ସମ୍ବଲପୁର: ୨୦୨୫ ମାର୍ଚ୍ଚରୁ ୨୦୨୬ ମାର୍ଚ୍ଚ। ଏହି ଗୋଟିଏ ବର୍ଷ ମଧ୍ୟରେ ହୋଇଛି ୮ ଏନକାଉଣ୍ଟର। ୮ ଦୁର୍ଦ୍ଦାନ୍ତ ଅପରାଧୀକୁ ସମ୍ବଲପୁର ପୋଲିସ କବ୍ଜା କରିବାରେ ସଫଳ ହୋଇଛି। ଢୁଙ୍କଛାଳି ଜଙ୍ଗଲରେ ଗତ ୧୮ ତାରିଖ ହୋଇଥିବା ଏନକାଉଣ୍ଟରରେ ଆହତ ହୋଇଥିବା ଧନେଶ୍ୱର ଝାଙ୍କର ସୁସ୍ଥ ହେବା ପରେ ଗତକାଲି ପୋଲିସ ତାକୁ କୋର୍ଟ ଚାଲାଣ କରିଛି।
ମିଳିଥିବା ସୂଚନା ଅନୁସାରେ ୨୦୨୫ ମାର୍ଚ୍ଚ ୪ ତାରିଖରେ ଦୁର୍ଦ୍ଦାନ୍ତ ଅପରାଧୀ ମହେଶ କୁମାରଙ୍କୁ ଜମାଦାରପାଲି ରୋଡରେ ପୋଲିସ ଧରିବାକୁ ଯିବାବେଳେ ପୋଲିସ ଉପରକୁ ଅପରାଧୀର ଗୁଲିଚଳନାକୁ ଜବାବ ଦେବାକୁ ଯାଇ ପୋଲିସ ଗୁଳିରେ ଆହତ ହୋଇଥିଲା ମହେଶ। ସେହିପରି ଠିକ ତାର ୪ ଦିନ ପରେ ପୋଲିସକୁ ମିଳିଥିଲା ଆଉ ଏକ ବଡ଼ ସଫଳତା। ଅର୍ଥାତ ମାର୍ଚ୍ଚ ୧୧ ତାରିଖରେ ଅନ୍ୟତମ ୨ ଦୁର୍ଦ୍ଦାନ୍ତ ଅପରାଧୀ ଶେଖ ମନଟୋ ହକ ଓ ଶେଖ ଆରିଫଙ୍କୁ ପୋଲିସ ଧରିବାକୁ ଯିବାବେଳେ ଧନୁପାଲି ଛକରେ ଅପରାଧୀ ପୋଲିସ ମଧ୍ୟରେ ଛକାପଞ୍ଝା ରେ ଉଭୟଙ୍କ ପକ୍ଷରୁ ଗୁଳିଚାଳନାରେ ଉଭୟ ଅପରାଧୀ ଆହତ ହୋଇଥିଲେ। ଏହାର ୧ ମାସ ପରେ ଏପ୍ରିଲ ୧୩ ତାରିଖ ଦିନ ରଙ୍ଗଆଟିକିରା ଠାରେ ଦୁର୍ଦ୍ଦାନ୍ତ ଅପରାଧୀ ସୀତାରାମ ଷଡ଼ଙ୍ଗୀ ଙ୍କ ଉପରେ ଏନକାଉଣ୍ଟର କରାଯାଇ ତାକୁ କାବୁ କରାଯାଇଥିଲା।ଏହାର ୪ ମାସ ପରେ ଅଗଷ୍ଟ ୧୮ ତାରିଖ ଦିନ ସେହି ଧନୁପାଲି ଠାରୁ ଅନ୍ୟ ଜଣେ ଦୁର୍ଦ୍ଦାନ୍ତ ମହମ୍ମଦ ସାମଦ କୁ ମଧ୍ୟ୍ୟ ଏନକାଉଣ୍ଟର ବଳରେ ପୋଲିସ ନିଜ ଅଧୀନକୁ ନେଇଥିଲା।ଏହାର ଏକ ମାସ ଭିତରେ ଅର୍ଥାତ ସେପ୍ଟେମ୍ବର ୧୬ ତାରିଖ ଦିନ ଦୀପକ ମଣ୍ଡଳ ନାମକ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ରେଙ୍ଗାଲିରୁ ପୋଲିସ କବ୍ଜା କରିଥିବା ବେଳେ ପୁଣି ଚଳିତ ବର୍ଷ ଗତ ମାର୍ଚ୍ଚ ୧୮ ତାରିଖ ଦିନ ନାକଟିଦେଉଳ ଓ ରେଢ଼ାଖୋଲ ମଧ୍ୟରେ ଥିବା ଢୁଙ୍କଛାଲି ଜଙ୍ଗଲରୁ ଧନେଶ୍ୱର ଝାଙ୍କର ନାମକ ଅନ୍ୟ ଜଣେ ଦୁର୍ଦ୍ଦାନ୍ତକୁ ପୋଲିସ ଧରିବାରେ ସଫଳ ହୋଇଥିଲା। ତେବେ ସବୁ ଘଟଣାରେ ଦୁର୍ଦ୍ଦାନ୍ତ ମାନଙ୍କୁ ପୋଲିସ ଧରିବାକୁ ଯିବାବେଳେ ଅପରାଧୀ ମାନେ ପୋଲିସ ଉପରକୁ ଗୁଳି ଚଳାଇ ଖସି ଯିବାକୁ ଚେଷ୍ଟା କରୁଥିବା ବେଳେ ଏହାର ପାଲଟା ଜବାବ ଦେଇ ପୋଲିସ ୮ ଦୁର୍ଦ୍ଦାନ୍ତଙ୍କୁ ଚତୁରତାର ସହିତ କବ୍ଜା କରିବାରେ ସଫଳ ହୋଇଛି। ସମସ୍ତ ଦୁର୍ଦ୍ଦାନ୍ତ ଅପରାଧୀ ମାନଙ୍କ ନାମରେ ଓଡ଼ିଶାର ବିଭିନ୍ନ ଥାନାରେ ମାଳମାଳ ମାମଲା ରହିଥିବା ପୋଲିସ ସୂତ୍ରରୁ ଜଣାପଡିଛି।