କେନ୍ଦ୍ରାପଡା: ଆଜି ଭିତରକନିକା ଅଞ୍ଚଳରୁ ବେଆଇନ ଚିଙ୍ଗୁଡି ଉଚ୍ଛେଦ ବେଳେ ବନବିଭାଗ କର୍ମଚାରୀଙ୍କୁ ମାଡ ମରାଯାଇଛି । ବନକର୍ମଚାରୀ ଗୁରୁତର ଆହତ ହୋଇଛନ୍ତି। ମାନ୍ୟବର ହାଇକୋର୍ଟଙ୍କ ନିର୍ଦ୍ଦେଶରେ ଚିଙ୍ଗୁଡି ଘେରି ଭଙ୍ଗା ଯାଉଥିବା ବେଳେ ବନ କର୍ମଚାରୀଙ୍କୁ ଆକ୍ରମଣ କରାଯାଇଥିଲା ।
ସୂଚନାଥାଉକି, ଆଜି ବେଆଇନ ଚିଙ୍ଗୁଡି ଘେରି ଭାଙ୍ଗିବାକୁ ବନବିଭାଗ ଟିମ ଗୋପାଳଜୀଉପାଟଣାରେ ପହଞ୍ଚିଥିଲା। ପ୍ରଥମ ଘେରି ଭାଙ୍ଗି ସାରି ଦିତୀୟ ଘେରି ଭାଙ୍ଗିବା ବେଳକୁ ହଟାତ ଘେରି ମାଲିକ, ଫାଇନାନ୍ସସର ଓ କିଛି ବାହାର ଲୋକ ପହଞ୍ଚି ଘେରି ଭାଙ୍ଗି ପାରିବ ନାହିଁ କହିଥିଲେ। ବନକର୍ମଚାରୀ ଘେରି ଭାଙ୍ଗିବା କାର୍ଯ୍ୟ ଜାରି ରଖିବାରୁ ଘେରି ମାଲିକ, ଫାଇନାନ୍ସସର ଘେରିଯାଇ ବନ କର୍ମଚାରୀ ଅର୍ଜୁନ ଦଳେଇଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ। ବନ କର୍ମଚାରୀଙ୍କୁ ମରଣାସ୍ତ୍ରରେ ଆକ୍ରମଣ କରିବା ସହ ବିଧା , ଗୋଇଠା , ଚାପୁଡା , ତଣ୍ଟିଆ ମାରିବା ସହିତ ଜାତିନେଇ ଗାଳିଗୁଲଜ କରିଥିଲେ।
ଏନେଇ ବନ କର୍ମଚାରୀ ଅର୍ଜୁନ ଦଳେଇ, ଫରେଷ୍ଟ ଗାର୍ଡ ସତିଶ ଲାକ୍ରା ଓ ଏସିଏଫ ମାନସ କୁମାର ଦାସ ତାଳଚୁଆ ସାମୁଦ୍ରିକ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।
ଖବରମୁତାବକ,ଭିତରକନିକା ଜାତୀୟ ଉଦ୍ୟାନର ଜୈବ ବିବିଧତା ବେଆଇନ ଚିଙ୍ଗୁଡିଘେରି ପାଇଁ ନଷ୍ଟ ହେଉଛି। ଇକୋ ସେନସେଟିଭ ଜୋନ ଆଇନ, ସିଆରଜେଡ ଆଇନ, ଭିତରକନିକା ଜାତୀୟ ଉଦ୍ୟାନ ଆଇନ, ଭିତରକନିକା ଅଭୟାରଣ୍ୟ ଆଇନକୁ ଉଲ୍ଲଂଘନ କରାଯାଇ ନଦୀ କୂଳେ କୂଳେ ଏପରିକି ଭିତରକନିକା ଜାତୀୟ ଉଦ୍ୟାନ ଭିତରେ ଚିଙ୍ଗୁଡିଘେରି ଭାଙ୍ଗିବାକୁ ମାନ୍ୟବର ହାଇକୋର୍ଟଙ୍କ ନିର୍ଦେଶ ରହିଛି।
ଚଳିତ ମାସ ୨୦ ତାରିଖ ଦିନ ୧୨ ଜଣଙ୍କର ୨୦ଟି ଘେରି ଓ ୨୪ ତାରିଖ ଦିନ ୧୧ ଜଣଙ୍କର ୨୧ଟି ଚିଙ୍ଗୁଡି ଘେରି ବନବିଭାଗ ଉଚ୍ଛେଦ ହୋଇଥିଲା। ୨୫ ତାରିଖ ଦିନ ପଟ୍ଟାପାରିଆରେ ବନବିଭାଗ ଟିମ ଘେରି ଭାଙ୍ଗିବାକୁ ପହଞ୍ଚିବା ପରେ ମହିଳା ଓ ଚିଙ୍ଗୁଡି ଘେରି ମାଲିକ ବିରୋଧ କରିଥିଲେ।