Latest Odisha News

BREAKING NEWS

ଡାଇବେଟିସ୍ ରୋଗୀଙ୍କ ପାଇଁ ଚାଞ୍ଚଲ୍ୟକର ତଥ୍ୟ

ନୂଆଦିଲ୍ଲୀ: ମଧୁମେହ ବା ଡାଇବେଟିସ୍ ରୋଗୀଙ୍କ ପାଇଁ ସବୁଠାରୁ ଭରସାଯୋଗ୍ୟ ଔଷଧ ‘ମେଟଫର୍ମିନ୍’ (Metformin) କୁ ନେଇ ଆସିଛି ଏକ ଚମକାଇଲା ଭଳି ତଥ୍ୟ। ବର୍ତ୍ତମାନ ପର୍ଯ୍ୟନ୍ତ ଆମେ ଜାଣିଥିଲେ ଯେ ଏହି ଔଷଧ କେବଳ ଲିଭର୍ କିମ୍ବା ପାକସ୍ଥଳୀ ଉପରେ କାମ କରେ, କିନ୍ତୁ ନୂଆ ଗବେଷଣା କହୁଛି- ଏହା ସିଧାସଳଖ ଆପଣଙ୍କ ମସ୍ତିଷ୍କକୁ ପ୍ରଭାବିତ କରୁଛି !

ଦଶନ୍ଧି ଦଶନ୍ଧି ଧରି ଟାଇପ୍-୨ ଡାଇବେଟିସ୍ ପାଇଁ ବ୍ୟବହାର ହେଉଥିବା ସବୁଠାରୁ ଶସ୍ତା ଓ ସାଧାରଣ ଔଷଧ ହେଉଛି ମେଟଫର୍ମିନ୍। କିନ୍ତୁ ‘ସାଇନ୍ସ ଆଡଭାନ୍ସସ’ ପତ୍ରିକାରେ ପ୍ରକାଶିତ ଏକ ରିପୋର୍ଟ ଅନୁସାରେ, ଏହି ଔଷଧ ଶରୀରରେ ବ୍ଲଡ୍ ସୁଗାର୍ ନିୟନ୍ତ୍ରଣ କରିବା ପାଇଁ ମସ୍ତିଷ୍କର ‘ହାଇପୋଥାଲାମସ୍’ ର ସାହାଯ୍ୟ ନେଇଥାଏ। ମେଟଫର୍ମିନ୍ ମସ୍ତିଷ୍କର SF1 ନ୍ୟୁରନ୍ସକୁ ସକ୍ରିୟ କରିଥାଏ। ଏହା ମସ୍ତିଷ୍କରେ ଥିବା Rap1 ନାମକ ଏକ ପ୍ରୋଟିନ୍‌କୁ ଦବାଇ ଦିଏ, ଯାହା ଫଳରେ ରକ୍ତରେ ଶର୍କରା ସ୍ତର ଶୀଘ୍ର ହ୍ରାସ ପାଏ। ଆଶ୍ଚର୍ଯ୍ୟର କଥା ହେଉଛି, ଖୁବ୍ କମ୍ ମାତ୍ରାର ଔଷଧ ମଧ୍ୟ ଯଦି ମସ୍ତିଷ୍କରେ ପହଞ୍ଚେ, ତେବେ ଏହା ବହୁତ ପ୍ରଭାବଶାଳୀ ହୋଇଥାଏ।

ତେବେ ଏହି ଔଷଧ ସେବନ ନେଇ କିଛି ସାବଧାନତା ମଧ୍ୟ ରହିଛି । ଯଦି ଏହି ଔଷଧ ମସ୍ତିଷ୍କ ଉପରେ ପ୍ରଭାବ ପକାଉଛି, ତେବେ ଦୀର୍ଘ ଦିନ ଧରି ଏହାକୁ ଖାଇଲେ ସ୍ମୃତିଶକ୍ତି ବା ମାନସିକ ସ୍ୱାସ୍ଥ୍ୟ ପ୍ରଭାବିତ ହେବାର ଆଶଙ୍କା ରହିଛି । କିଛି ରିସର୍ଚ୍ଚ କହୁଛି ଯେ ଏହା ‘ଡିମେନ୍ସିଆ’ ଭଳି ରୋଗରୁ ରକ୍ଷା କରେ, ତ ଅନ୍ୟ କିଛି ରିପୋର୍ଟ ବୟସ୍କ ଲୋକଙ୍କ କ୍ଷେତ୍ରରେ ମାନସିକ ଦକ୍ଷତା ହ୍ରାସ ହେବାର ଆଶଙ୍କା ପ୍ରକାଶ କରିଛନ୍ତି। ଦୀର୍ଘ ଦିନର ବ୍ୟବହାର ଦ୍ୱାରା ଶରୀରରେ B12 କମିପାରେ। ଏହା ଏକ ବିରଳ କିନ୍ତୁ ଗୁରୁତର ସମସ୍ୟା। ତେବେ ଡାକ୍ତରଙ୍କ ପରାମର୍ଶ ବିନା ନିଜ ଇଚ୍ଛାରେ କେବେବି ଔଷଧ ବନ୍ଦ କରନ୍ତୁ ନାହିଁ।

ତେଣୁ ମଧୁମେହ ରୋଗୀମାନେ ଏହି ନୂଆ ତଥ୍ୟକୁ ନେଇ ଭୟଭୀତ ହେବାର କୌଣସି କାରଣ ନାହିଁ। ମେଟଫର୍ମିନ୍ ଆଜି ବି ଡାଇବେଟିସ୍ ପାଇଁ ସବୁଠାରୁ ନିରାପଦ ଔଷଧ ଭାବେ ଗଣାଯାଉଛି। କେବଳ ସମୟ ସମୟରେ ଡାକ୍ତରଙ୍କ ସହ ପରାମର୍ଶ କରି ନିଜର ଶରୀର ଓ ମସ୍ତିଷ୍କର ଯାଞ୍ଚ କରାଇବା ଜରୁରୀ।

Leave A Reply

Your email address will not be published.