Latest Odisha News

BREAKING NEWS

ଅସୁରକ୍ଷିତ ଗହୀରମଥା ଅଭୟାରଣ୍ୟ: ଅକାଳରେ ମରୁଛନ୍ତି ଅଲିଭ୍‌ ରିଡ୍‌ଲେ, ସୁରକ୍ଷାରେ ନିୟୋଜିତ ହେବ ଡ୍ରୋନ

କେନ୍ଦ୍ରାପଡ଼ା: ଗହୀରମଥାରେ ଅଲିଭରିଡଲେଙ୍କ ସାମୁହିକ ଅଣ୍ଡାଦାନ ପ୍ରକ୍ରିୟା ଆରମ୍ଭ। ଅଲିଭ୍‌ ରିଡ୍‌ଲେଙ୍କ ଗଣଅଣ୍ଡାଦାନ ପାଇଁ ଗହୀରମଥାକୁ ନୋ ଫିସିଂ ଜୋନ୍‌ ଘୋଷଣା କରାଯାଇଛି। ନଭେମ୍ବର ୧ରୁ ମେ ୩୧ ତାରିଖ ଯାଏ କଟକଣା ସମୟରେ ସମୁଦ୍ରରେ ମାଛ ଧରିବା ପାଇଁ ବାରଣ କରାଯାଇଛି। ସାମୁହିକ ଅଣ୍ଡାଦାନ ପ୍ରକ୍ରିୟା ଆରମ୍ଭ ହେବା ପୂର୍ବରୁ ଅନେକ କଇଁଛମାନେ ବିକ୍ଷିପ୍ତ ଭାବେ ଅଣ୍ଡାଦାନ କରୁଛନ୍ତି। ଏହି ଅଣ୍ଡାକୁ ସଂଗ୍ରହ କରି ଅସ୍ଥାୟୀ ହାଚେରିରେ ରଖାଯାଇଛି। ଚଳିତ ବର୍ଷ ଗୋଟିଏ ଦିନରେ ୬୦ରୁ ଅଧିକ କଇଁଛ ବିକ୍ଷିପ୍ତ ଭାବେ ଅଣ୍ଡାଦାନ କରିଥିବାରୁ ଏଥର ରେକର୍ଡ ସଂଖ୍ୟକ ଅଣ୍ଡାଦାନ ହେବାନେଇ ଆଶା ରଖିଛି ବନବିଭାଗ। ବର୍ତ୍ତମାନ ସୁଦ୍ଧା ବନବିଭାଗର ରିପୋର୍ଟ ଅନୁସାରେ ୨୨୫ଟି କଇଁଛ ବସା ଚିହ୍ନଟ କରାଯାଇ ହାଚେରିରେ ରଖାଯାଇଛି।

ଅନ୍ୟପଟେ ଅସୁରକ୍ଷିତ ରହିଛି ଗହୀରମଥା ଅଭୟାରଣ୍ୟ। କାରଣ ହୀରମଥାକୁ ନୋ ଫିସିଂ ଜୋନ୍‌ ଘୋଷଣା କରାଯିବା ପରେ ମଧ୍ୟ ଟ୍ରଲର୍‌ଗୁଡ଼ିକ ସାମୁଦ୍ରିକ ଅଭୟାରଣ୍ୟ ଗହୀରମଥାର ନିଷିଦ୍ଧାଞ୍ଚଳରେ ପଶି ମାଛ ଧରୁଛନ୍ତି। ଫଳରେ ଟ୍ରଲର୍‌ ମାଡ଼ରେ ଅକାଳରେ ଅଲିଭ୍‌ରିଡ୍‌ଲେ କଇଁଛଙ୍କ ମୃତ୍ୟୁ ହେଉଛି। ବନ ବିଭାଗ ତରଫରୁ ଚଳିତ ବର୍ଷ ସୁଦ୍ଧା ପ୍ରାୟ ୬୦୦ ଅଲିଭ୍‌ ରିଡ୍‌ଲେଙ୍କ ମୃତ୍ୟୁ ହୋଇଥିବା କୁହାଯାଇଛି। ନିକଟରେ ଗହୀରମଥା ବେଳାଭୂମିରେ ପଡ଼ିଥିବା ଶତାଧିକ କଇଁଛଙ୍କ ମୃତଶରୀର ମିଳିବା ଉଦ୍‌ବେଗର ବିଷୟ ପାଲଟିଛି।

ଗହୀରମଥା ଅଞ୍ଚଳକୁ ସାମୁଦ୍ରିକ ଅଭୟାରଣ୍ୟର ମାନ୍ୟତା ମିଳିଛି। ଧାମରା ମୁହାଣରୁ ମହାନଦୀ ମୁହାଣ ପର୍ଯ୍ୟନ୍ତ ପ୍ରାୟ ୭୦ କିଲୋମିଟର ବ୍ୟାପୀ ଉପକୂଳ ଅଞ୍ଚଳ ଗହୀରମଥାର ସାମୁଦ୍ରିକ ଅଭୟାରଣ୍ୟ ପରିସରରେ ଆସୁଛି। ଅଣ୍ଡାଦାନ ସମୟରେ କୂଳରୁ ୨୦ କିଲୋମିଟର ସମୁଦ୍ର ଭିତରେ କଇଁଛମାନଙ୍କୁ ସୁରକ୍ଷା ଦେବାକୁ ମାଛଧରା ଉପରେ କଟକଣା ଲାଗିଥାଏ। କଇଁଛଙ୍କ ଅଣ୍ଡାଦାନ ପ୍ରକ୍ରିୟାରେ ସାମିଲ ହେବା ପରଠାରୁ ନାସୀ ଦ୍ୱୀପଠାରୁ ଅଳ୍ପ ଦୂରରେ ଭାରତ ସରକାରଙ୍କ ପ୍ରତିରକ୍ଷା ବିଭାଗର କ୍ଷେପଣାସ୍ତ୍ର ଘାଟିରୁ ଉଜ୍ଜ୍ୱଳ ଆଲୋକ ବ୍ୟବସ୍ଥାକୁ ବନ୍ଦ କରାଯାଇଛି।

ବିରଳ ଅଲିଭ୍‌ରିଡ୍‌ଲେ କଇଁଛଙ୍କ ଗଣ ଅଣ୍ଡାଦାନ ପ୍ରକ୍ରିୟା ସମୟରେ ବନ ବିଭାଗ ପକ୍ଷରୁ ସୁରକ୍ଷା କଡ଼ାକଡ଼ି କରିବାକୁ ବ୍ୟବସ୍ଥା କରାଯାଇଛି। ତା’ ସତ୍ତେ୍ୱ ମା’ ଅଲିଭ୍‌ରିଡ୍‌ଲେ କଇଁଛଙ୍କର ଅକାଳରେ ମୃତ୍ୟୁ ହେଉଛି। କଟକଣା ମାନୁନାହାନ୍ତି ମାଛ ମାଫିଆ। ଲୁଚାଛପାରେ ଗହୀରମଥାରେ ଟ୍ରଲର ଓ ବଡ଼ ବଡ଼ ବୋଟ୍‌ ଜରିଆରେ ମାଛ ଧରାଯାଉଥିବାରୁ ଜାଲ ଫାଶରେ ପଡ଼ି କଇଁଛଙ୍କର ମୃତ୍ୟୁ ହେଉଛି।

ଅନ୍ୟପଟେ ଗହୀରମଥା ଓ ଭିତରକନିକାର ସୁରକ୍ଷାରେ ନିୟୋଜିତ ହେବ ଡ୍ରୋନ। ଉଭୟ ସାମୁଦ୍ରିକ ଅଭୟାରଣ୍ୟ ଓ ଜାତୀୟ ଉଦ୍ୟାନର ପ୍ରତିଟି କାର୍ଯ୍ୟକଳାପ ଉପରେ ନଜର ରଖିବ ଏହି ଡ୍ରୋନ କ୍ୟାମେରା। ଦୀର୍ଘ ପାଞ୍ଚଦିନ ଧରି ରାଜନଗର ବନବିଭାଗର କର୍ମଚାରୀଙ୍କୁ ଡ୍ରୋନ କ୍ୟାମେରା ଚଳାଇବାର ଟ୍ରେନିଂ ଦିଆଯାଉଛି। ଏହା ଦ୍ୱାରା ନିଷିଦ୍ଧଞ୍ଚଳରେ ବେଆଇନ ଭାବେ ମାଛ ମାରୁଥିବା ଟ୍ରଲର ଗୁଡିକୁ ମଧ୍ୟ ଚିହ୍ନଟ କରାଯାଇପାରିବ। ଗହୀରମଥାର ଅଲିଭରିଡଲେଙ୍କ ସମେତ ଭିତରକନିକାର ବିଭିନ୍ନ ପଶୁପକ୍ଷୀଙ୍କ ଗତିବିଧି ଉପରେ ମଧ୍ୟ ନଜର ରଖାଯାଇପାରିବ।

Leave A Reply

Your email address will not be published.