Latest Odisha News

BREAKING NEWS

ଓଏଚଆରସିର ଅଧ୍ୟକ୍ଷ ଭାବେ ପୁଣି ଜଷ୍ଟିସ ଶତ୍ରୁଘନ ପୂଜାହାରୀଙ୍କୁ ନିଯୁକ୍ତି

କଟକ: ପୁଣି ଥରେ ଓଡ଼ିଶା ମାନବାଧିକାର କମିସନ (ଓଏଚଆରସି)ର ଅଧ୍ୟକ୍ଷ ହେଲେ ଜଷ୍ଟିସ ଶତ୍ରୁଘନ ପୂଜାହାରୀ । ଏ ନେଇ ଆଜି ଆଇନ ବିଭାଗ ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ମାନବାଧିକାର କମିସନ ଅଧ୍ୟକ୍ଷ ଭାବେ ଜଷ୍ଟିସ ପୂଜାହାରୀଙ୍କ କାର୍ଯ୍ୟକାଳ ଗତ ଫେବୃଆରୀ ମାସରେ ଶେଷ ହୋଇଥିଲା ।

୧୯୬୦ ମସିହା ସେପ୍ଟେମ୍ବର ୨୪ରେ ସୋନପୁର ଜିଲ୍ଲା ସୁବଳୟା ଗ୍ରାମରେ ଜନ୍ମିତ ଜଷ୍ଟିସ ପୂଜାହାରୀ ୧୯୭୮ରେ ସୋନପୁରସ୍ଥିତ ସୁବଳୟା ହାଇସ୍କୁଲରୁ ଦଶମ ଶ୍ରେଣୀ ପାସ କରିଥିଲେ । ବଲାଙ୍ଗୀରର ରାଜେନ୍ଦ୍ର କଲେଜରୁ ୧୯୮୩ ମସିହାରେ ରାଜନୀତି ବିଜ୍ଞାନ ସମ୍ମାନ ରଖି ସ୍ନାତକ ଡିଗ୍ରି ସେ ହାସଲ କରିଥିଲେ। ୧୯୮୬ରେ ସମ୍ବଲପୁରସ୍ଥିତ ଲାଲା ଲଜପତ ରାୟ ଆଇନ ମହାବିଦ୍ୟାଳୟରୁ ‌ସେ ଏଲଏଲବି ପାସ୍‌ କରିଥିଲେ । ୧୯୮୭ରେ ଆଇନଜୀବୀ ପେସାରେ ସେ ଯୋଗ ଦେଇଥିଲେ ।

ଓଡ଼ିଶା ସେଲ୍ସ ଟ୍ୟାକ୍ସ ଟ୍ରିବୁନାଲର ଅଧ୍ୟକ୍ଷ, ରାଜ୍ୟ ଆଇନ ସେବା ପ୍ରାଧିକରଣର ସଦସ୍ୟ ସଚିବ ଓ ରାଜ୍ୟ ଆଇନ ବିଭାଗର ସେ ପ୍ରମୁଖ ସଚିବ ଭାବେ କାର୍ଯ୍ୟ କରିଥିଲେ । ପରେ ଜଷ୍ଟିସ ଶତ୍ରୁଘ୍ନ ପୂଜାହାରୀ ୨୦୧୩ ନଭେମ୍ବର ୨୯ରେ ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ ଶପଥ ଗ୍ରହଣ କରିଥିଲେ । ୨୦୧୭, ନଭେମ୍ବର ୨୨ ପର୍ଯ୍ୟନ୍ତ ଓଡ଼ିଶା ହାଇକୋର୍ଟରେ ବିଚାରପତି ଭାବେ କାର୍ଯ୍ୟ କରିବା ପରେ ତାଙ୍କର ମାଡ୍ରାସ ହାଇକୋର୍ଟକୁ ବଦଳି ହୋଇଥିଲା । ଏହା ପରେ ମାଡ୍ରାସ ହାଇକୋର୍ଟରୁ ତାଙ୍କର ବଦଳି ପରେ ପୁଣି ସେ ୨୦୧୮, ନଭେମ୍ବର ୧୯ରେ ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ ଯୋଗ ଦେଇଥିଲେ ।

୨୦୨୨, ନଭେମ୍ବର ୨୩ରେ ହାଇକୋର୍ଟର ବିଚାରପତି ପଦରୁ ଜଷ୍ଟିସ ପୂଜାହାରୀ ଅବସର ଗ୍ରହଣ କରିଥିଲେ। ପରବର୍ତ୍ତୀ ସମୟରେ ତାଙ୍କୁ ମାନବାଧିକାର କମିସନ ଅଧ୍ୟକ୍ଷ ଭାବେ ନିଯୁକ୍ତି ମିଳିଥିଲା। ଗତ ଫେବୃଆରୀ ମାସରେ କମିସନ ଅଧ୍ୟକ୍ଷ ଭାବେ ତାଙ୍କ କାର୍ଯ୍ୟକାଳ ଶେଷ ହୋଇଥିଲା । ଏହାପରେ ପୁଣି ତାଙ୍କୁ ଦ୍ବିତୀୟ ଥର ପାଇଁ କମିସନ ଅଧ୍ୟକ୍ଷ ଭାବେ ନିଯୁକ୍ତି ପ୍ରଦାନ କରାଯାଇଛି ।

Leave A Reply

Your email address will not be published.