Latest Odisha News

Hockey World Cup 2026 Schedule: ହକି ବିଶ୍ୱକପ୍ ସୂଚୀ ଘୋଷଣା; ‘ପୁଲ୍-ଡି’ରେ ଭାରତ ସହ ପାକ୍, ଜାଣନ୍ତୁ କ’ଣ କହିଲେ ଭାରତୀୟ ମୁଖ୍ୟ ପ୍ରଶିକ୍ଷକ

ନୂଆଦିଲ୍ଲୀ: ଏଫଆଇଏଚ୍ ପୁରୁଷ ହକି ବିଶ୍ୱକପ୍ ୨୦୨୬ ପାଇଁ କାର୍ଯ୍ୟସୂଚୀ(FIH Hockey World Cup 2026 schedule) ପ୍ରକାଶ ପାଇଛି। ନେଦରଲାଣ୍ଡ ଏବଂ ବେଲଜିୟମର ମିଳିତ ଆନୁକୂଲ୍ୟରେ ଅଗଷ୍ଟ ୧୫ରୁ ୩୦ ଯାଏଁ ଏହି ହକି ମହାକୁମ୍ଭ ଅନୁଷ୍ଠିତ ହେବ। ଭାରତୀୟ ପୁରୁଷ ଓ ମହିଳା ଉଭୟ ଦଳକୁ ‘ପୁଲ୍-ଡି’ରେ ସ୍ଥାନ ଦିଆଯାଇଛି। ପ୍ରତି ଗ୍ରୁପର ଶୀର୍ଷ ଦୁଇଟି ଦଳ ଦ୍ୱିତୀୟ ରାଉଣ୍ଡକୁ ଯିବେ। ଦ୍ୱିତୀୟ ରାଉଣ୍ଡରୁ ଶ୍ରେଷ୍ଠ ଦୁଇଟି ଦଳ ସେମିଫାଇନାଲକୁ ଉନ୍ନୀତ ହେବେ।


ତେବେ ଭାରତୀୟ ପୁରୁଷ ଦଳ ଅଗଷ୍ଟ ୧୫ରେ ୱେଲ୍ସ ବିପକ୍ଷରେ ନିଜର ଅଭିଯାନ ଆରମ୍ଭ କରିବ। ଅଗଷ୍ଟ ୧୫ରେ ଭାରତ ବନାମ ୱେଲ୍ସ (ଅପରାହ୍ନ ୪:୩୦),ଅଗଷ୍ଟ ୧୭ରେ ଭାରତ ବନାମ ଇଂଲଣ୍ଡ (ସନ୍ଧ୍ୟା ୬:୩୦) ଓ ଅଗଷ୍ଟ ୧୯ରେ ଭାରତ ବନାମ ପାକିସ୍ତାନ(India vs Pakistan) (ସନ୍ଧ୍ୟା ୬:୩୦) ମ୍ୟାଚ ରହିଛି ।

ସେହିପରି ଭାରତୀୟ ମହିଳା ଦଳ ଅଗଷ୍ଟ ୧୬ରେ ଚୀନ୍ (ଅପରାହ୍ନ ୪:୩୦)ସହ ପ୍ରଥମ ମ୍ୟାଚ୍ ଖେଳିବେ। ଅଗଷ୍ଟ ୧୮ରେ ଭାରତ ବନାମ ଦକ୍ଷିଣ ଆଫ୍ରିକା (ସନ୍ଧ୍ୟା ୬:୩୦) ଓ ଅଗଷ୍ଟ ୨୦ରେ ଭାରତ ବନାମ ଇଂଲଣ୍ଡ (ସନ୍ଧ୍ୟା ୬:୩୦) ମ୍ୟାଚ ଖେଳାଯିବ ।

କାର୍ଯ୍ୟସୂଚୀ ପ୍ରକାଶ ପରେ ଭାରତୀୟ ପୁରୁଷ ଜାତୀୟ ହକି ଦଳର( Indian Men’s National Hockey Team) ମୁଖ୍ୟ ପ୍ରଶିକ୍ଷକ କ୍ରେଗ୍ ଫୁଲଟନ୍ (Craig Fulton)ଦଳର ଆଗାମୀ ପଥ ସମ୍ପର୍କରେ ଆତ୍ମବିଶ୍ୱାସ ଏବଂ ସ୍ପଷ୍ଟତା ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ, “ଆମେ ଉତ୍ସାହିତ। ଏହା ଏକ ମଜବୁତ ଗ୍ରୁପ, କିନ୍ତୁ ବିଶ୍ୱକପରେ ଆପଣ ଠିକ୍ ଏହା ହିଁ ଚାହାଁନ୍ତି – ଶ୍ରେଷ୍ଠ ବିପକ୍ଷରେ ମୁକାବିଲା କରିବା”।

ଆହୁରି ଫୁଲଟନ୍ କହିଛନ୍ତି , “ଶିବିରରେ ଦଳର ମନୋଭାବ ବହୁତ ସକାରାତ୍ମକ। ଖେଳାଳିମାନେ ଉତ୍ସାହିତ ଅଛନ୍ତି ଏବଂ ଜିତିବା ଅପେକ୍ଷାରେ ଅଛନ୍ତି । ବର୍ତ୍ତମାନ ଆମେ ଆମର ପ୍ରତିଦ୍ୱନ୍ଦ୍ୱୀଙ୍କୁ ଜାଣିଲୁ, ଏହା ଆମକୁ ସ୍ପଷ୍ଟତା ଏବଂ ଆମର ପ୍ରସ୍ତୁତିରେ ଧ୍ୟାନ କେନ୍ଦ୍ରିତ କରିବାରେ ସାହାଯ୍ୟ କରିବ।”

ଏଥିସହ କୋଚ୍ କହିଛନ୍ତି ଯେ, “ଆମେ ଏହି ପୁଲରେ ପ୍ରତ୍ୟେକ ପ୍ରତିଦ୍ୱନ୍ଦ୍ୱୀଙ୍କୁ ସମ୍ମାନ କରୁ, କିନ୍ତୁ ନିଜ ଉପରେ ଭରସା ଅଛି ଆମେ ସମସ୍ତଙ୍କ ବିପକ୍ଷରେ ବିଜୟ ହାସଲ କରିପାରିବୁ । ଆମେ ସେଠାକୁ ଯାଇ ଭାରତକୁ ଗର୍ବିତ କରିବାକୁ ଚାହୁଁଛୁ। ଖେଳାଳିମାନେ ଜାଣନ୍ତି ଯେ ଏହି ଜର୍ସିର ଅର୍ଥ କ’ଣ ଏବଂ ପ୍ରଶଂସକମାନେ କ’ଣ ଆଶା କରନ୍ତି। ସମର୍ଥକଙ୍କ ପାଇଁ ମୋର ବାର୍ତ୍ତା ସରଳ -ଆମର ସମର୍ଥନ କରନ୍ତୁ ପ୍ରତ୍ୟେକ ମ୍ୟାଚରେ ,ଚକ୍ ଦେ ଇଣ୍ଡିଆ!”

 

Leave A Reply

Your email address will not be published.