କଟକ: କଟକ ଏସସିବି ମେଡିକାଲ ଅଗ୍ନିକାଣ୍ଡରେ ମତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି ଘଟିଛି । ଗୁରୁତର ରୋଗୀଙ୍କୁ ଅନ୍ୟ ଆଇସିୟୁକୁ ସ୍ଥାନାନ୍ତର କରାଯାଇଛି ବୋଲି ବିଧାନସଭାରେ ଉତ୍ତର ରଖିଲା ବେଳେ ସ୍ପଷ୍ଟ କଲେ ସ୍ବାସ୍ଥ୍ୟ ମନ୍ତ୍ରୀ । ମେଡିକାଲ କର୍ମଚାରୀ ମାନେ ଉଦ୍ଧାରକାର୍ଯ୍ୟ କରିଥିଲେ । ସେମାନଙ୍କ ମଧ୍ୟରୁ ୧୧ ଜଣ ଆହତ ହୋଇ ଚିକିତ୍ସିତ ହେଉଛନ୍ତି ।
ଯେଉଁ ୱାର୍ଡରେ ନିଆଁ ଲାଗିଥିଲା, ସେଠାରେ ସେହି ସମୟରେ ପ୍ରାୟ ୨୨ ଜଣ ରୋଗୀ ଚିକିତ୍ସିତ ହେଉଥିଲେ । ନିଆଁର ପ୍ରକୋପ ଏତେ ଭୟଙ୍କର ଥିଲା ଯେ ରୋଗୀମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବା ପାଇଁ ସମୟ ମିଳିନଥିଲା । ଫଳରେ ଅଧିକାଂଶ ରୋଗୀ ଶ୍ୱାସରୁଦ୍ଧ ହୋଇ ଏବଂ ନିଆଁରେ ପୋଡ଼ି ହୋଇ ପ୍ରାଣ ହରାଇଥିଲେ । ଖବର ପାଇ ଅଗ୍ନିଶମ ବାହିନୀର ଏକାଧିକ ଟିମ୍ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବା ସହ ଉଦ୍ଧାର କାର୍ଯ୍ୟ ଜାରି ରଖିଥିଲେ ।
ଘଟଣା ଘଟିବା ପରେ ମୁଖ୍ୟମନ୍ତ୍ରୀ ନିଜେ ଘଟଣାସ୍ଥଳ ପରିଦର୍ଶନ କରି ଆହତଙ୍କୁ ଭେଟିଥିଲେ । ଏହାସହ ମୃତକଙ୍କ ପରିବାରକୁ ସମବେଦନା ଜ୍ଞାପନ କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ସହ ଘଟଣା ସମ୍ପର୍କରେ ପ୍ରଧାନ ମନ୍ତ୍ରୀ କଥା ହୋଇଛନ୍ତି। ଯାହା ଆବଶ୍ୟକୀୟ ପଦକ୍ଷେପ ସରକାର୍ ଗ୍ରହଣ କରୁଛନ୍ତି । ଏହା ଭିତରେ ରାଜ୍ୟରେ ଥିବା ୨୦୧୦ଟି ସ୍ବାସ୍ଥ୍ୟ ପ୍ରତିଷ୍ଠାନରେ ଅଗ୍ନି ନିରାପତ୍ତା ଯାଞ୍ଚ ସରିଛି । ସେଗୁଡ଼ିକର କଣ ଆବଶ୍ୟକତା ଅଛି ତାହା ଅନୁଧ୍ୟାନ କରାଯିବା ସହ ପୂରଣ କରିବାକୁ ସରକାର୍ ପଦକ୍ଷେପ ନେଉଛନ୍ତି ।
ଏଥିପାଇଁ ଚଳିତ ଆର୍ଥିକ ବର୍ଷରେ ୪୦୦ କୋଟି ଟଙ୍କାର ସ୍ବତନ୍ତ୍ର ପ୍ୟାକେଜ ବ୍ୟବସ୍ଥା କରାଯାଇଛି । ସରକାର୍ ଏହି ଘଟଣାରେ ବିଚାର ବିଭାଗୀୟ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ତଦନ୍ତରେ ଯିଏ ବି ଦୋଷୀ ସାବ୍ୟସ୍ତ ହେବେ ଦୃଢ଼ କାର୍ଯୟାନୁଷ୍ଠାନ ଗ୍ରହଣ କରାଯିବ । ଏଥିସହ ଇଣ୍ଟର ଡିପାର୍ଟମେଣ୍ଟାଲ ଫ୍ୟାକ୍ଟ ଫାଇଣ୍ଡିଙ୍ଗ କମିଟି ଗଠନ କରାଯାଇଛି । ଉନ୍ନୟନ କମିଶନର କ୍ଷେତ୍ର ପରିଦର୍ଶନ କରି ଅନୁଧ୍ୟାନ କରିଛନ୍ତି ।