିଲୀପ ରାୟଙ୍କୁ ଭୋଟ୍ ନଦେଲେ ଓଡ଼ିଶା ଗଲେ ଅପହରଣ କରାଯିବ ବୋଲି ଧମକ ଦେଇଛନ୍ତି।
ଆମେ ପୋଲିସକୁ ଅଭିଯୋଗ କରିବା ପରେ ପଚରାଉଚରାରୁ ଜଣାପଡ଼ିଛି ଯେ ସେମାନେ ରାଉରକେଲା ଓ ଢେଙ୍କାନାଳରୁ ଆସିଛନ୍ତି। ଆମର ସବୁ ବିଧାୟକ ଏକାଠି ଅଛନ୍ତି। ଏଠି ଆମର ୮ ଭୋଟ୍ ଓ ଭୁବନେଶ୍ବରରେ ଆଉ ୬ ଭୋଟ୍ ସୁରକ୍ଷିତ ରହିଛି। ସେମାନେ ଆମ ବିଧାୟକଙ୍କୁ ବ୍ଲାଙ୍କ୍ ଚେକ୍ ଦେଇ କିଣିବାକୁ ଚେଷ୍ଟା କରୁଛନ୍ତି। ଯଦି ଘୋଡ଼ା ବେପାର ହୁଏ ଏଥିପାଇଁ ଦିଲ୍ଲୀପ ରାୟ ଏବଂ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଦାୟୀ ରହିବେ ବୋଲି ଉଲ୍ଲାକା କହିଛନ୍ତି। ଅନ୍ୟପଟେ ଏ ସାଂଘାତିକ ଅଭିଯୋଗକୁ ନେଇ ଦିଲ୍ଲୀପ ରାୟଙ୍କର କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ।