Latest Odisha News

BREAKING NEWS

ମହଙ୍ଗା ହେଲା FASTag ବାର୍ଷିକ ପାସ୍

ନୂଆଦିଲ୍ଲୀ: ଜାତୀୟ ରାଜପଥରେ ନିୟମିତ ଯାତ୍ରା କରୁଥିବା ବ୍ୟକ୍ତିଗତ ଗାଡ଼ି ଚାଳକଙ୍କ ପାଇଁ ଏକ ବଡ଼ ଖବର । କେନ୍ଦ୍ର ସରକାର ଏବେ FASTag ବ୍ୟବହାରକାରୀଙ୍କୁ ଦେଇଛନ୍ତି ଏକ ବଡ଼ ଝଟକା। ମହଙ୍ଗା ହେବାକୁ ଯାଉଛି FASTag ର ବାର୍ଷିକ ପାସ୍। କେତେ ବଢ଼ିଲା ଦର ଏବଂ କେବେଠାରୁ ଲାଗୁ ହେବ ଏହି ନୂଆ ନିୟମ? ଆସନ୍ତୁ ଜାଣିବା ଏହି ରିପୋର୍ଟରେ…

ନ୍ୟାସନାଲ ହାଇୱେରେ ପ୍ରତିଦିନ ଯାତ୍ରା କରୁଥିବା ନିଜସ୍ୱ ଗାଡ଼ି ଚାଳକଙ୍କ ପାଇଁ ଏବେ ପକେଟ୍ ଢିଲା ହେବାକୁ ଯାଉଛି। NHAI ବା ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ FASTag ବାର୍ଷିକ ପାସ୍‌ର ଦାମ୍ ବଢ଼ାଇବାକୁ ଘୋଷଣା କରିଛନ୍ତି। ଆସନ୍ତା ଏପ୍ରିଲ ୧ ତାରିଖରୁ ଏହି ନୂଆ ଦର ଲାଗୁ ହେବ।
ପୁରୁଣା ଦର ୩୦୦୦ ଟଙ୍କା ଥିବା ବେଳେ ନୂଆ ଦର ହୋଇଛି ୩୦୭୫ ଟଙ୍କା । କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ ସୂଚନା ଦେଇଛି ଯେ, ୨୦୦୮ ଜାତୀୟ ରାଜପଥ ଶୁଳ୍କ ନିୟମ ଅନୁଯାୟୀ ଏହି ସଂଶୋଧନ କରାଯାଇଛି।

ଗତବର୍ଷ ଅଗଷ୍ଟ ୧୫ ତାରିଖରୁ ଏହି ବାର୍ଷିକ ପାସ୍ ସୁବିଧା ଆରମ୍ଭ କରାଯାଇଥିଲା। ଏହି ସୁବିଧା କେବଳ କାର୍, ଜିପ୍ ଏବଂ ଭ୍ୟାନ୍ ଭଳି ଅଣ-ବ୍ୟବସାୟିକ ବ୍ୟକ୍ତିଗତ ଗାଡ଼ି ପାଇଁ ଉପଲବ୍ଧ।
ଏହି ପାସ୍ ଜରିଆରେ ଗୋଟିଏ ବର୍ଷରେ କିମ୍ବା ୨୦୦ଟି ଟୋଲ୍ କ୍ରସିଂ ପର୍ଯ୍ୟନ୍ତ ଯାତ୍ରା କରାଯାଇପାରିବ। ବର୍ତ୍ତମାନ ଦେଶର ପ୍ରାୟ ୫୬ ଲକ୍ଷ ଗାଡ଼ି ଚାଳକ ଏହି ସୁବିଧାର ଲାଭ ଉଠାଉଛନ୍ତି। ଦେଶର ପ୍ରାୟ ୧୧୫୦ଟି ଟୋଲ୍ ପ୍ଲାଜାରେ ଏହି ପାସ୍ ଗ୍ରହଣ ହେଉଛି।

ତେବେ ଆପଣ ଏହି ପାସ୍ କିପରି ପାଇବେ ? ଆପଣ ‘Rajmarg Yatra’ ଆପ୍ କିମ୍ବା NHAI ର ଅଫିସିଆଲ୍ ୱେବସାଇଟ୍ ମାଧ୍ୟମରେ ଆବେଦନ କରିପାରିବେ। ଏଥିପାଇଁ ଆପଣଙ୍କୁ ଗାଡ଼ି ନମ୍ବର ଏବଂ FASTag ID ଦେଇ ଲଗଇନ୍ କରିବାକୁ ପଡ଼ିବ । UPI, ଡେବିଟ୍ କିମ୍ବା କ୍ରେଡିଟ୍ କାର୍ଡ ମାଧ୍ୟମରେ ଦେୟ ପ୍ରଦାନ କରିବାର ୨ ଘଣ୍ଟା ମଧ୍ୟରେ ଏହି ପାସ୍ ଆପଣଙ୍କ FASTag ସହ ଲିଙ୍କ୍ ହୋଇଯିବ। ତେବେ ମନେରଖନ୍ତୁ, ପାସ୍ ନେବା ସମୟରେ ଆପଣଙ୍କ FASTag ଆକ୍ଟିଭ୍ ଥିବା ଜରୁରୀ। ଯଦିଓ ଦାମ୍ ସାମାନ୍ୟ ବୃଦ୍ଧି ପାଇଛି, ତଥାପି ଯେଉଁମାନେ ହାଇୱେରେ ବାରମ୍ବାର ଯାତ୍ରା କରନ୍ତି, ସେମାନଙ୍କ ପାଇଁ ଏହି ପାସ୍ ସମୟ ଏବଂ ଅର୍ଥ ଉଭୟ ବଞ୍ଚାଇବାରେ ସହାୟକ ହେବ।

Leave A Reply

Your email address will not be published.